ନବ ଦାସଙ୍କୁ ହତ୍ୟାର ତଦନ୍ତରେ ମିଳିଲା ବଳିଷ୍ଠ ପ୍ରମାଣ: ଗୋପାଳ ହାତଲେଖା କାଗଜକୁ ଜବତ କରିଛି କ୍ରାଇମବ୍ରାଞ୍ଚ
କେନ୍ୟୁଜ (ବ୍ୟୁରୋ): ନବ ଦାସଙ୍କୁ ହତ୍ୟାର ତଦନ୍ତରେ ମିଳିଲା ବଳିଷ୍ଠ ପ୍ରମାଣ । ନବଙ୍କ ଛାତିରେ ବାଜିଥିବା ଗୁଳି କୁଆଡ଼େ ଗଲା ବୋଲି ତନାଘନା ଚାଲିଥିବା ବେଳେ ଗୋଟିଏ ଫୁଟିଥିବା ଗୁଳି ପାଇଛି କ୍ରାଇମବ୍ରାଞ୍ଚ । ଫାରୋ 3D ସ୍କାନରରେ ସାଇଣ୍ଟିଫିକ୍ ଓ ବାଲିଷ୍ଟିକ ଏକ୍ସପର୍ଟ ଟିମ୍ ନବ ଦାସଙ୍କ କାର୍ ଓ କ୍ରାଇମ୍ ସ୍ପଟ୍ରେ ଯାଞ୍ଚ ବେଳେ ଏହି ଫୁଟିଥିବା ଗୁଳି ପାଇଛନ୍ତି । ସେହିପରି ଗୋପାଳ ହତ୍ୟା ପଛର ବିସ୍ତୃତ ଉଦ୍ଦେଶ୍ୟ ଲେଖିଥିବା ହାତଲେଖା କାଗଜକୁ ଜବତ କରିଛି କ୍ରାଇମବ୍ରାଞ୍ଚ । ଝାରସୁଗୁଡ଼ା ଏୟାରପୋର୍ଟ ପୋଲିସ ଷ୍ଟେସନର ଟଏଲେଟରେ କାଗଜକୁ ସେ ପକାଇ ଦେଇଥିଲା । ସେଥିରେ ସବୁ କଥା ଲେଖିଥିଲା ଗୋପାଳ ।
ରିମାଣ୍ଡରେ ନେଇ ଜେରା ବେଳେ କ୍ରାଇମବ୍ରାଞ୍ଚକୁ ଏକଥା କହିଥିଲା ଗୋପାଳ । ଏହାପରେ ପାଇଖାନା ଟାଙ୍କିକୁ ଖୋଳି କାଗଜ ଟୁକୁଡ଼ା ଜବତ କରାଯାଇଛି । ସେସବୁକୁ ଯୋଡ଼ିବା ଓ ପରୀକ୍ଷଣ ପାଇଁ ଫୋରେନସିକ୍ ଓ ହ୍ୟାଣ୍ଡ ରାଇଟିଂ ଏକ୍ସପର୍ଟଙ୍କ ପାଖକୁ ପଠାଯିବ । ସେହିପରି ନବ ଦାସଙ୍କ ସଂରକ୍ଷିତ ଭିସେରା ନମୁନାକୁ ରସାୟନିକ ପରୀକ୍ଷଣ ଭୁବନେଶ୍ୱର ରସୁଲଗଡ଼ ସ୍ଥିତ ଷ୍ଟେଟ ଫୋରେନସିକ ଲାବକୁ ପଠାଯିବ । ଅନ୍ୟପଟେ ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚର ଗୋଟିଏ ଟିମ୍ ଗୋପାଳର ଚିକିତ୍ସା ରେକର୍ଡ ଓ ଆର୍ଥିକ କାରବାରର ଖୋଳତାଡ କରୁଛି । ଏଥିସହ ଅଭିଯୁକ୍ତର ନିକଟ ସମ୍ପର୍କୀୟଙ୍କୁ କରାଯାଉଛି ପଚରାଉଚରା । କ୍ରାଇମ୍ ସ୍ପଟରେ କ୍ୟାମ୍ପେନ୍ କରି ତଦନ୍ତର ଅନୁଧ୍ୟାନ କରୁଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା । .