ଷ୍ଟ୍ରୋକକୁ ଜାଣିବା ଜିଣିବା : ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଯୁବପିଢ଼ି ପାଇଁ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର (କେନ୍ୟୁଜ) :  ‘ଷ୍ଟ୍ରୋକକୁ ଜାଣିବା, ଜିଣିବା’। ଏହି ପ୍ରସଙ୍ଗକୁ ନେଇ ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଆୟୋଜିତ ହୋଇଛି ଯୁବ ସଚେତନତା କାର୍ଯ୍ୟକ୍ରମ ।

ପରିବର୍ତ୍ତିତ ଜୀବନ ଶୈଳୀ ଓ ବିଭିନ୍ନ କାରଣରୁ ଆଜି ସାରା ବିଶ୍ୱରେ ବ୍ରେନ୍‌ ଷ୍ଟ୍ରୋକ ବା ମସ୍ତିଷ୍କାଘାତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏ ବିଷୟରେ ଯୁବପିଢ଼ିଙ୍କ ଭିତରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ୱାର୍ଲ୍ଡ ଷ୍ଟ୍ରୋକ୍ ଅର୍ଗାନାଇଜେସନର ସଦସ୍ୟ ଥିବା ଆଇଏଫଆଇ ଫାଉଣ୍ଡେସନ, ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟପ୍ଲସ ସହ ମିଳିତ ଭାବେ ବ୍ରେନ ଷ୍ଟ୍ରୋକ ସଚେତନତା ଲାଗି ଏକ ୧୦ ଦିନିଆ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ବିଶ୍ୱ ଷ୍ଟ୍ରୋକ ଦିବସରୁ ଆରମ୍ଭ ହୋଇ ଏହା ନଭେମ୍ବର ୭ ତାରିଖରେ ଶେଷ ହୋଇଛି।

ଷ୍ଟ୍ରୋକ୍ ର ମୁକାବିଲା ପାଇଁ ବିଶେଷ କରି, ଯୁବପିଢ଼ିକୁ ସଚେତନ କରିବା ଦିଗରେ ଶିକ୍ଷାନୁଷ୍ଠାନଗୁଡ଼ିକର ଭୂମିକା ଗୁରୁତ୍ୱପୂର୍ଣ୍ଣ। ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟରେ ହୋଇଥିବା ଏହି କାର୍ଯ୍ୟକ୍ରମ ଷ୍ଟ୍ରୋକ୍ ସଚେତନତା ଦିଗରେ ସହାୟକ ହେବ ବୋଲି କହିଛନ୍ତି ବିଶ୍ୱବିଦ୍ୟାଳୟର ପିଜି କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ଚଣ୍ଡୀ ଚରଣ ରଥ। ଆଜି ସାରା ବିଶ୍ଵରେ ଅଣସଂକ୍ରାମକ ରୋଗ ମଧ୍ୟରେ ଷ୍ଟ୍ରୋକ୍ ଅନେକ ଲୋକଙ୍କ ଜୀବନକୁ ପ୍ରଭାବିତ କରୁଛି। ଏ ବିଷୟରେ ସଚେତନତା ଲାଗି ଯୁବଗୋଷ୍ଠୀଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ। ତେଣୁ ଆପଣମାନେ ନିଜେ ସଚେତନ ହେବା ସହିତ ଘରେ ଘରେ ଏହି ବାର୍ତ୍ତା ପହଞ୍ଚାଇ ପାରିବେ,” ଏହି ଅବସରରେ ଉପସ୍ଥିତ ଛାତ୍ରୀମାନଙ୍କୁ ଆହ୍ୱାନ ଦେଇ କହିଥିଲେ ଆଇଏଫଆଇ ଷ୍ଟ୍ରୋକ ସଚେତନତା ଅଭିଯାନର ଅଧ୍ୟକ୍ଷ ତଥା ଓଡ଼ିଶା ଲାଇଭର ସମ୍ପାଦକ ନୀଳାମ୍ବର ରଥ।

ଏହି ଅବସରରେ ‘ଷ୍ଟ୍ରୋକମୁକ୍ତ ଜୀବନ’ ଶୀର୍ଷକରେ ପ୍ରସ୍ତୁତ ସୂଚନା ପୁସ୍ତିକାର ଲୋକାର୍ପଣ କରାଯାଇଥିଲା । ସେହିପରି ବ୍ରେନ ଷ୍ଟ୍ରୋକର କାରଣ, ଲକ୍ଷଣ, ଚିକିତ୍ସା ଏବଂ ଷ୍ଟ୍ରୋକ ପରବର୍ତ୍ତୀ ଅବସ୍ଥାରେ ରୋଗୀଙ୍କ ସେବା ଯତ୍ନ ଉପରେ ଆଧାରିତ ଏକ ସ୍ୱତନ୍ତ୍ର ଭିଡିଓ ପ୍ରଦର୍ଶନ କରାଯାଇଥିଲା। ଭାରତରେ ଏବେ ଷ୍ଟ୍ରୋକ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବା ସହ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିଲେ ଆମେ ୮୦ରୁ ୯୦ ପ୍ରତିଶତ ଘଟଣାରେ ଷ୍ଟ୍ରୋକକୁ ରୋକି ପାରିବା। ସେହିପରି ଯୁବପିଢ଼ିଙ୍କ ଭିତରେ ମଧ୍ୟ ଏବେ ଷ୍ଟ୍ରୋକ ଦେଖାଦେବା ଚିନ୍ତାଜନକ ବିଷୟ। ତେଣୁ ଛାତ୍ରଛାତ୍ରୀମାନେ ଷ୍ଟ୍ରୋକ ବିଷୟରେ ସଚେତନ ରହି ନିଜକୁ ସୁସ୍ଥ ରଖିବା ସହ ଅନ୍ୟମାନଙ୍କୁ ସଚେତନ କରିବା ଦରକାର ବୋଲି କହିଛନ୍ତି ବିଶିଷ୍ଟ ନ୍ୟୁରୋଲୋଜିଷ୍ଟ ତଥା ଏହି ଅଭିଯାନର ପରାମର୍ଶଦାତା ଡାକ୍ତର ଶୁଭ୍ରାଂଶୁ ଶେଖର ଜେନା। ଏହି ଅବସରରେ ଷ୍ଟ୍ରୋକ ସଚେତନତା କାର୍ଯ୍ୟକ୍ରମର ଆବଶ୍ୟକତା ଉପରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ଦେଇଥିବା ବାର୍ତ୍ତା ପାଠ କରାଯାଇଥିଲା।

କାର୍ଯ୍ୟକ୍ରମରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଆଇକ୍ୟୁଏସିର ନିର୍ଦ୍ଦେଶକ ପ୍ରଫେସର ସସ୍ମିତା ମହାନ୍ତି, ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ମୁଖ୍ୟ ଡକ୍ଟର ଅମ୍ବିକା ପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ସ୍ୱାସ୍ଥ୍ୟପ୍ଲସ୍ ନେଟଓ୍ୱର୍କର ସହ-ପ୍ରତିଷ୍ଠାତା ପ୍ରଣତି ପରିଡ଼ା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ସ୍ୱାସ୍ଥ୍ୟପ୍ଲସ ପରିବାର ପକ୍ଷରୁ ସୁଶ୍ରୀ ସ୍ମିତା ବେହେରା କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।

ବିଶ୍ୱବିଦ୍ୟାଳୟର ସହଭାଗିତାରେ ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ୩୦୦ରୁ ଅଧିକ ଛାତ୍ରୀ ଅଂଶଗ୍ରହଣ କରିଥିଲେ।

You might also like