ଷ୍ଟଡିଟୁରରେ ଆସି ସମୁଦ୍ରରେ ଭାସିଗଲେ ଛାତ୍ର, କର୍ତ୍ତୃପକ୍ଷଙ୍କ ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକ

ଖୋର୍ଦ୍ଧା : ଷ୍ଟଡିଟୁରରେ ଆସି ସମୁଦ୍ରରେ ଭାସିଗଲେ ଛାତ୍ର । କଲେଜ କର୍ତ୍ତୃପକ୍ଷଙ୍କ ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକ । ମୃତ ଛାତ୍ର ସୋମନାଥ ପରିଡ଼ା । ଖୋର୍ଦ୍ଧା ପିଏନ୍ ମହାବିଦ୍ୟାଳୟର ଇଲେକ୍ଟ୍ରୋନିକ୍ସ ବିଭାଗର ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ବ୍ରହ୍ମପୁର ଗୋପାଳପୁର ଥାନା ଅନ୍ତର୍ଗତ ଧବଳେଶ୍ୱରରୁ ଯାଇଥିଲେ ।
ମନ୍ଦିର ପରିଦର୍ଶନ କରିବା ପରେ କିଛି ଛାତ୍ର ସମୁଦ୍ରରେ ଗାଧୋଇବାକୁ ଯାଇଥିଲେ । ଅସାବଧନତା ଯୋଗୁ ସୋମନାଥ ପରଡ଼ା ସମୁଦ୍ରରେ ବୁଡ଼ିଯାଇଥିଲେ । ତାଙ୍କୁ ସତ୍ସ୍ୟଜୀବୀମାନେ ସମୁଦ୍ରରୁ ଉଦ୍ଧାର କରିବା ପରେ ବ୍ରହ୍ମପୁର MKCGକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ମୃତ ଛାତ୍ରଙ୍କ ପରିବାର ଲୋକ ପହଞ୍ଚିବା ପରେ ବ୍ୟବଚ୍ଛେଦ ହୋଇଥିଲା । ତେବେ ସୋମନାଥଙ୍କ ମୃତ୍ୟୁକୁ ନେଇ କଲେଜ କର୍ତ୍ତୃପକ୍ଷରୁ ଦାୟୀ କରିଛନ୍ତି ପରିବାର ଲୋକ । ଛାତ୍ରଙ୍କୁ ଷ୍ଟଡ଼ିଟୁର ବାଧ୍ୟତାମୂଳକ କରାଯାଇଥିଲା । ଷ୍ଟଡ଼ିଟୁରରେ ନ ଗଲେ ମାର୍କ ଦିଆଯିବ ନାହିଁ ବୋଲି କଲେଜ କର୍ତ୍ତୃପକ୍ଷ କହିଥିବା ଅଭିଯୋଗ କରିଛନ୍ତି ମୃତ ଛାତ୍ରଙ୍କ ପରିବାର ଲୋକେ ।
ଅନ୍ୟପଟେ କୌଣସି ଛାତ୍ରଛାତ୍ରୀଙ୍କୁ ଷ୍ଟଡ଼ିଟୁର ବାଧ୍ୟତାମୂଳକ କରାଯାଇନଥିଲା । ବିନା ଅନୁମତିରେ ଲୁଚି ଲୁଚି ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ ବୋଲି କହିଛନ୍ତି କଲେଜର ଅଧ୍ୟାପକ । ମୃତ ଛାତ୍ର ସୋମନାଥଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଆଧାର କରି ଏକ ମାମଲା ରୁଜୁ କରିଛି ଗୋପାଳପୁର ପୋଲିସ ।