ପୁଣି ଘରୋଇ କଲେଜ ହଷ୍ଟେଲରେ ଜୀବନ ହାରିଲେ ଛାତ୍ର

ଯାଜପୁର ରୋଡ(କେନ୍ୟୁଜ୍): ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରଙ୍କ ଆତ୍ମହତ୍ୟା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ରୋଡ ଥାନା ଦଳା ସ୍ଥିତ ଏକ ଘରୋଇ କଲେଜ ହଷ୍ଟେଲରେ। ତେବେ ଏଯାଏ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନା ମୁତାବକ କେନ୍ଦୁଝର ଜିଲ୍ଲା କେଶଦୁରପାଳ ଗାଁର ଚତୁର୍ଭୁଜ ଓଝାଙ୍କ ପୁଅ ତ୍ରିଲୋଚନ ଓଝା ଏକ ଘରୋଇ କଲେଜରେ ପାଠ ପଢ଼ିବା ପାଇଁ ଦଳା ସ୍ଥିତ ଏକ ହଷ୍ଟେଲରେ ରହୁଥିଲେ । ତେବେ ଗତକାଲି ବିଳମ୍ବିତ ରାତିରେ କୌଣସି ମାନସିକ ଚାପରେ ରହି ଛାତ୍ର ଜଣକ ଆତ୍ମହତ୍ୟା କରିବାକୁ ଉଦ୍ଯମ କରିଥିଲେ । ତେବେ ଏହାକୁ ଦେଖି ହଷ୍ଟେଲରେ ରହୁଥିବା ଛାତ୍ର ମାନେ ହଷ୍ଟେଲ କର୍ତୃପକ୍ଷଙ୍କୁ ଜଣାଇଥିଲେ। ତେବେ ହଷ୍ଟେଲ କର୍ତୃପକ୍ଷ ତୁରନ୍ତ ତ୍ରିଲୋଚନଙ୍କୁ ଚିକିତ୍ସା ପାଇଁ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଆସିଥିଲେ।
ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କଲାପରେ ମୃତ ଘୋଷଣା କରିଥିଲେ। ତେବେ କଲେଜ ପକ୍ଷରୁ ଥାନାକୁ ଖବର ଦେବା ପରେ ପୋଲିସ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ସେପଟେ ଘଟଣାର ତଦନ୍ତ ସରିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ସୂଚନା ଦେଇଛନ୍ତି।