ପ୍ରଧାନଶିକ୍ଷକଙ୍କ ମାଡରେ ଆହତ ହେଲେ ଛାତ୍ର, ଅଭିଯୋଗ କଲେ ଅଭିଭାବକ

ପ୍ରଧାନଶିକ୍ଷକଙ୍କ ମାଡରେ ଆହତ ହେଲେ ଛାତ୍ର । ସ୍କୁଲରୁ ହସ୍ପିଟାଲକୁ ନେଇଗଲେ ଅଭିଭାବକ । ଆଉ ଚିକିତ୍ସା ପରେ ଘରକୁ ଫେରିଛି ପୁଅ । କିନ୍ତୁ ପୁଅର ଏଭଳି ଅବସ୍ଥା ଦେଖି ନ୍ୟାୟ ପାଇଁ ଥାନାରେ ପହଞ୍ଚିଥିଲେ ଅଭିଭାବକ ।

ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ଅଧିନରେ ଥିବା ହାଜିରହିମିଆଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଘଟିଛି ଅଭାବନୀୟ ଘଟଣା । ଛାତ୍ର ଜଣକ ହେଲେ ବ୍ରହ୍ମବରଦା ଗାଁର ଫରିଦା ଖାତୁନଙ୍କ ପୁଅ ଆବେଜ୍ । ଆବେଜ ବୁଧବାର ଦିନ ହାଜିରହିମିଆଁ ଉଚ୍ଚ ବିଦ୍ୟାଳୟକୁ ପାଠ ପଢିବାକୁ ଯାଇଥିଲେ । ତେବେ ଖେଳ ଛୁଟିରେ ଆବେଜ ଓ ତାର ସହପାଠୀ ଅମିନୁଲଙ୍କ ମଧ୍ୟରେ ଝଗଡା ହୋଇଥିଲା । ଅମିନୁଲ ଆବେଜ ଉପରକୁ ପିନ୍ଧିଥିବା ଚପଲ ଫିଙ୍ଗିଥିଲା । ଫଳରେ ଆବେଜ୍ ଉତ୍ୟକ୍ତ ହୋଇ ଏକ ଟେକା ଅମିନୁଲଙ୍କୁ ଉପରକୁ ଫିଙ୍ଗି ଥିଲା । ଫଳରେ ଅମିନୁଲଙ୍କ ମୁଣ୍ଡ ଫାଟି ଯାଇଥିଲା । ଘଟଣା ବିଷୟରେ ଜାଣି ବିଦ୍ୟାଳୟର ପ୍ରଧାନଶିକ୍ଷକ ଆଲୋକ ବିଶ୍ୱାଳ ଉଭୟ ଛାତ୍ରଙ୍କୁ ଡକାଇଥିଲେ । ଆଉ ଆବେଜ୍‌ଙ୍କୁ ମାଡ ମାରିଥିଲେ ପ୍ରଧାନଶିକ୍ଷକ । ପରେ ଖବର ପାଇ ଆବେଜର ମା’ ଫରିଦା ବିଦ୍ୟାଳୟରେ ପହଞ୍ଚି ଉଭୟ ଛାତ୍ରଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଅମିନୁଲଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଆବେଜ ମେଡିକାଲରୁ ସୁସ୍ଥ ହୋଇ ଫେରିଥିବା ଜଣାପଡିଛି । ଗତକାଲି ମେଡିକାଲରୁ ଫେରିବା ପରେ ଫରିଦା ଏନେଇ ପ୍ରଧାନଶିକ୍ଷକଙ୍କ ବିରୁଦ୍ଧରେ ଏତଲା ଦେଇଛନ୍ତି । ଏସମ୍ପର୍କରେ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କ ପ୍ରତିକ୍ରିୟା ମିଳିପାରିନଥିବା ବେଳେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

ଏଘଟଣାରେ କେତେ ସତ କେତେ ମିଛି ତାହା ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ପୋଲିସ ପ୍ରଧାନ ଶିକ୍ଷକଙ୍କୁ ପଚରାଉଚରା କରିବା ସହ ସାକ୍ଷ୍ୟ ପ୍ରମାଣ ଓ ଇଞ୍ଜୁରୀ ରିପୋର୍ଟ ଆଧାରରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବ୍ରହ୍ମବରଦା ଥାନା ଅଧିକାରିଣୀ ଅଂଶୁମାଳା ଦାସ ।

You might also like