କଳାବଜାରୀ କରୁଥିବା ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ : ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

କଟକ :  “କଳାବଜାରୀ କରୁଥିବା ବ୍ୟବସାୟୀଙ୍କ ବିରୁଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବାତ୍ୟା,ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ହଇରାଣ କରନ୍ତୁ ନାହିଁ ବ୍ୟବସାୟୀ” । କଟକ ମାଲଗୋଦାମ ଓ ଛତ୍ର ବଜାର ଆସି ଯାଞ୍ଚ କରିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ବିଶେଷ କରି ମାଲଗୋଦାମରେ ଚଢ଼ା ଦରରେ ସାମଗ୍ରୀ ବିକ୍ରି ଅଭିଯୋଗ ପାଇ ଆସିଥିବା ମନ୍ତ୍ରୀ କହିଥିବା ବେଳେ, ମନ୍ତ୍ରୀଙ୍କୁ ମିସ ଗାଇଡ କରାଯାଇ ଭୁଲ୍ ତଥ୍ୟ ଦିଆଯାଇଛି, କୌଣସି ଅନିୟମିତତା ନାହିଁ ବୋଲି କହିଛି କଟକ ବଣିକ ସଂଘ । କିଛି ଡାଲି ବ୍ୟବସାୟୀଙ୍କ ସମେତ ମୋଟ ପାଞ୍ଚ ଜଣ ବ୍ୟବସାୟୀଙ୍କୁ ନୋଟିସ ଜାରି କରାଯାଇଥିବା ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ।

ହଠାତ୍ ଗୁରୁବାର ସନ୍ଧ୍ୟାରେ ମାଲଗୋଦାମ ଓ ଛତ୍ର ବଜାର ଆସି ଯାଞ୍ଚ କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ । ମାଲଗୋଦାମର ପ୍ରାୟ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ୍ ଥିବା ବେଳେ,ଏକ ଚୁଡ଼ା ଗୋଦାମରେ ପଶି ଯାଇଥିଲେ ମନ୍ତ୍ରୀ । କେତେ ଦରରେ ବିକ୍ରି ହେଉଛି, ଷ୍ଟକ୍ କେତେ ଅଛି ପଚାରି ବୁଝିଥିଲେ ମନ୍ତ୍ରୀ ।

ସୂଚନା ଫଳକରେ ସାମଗ୍ରୀ ଦର ଉଲ୍ଲେଖ କରିବାକୁ କହିଥିଲେ ମନ୍ତ୍ରୀ । କିଛି ଅଭିଯୋଗ ପାଇ ଯାଞ୍ଚ କରିବାକୁ ଆସିଥିଲି । ଚଢ଼ା ଦରରେ ସାମଗ୍ରୀ ବିକ୍ରି ହେଉଥିବା ଅଭିଯୋଗ ପାଇ ଆସିଛି । ସେଭଳି କିଛି ଅନିୟମିତତା ପାଇଲି ନାହିଁ । ଗୋଦାମର ପ୍ରାୟ ଦୋକାନ ବନ୍ଦ୍ ରହିଛି । ବୋଧ ହୁଏ ମୋ ଆସିବା ଖବର ଆଗରୁ ଲିକ ହୋଇ ଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ମାଲ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି । କଳାବଜାରୀକୁ ବରଦାସ୍ତ୍ କରାଯିବ ନାହିଁ । ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ହଇରାଣ ନ କରି ବ୍ୟବସାୟୀ ସହଯୋଗ କରନ୍ତୁ ବୋଲି କହିଛନ୍ତି ମନ୍ତ୍ରୀ । ମୋଟ ପାଞ୍ଚ ଜଣ ବ୍ୟବସାୟୀଙ୍କୁ ନୋଟିସ ଜାରି କରାଯାଇଥିବା ସୂଚନା ମିଳିଛି ।

ତାଙ୍କ ବିରୁଦ୍ଧରେ ଅନିୟମିତତା ଅଭିଯୋଗ ଆଧାରରେ ଜାରି ହୋଇଛି ନୋଟିସ ।  ଏହା ଭିତରେ କିଛି ଡାଲି ବ୍ୟବସାୟୀ ରହିଥିବା ସୂଚନା ମିଳିଛି । ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଅଧୀନରେ ଏହି ନୋଟିସ ଜାରି କରାଯାଇଛି । ଯୋଗାଣ ମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଛି କଟକ ବଣିକ ସଙ୍ଘ । ମନ୍ତ୍ରୀଙ୍କୁ ମିସ ଗାଇଡ କରାଯାଇଛି ।

ଭୁଲ୍ ତଥ୍ୟ ଦିଆଯାଇଛି । ସରକାର ସଜାଗ ହେବାର ଯଥେଷ୍ଟ ପୂର୍ବରୁ ଆମେ ବ୍ୟବସାୟୀମାନଙ୍କୁ ତାଗିଦ୍ କରିଥିଲୁ । କୌଣସି ପ୍ରକାର ଅନିୟମିତତା ମାଲଗୋଦାମ ବ୍ୟବସାୟୀ କରୁ ନାହାନ୍ତି । ଯଦି ପ୍ରମାଣ ମିଳେ ସେଥିପାଇଁ କଟକ ବଣିକ ସଂଘ ଦାୟୀ ରହିବ । ଆମେ ବ୍ୟବସାୟ ଛାଡ଼ି ଦେବୁ ବୋଲି ସଂଘର ବରିଷ୍ଠ କର୍ମକର୍ତ୍ତା କହିଛନ୍ତି  ।

 

 

You might also like