ଷ୍ଟଡ଼ିଟୁର୍ରେ ଆସି ସମୁଦ୍ରରେ ଭାସିଗଲେ ଛାତ୍ର, କଲେଜ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ପରିବାର ଲୋକେ

ବ୍ରହ୍ମପୁର : ପୁଅ ଯାଇଥିଲା ଷ୍ଟଡ଼ିଟୁର୍ । ଏପଟେ ପରିବାର ଲୋକେ ପୁଅର ଫେରିବା ବାଟକୁ ଚାହିଁ ରହିଥିଲେ। ସମସ୍ତେ ଅପେକ୍ଷା କରିଥିଲେ ଭାବିଥିଲେ କିଛି ସମୟ ପରେ ଷ୍ଟଡ଼ିଟୁର୍ ସାରି ଘରକୁ ଫେରିବ ପୁଅ । କିନ୍ତୁ ଘରକୁ ଫେରିନଥିଲା ପୁଅ । ଠିକ୍ ସେହି ସମୟରେ ହଠାତ୍ ଆସିଥିଲା ଗୋଟାଏ ଫୋନ୍ କଲ୍ । କହିଲେ ତମ ପୁଅ ମେଡିକାଲରେ ଅଛି ତୁରନ୍ତ ଆସି ଦେଖ ତମ ପୁଅକୁ । ଏତିକି ଶୁଣିବା ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ଯେତେବେଳେ ପରିବାର ଲୋକେ ମେଡିକାଲ ଆସି ପୁଅକୁ ଦେଖିଥିଲେ ସେତେବେଳେ ପୁଅ ମୃତ ଅବସ୍ଥାରେ ପଡ଼ି ରହିଥାଏ । ତା’ ପରେ କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା ପୁରା ପରିପେବେଶ । ପୁଅକୁ ହରାଇ କାହାରି ଧୈର୍ଯ୍ୟ ରହୁନଥାଏ। ହଁ ଆଜ୍ଞା, ଷ୍ଟଡ଼ିଟୁର୍ରେ ଆସି ସମୁଦ୍ରରେ ଭାସିଗଲେ ଛାତ୍ର । କଲେଜ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ତାଙ୍କ ପରିବାର ଲୋକେ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଗୋପାଳପୁର ଥାନା ଅନ୍ତର୍ଗତ ଧବଳେଶ୍ବରରୁ ।
ଗତକାଲି ଖୋର୍ଦ୍ଧା ସ୍ଥିତ ପ୍ରାଣନାଥ ମହାବିଦ୍ୟାଳୟର ଇଲୋକ୍ଟ୍ରୋନିକ୍ସ ବିଭାଗର ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ଧବଳେଶ୍ବର ଯାଇଥିଲେ । ସେଠାରେ ମନ୍ଦିର ଦର୍ଶନ କରିବା ପରେ କିଛି ଛାତ୍ର ଧବଳେଶ୍ବର ସମୁଦ୍ରରେ ଗାଧୋଉଥିବା ବେଳେ ସେଥିମଧ୍ୟରୁ ସୋମନାଥ ପରିଡ଼ା ସମୁଦ୍ରରେ ବୁଡ଼ିଯାଇଥିଲେ । ସୋମାନଙ୍କ ସାଙ୍ଗ ମାନେ ତାଙ୍କୁ ଉଦ୍ଧାର କରିବା ନିମନ୍ତେ ବହୁତ ଚେଷ୍ଟା କରିଥିଲେ ସୁଦ୍ଧା ବିଫଳ ହୋଇଥିଲେ । ଦୀର୍ଘ ସମୟ ପରେ ମତ୍ସ୍ୟଜୀବୀଙ୍କ ଦ୍ବାରା ସମୁଦ୍ରରୁ ସୋମନାଥ ଉଦ୍ଧାର ହୋଇଥିବା ବେଳେ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ପଠାଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୋମନାଥଙ୍କ ମୃତ୍ୟୁ ହେବା ପରେ କଲେଜ ପକ୍ଷରୁ ତାଙ୍କ ପରିବାର ଲୋକଙ୍କୁ ଅବଗତ କରାଯାଇଥିଲା । ଏହାପରେ ପରିବାର ଲୋକେ ଏମକେସିଜି ମେଡ଼ିକାଲରେ ପହଞ୍ଚିବା ପରେ ସୋମନାଥଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯାଇଥିଲା । ସୋମନାଥଙ୍କ ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନାହାନ୍ତି ତାଙ୍କ ପରିବାର ଲୋକେ । କଲେଜ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ହିଁ ସୋମନାଥଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।
ତେବେ ଷ୍ଟଡ଼ିଟୁରରେ ସମୁଦ୍ରକୁ ଯିବା କଥା ନେଇ ତାଙ୍କ ପରିବାର ଲୋକଙ୍କୁ ଜଣାଯାଇନଥିଲା । ଯଦି ସମୁଦ୍ରକୁ ଯିବାର ଥାନ୍ତା ତେବେ ପରିବାର ଲୋକେ ସୋମନାଥଙ୍କୁ ଷ୍ଟଡ଼ିଟୁରରେ ଛାଡ଼ିନଥାନ୍ତେ । ଏହାଛଡ଼ା ଛାତ୍ର ମାନଙ୍କୁ ଷ୍ଟଡ଼ିଟୁର ବାଧ୍ୟତାମୂଳକ କରାଯାଇଥିଲା । ଷ୍ଟଡ଼ିଟୁରରେ ନ ଗଲେ ମାର୍କ ଦିଆଯିବ ନାହିଁ ବୋଲି କହିଥିଲେ କଲେଜ କର୍ତ୍ତୃପକ୍ଷ । ତେଣୁ ସୋମନାଥଙ୍କ ମୃତ୍ୟୁ ପଛରେ କଲେଜ କର୍ତ୍ତୃପକ୍ଷଙ୍କ ଅବହେଳା ରହିଥିବା ଯୋଗୁଁ ଛାତ୍ରଛାତ୍ରୀଙ୍କୁ ଧବଳେଶ୍ବର ନେଇ ଯାଇଥିବା ତିନି କଲେଜ ଅଧ୍ୟାପକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିଆଯାଉ ବୋଲି ଦାବି କରିଛନ୍ତି ସୋମନାଥଙ୍କ ମାମୁଁ । ସେପଟେ କୌଣସି ଛାତ୍ରଛାତ୍ରୀଙ୍କୁ ଷ୍ଟଡ଼ିଟୁର ବାଧ୍ୟତାମୂଳକ କରାଯାଇନଥିଲା । ଛାତ୍ର ମାନେ ବିନା ଅନୁମତିରେ ଲୁଚି ଲୁଚି ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ ବୋଲି କହିଛନ୍ତି କଲେଜର ଅଧ୍ୟାପକ । ସୋମନାଥଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଆଧାର କରି ଗୋପାଳପୁର ଥାନାରେ ଏକ ମାମଲା ରୁଜୁ ହୋଇଛି । ତଦନ୍ତ ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସପି ।