କାଣ୍ଡିଆ ଜଳପ୍ରପାତରେ ଅଘଟଣ, ପିକନିକ ବୁଲିବାକୁ ଆସି ବୁଡ଼ିଗଲେ ଛାତ୍ର
ସେଲ୍ଫି ଉଠାଇବା ହେଲା କାଳ । ପିକନିକ କରିବାକୁ ଆସିଥିବାବେଳେ ପାଣିରେ ବୁଡି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି । ସମସ୍ତଙ୍କୁ ଲାଗିଛି ପିକନିକ୍ ନିଶା । ପିକନିକ୍ ବୁଲିବା ଆଉ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିବା । ଏହି ଫଟୋ ଯେ କିଛି ଲୋକଙ୍କ ପାଇଁ କାଳ ସାଜୁଛି ତାହା ଏହି ଦୁର୍ଘଟଣାରୁ ସ୍ପଷ୍ଟ ହେଉଛି ।
ଜଣେ ଛାତ୍ର ସାଙ୍ଗମାନଙ୍କ ସହ ପିକନିକ କରିବାକୁ ଆସିଥିଲେ । ଆଉ ଏଇ ପିକନିକ ଯେ ତାଙ୍କ ଶେଷ ପିକନିକ ହେବ ସେ କେବେ ବି ଭାବି ନଥିଲେ । ସୁନ୍ଦର ସ୍ଥାନ ଦେଖି ଫଟୋ ଉଠାଇବା ପାଇଁ ବାହାରିଥିଲେ ଛାତ୍ର । କିନ୍ତୁ ସାମାନ୍ୟ ଅସାବଧାନତା କାରଣରୁ ଜଳପ୍ରପାତରେ ପଡ଼ି କେଉଁ ଆଡ଼େ ନିଖୋଜ ହୋଇଯାଇଥିଲେ । ସାଙ୍ଗ ବୁଡ଼ିଯାଇଥିବା ଜାଣିପାରି ସଙ୍ଗେସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ତାପରେ ଆରମ୍ଭ ହୋଇଥିଲା ଖୋଜାଖୋଜି ।
ପ୍ରାୟ ୨୦ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପରେ ଛାତ୍ରଙ୍କ ମୃତଦେହକୁ ଉଦ୍ଧାର କରିଛି ଓଡ୍ରାଫ ଟିମ । ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସ୍ଥିତ କାଣ୍ଡିଆ ଜଳପ୍ରପାତକୁ ପିକନିକ ଆସିଥିବାବେଳେ ଏପରି ଅଘଟଣ ଘଟିଛି । ମୃତକ ଜଣକ ହେଉଛନ୍ତି ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ନରସିଂହପୁର ଗାଁର ଦେବକାନ୍ତ ନାୟକଙ୍କ ପୁଅ ନିଶିକାନ୍ତ ନାୟକ(୧୭)।
ନିଶିକାନ୍ତ ଉପେନ୍ଦ୍ର ସାରଦା ମହାବିଦ୍ୟାଳୟର ଯୁକ୍ତ ଦୁଇ ବିଜ୍ଞାନର ପ୍ରଥମ ବର୍ଷ ଛାତ୍ର । ସ୍ଥାନୀୟ ଗାଁର ଏକ କୋଚିଂ ସେଣ୍ଟରରେ ପାଠ ପଢୁଥିଲେ । ରବିବାର କୋଚିଂ ସାଙ୍ଗମାନଙ୍କ ସହ ପିକନିକ ପାର୍ଇ ବାହାରିଥିଲେ । ସେଠାରେ ପହଞ୍ଚି ସେଲ୍ଫି ନେଉଥିବା ବେଳେ ଅସାବଧାନତା କାରଣରୁ ସେ ପାଣିରେ ବୁଡି ନିଖୋଜ ହୋଇ ଯାଇଥିଲେ । ଗତକାଲି ଠାରୁ ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ରବିବାର ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଘଟଣା ଘଟିଥିବା ବେଳେ ଆଜି ସକାଳ ପ୍ରାୟ ୮ଟାରେ ମୃତଦେହ ପାଣି ଭିତରୁ ଉଦ୍ଧାର ହୋଇଛି । ବ୍ୟବଚ୍ଛେଦ ପାଇଁ ମୃତଦେହ ହସ୍ପିଟାଲକୁ ପଠାଯାଇଛି ।
ନିଶିକାନ୍ତଙ୍କୁ ବୟସ ମାତ୍ର ୧୭ ହୋଇଥିଲା । କିନ୍ତୁ ପିକନିକ ନିଶା ଯେ ତାଙ୍କ ଜୀବନ ନେଇଯିବ କେହି କେବେ ଭାବି ବି ନଥିଲେ । ଦର୍ଶକ ବନ୍ଧୁ ଦେଖିଲେ ତ ପିକନିକରେ କେମିତି ଅଘଟଣ ଘଟୁଛି । ତେଣୁ ଆପଣ ପିକନିକ ଯାଆନ୍ତୁ ଫଟୋ ଉଠାନ୍ତୁ ମନା ନାହିଁ । କିନ୍ତୁ ବିପଦପୂର୍ଣ୍ଣ ସ୍ଥାନକୁ ଯାଇ ଫଟୋ ଉଠାଇବା ଠାରୁ ଦୂରେଇ ରୁହନ୍ତୁ । ଏଭଳି କରିବା ଦ୍ବାରା ଆପଣ ନିଜ ଜୀବନ ସହ ପରିବାର ଲୋକଙ୍କ ଜୀବନକୁ ବି ସୁରକ୍ଷିତ ରଖି ପାରିବେ ।