ସମର କୋର୍ସ କରିବାକୁ ଯାଇଥିଲା ପୁଅ, ହଷ୍ଟେଲରେ ଶୋଇଥିବାବେଳେ ଚାଲିଗଲା ଜୀବନ

କେନ୍ଦୁଝର: ଏଇତ ରାତିରେ ଫୋନ୍ କରିଥିଲା । ମୋ ସହିତ ତା ମାଆ ସହିତ କେଇ ସମୟ ଧରି କଥା ହୋଇଥିଲା । ହେଲେ ଏମିତି ରାତିଟା ଭିତରେ କଣ ହୋଇଗଲା ଯେ ତା ପ୍ରାଣ ବାୟୁ ଉଡିଗଲା । ଏମିତି କିଛି କହି ଛାତି ଫଟା ଚିତ୍କାର କରି କାନ୍ଦୁଛନ୍ତି ବାପା । ବନ୍ଧୁ ପରିଜନ ସଭିଏଁ ତାଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି, ହେଲେ ବାପା ମନ କେମିତି ବା ବୁଝିବ । ତାଙ୍କ ସାହା ଭରଷା ତାଙ୍କ ଏକୋଇର ବଳା ବିଶିକେସନ ପା ଏ ଦୁନିଆରେ ଆଉ ନାହିଁ । ପୁଅ ପାଠ ପଢିବ ବଡ ମଣିଷ ହବ ସେଇ ଆଶା ନେଇ ପୁଅକୁ ବଡ କଲେଜକୁ ପାଠ ପଢିବାକୁ ଛାଡିଥିଲେ, ହେଲେ ଅଧା ରହିଗଲା ସବୁ ସ୍ୱପ୍ନ । ଭାବିଥିଲେ କଣ ଆଉ ହେଇଗଲା କଣ?
କେନ୍ଦୁଝର ସହର ସ୍ଥିତ ଏକ ରେସିଡେନସିଆଲ କଲେଜ ହଷ୍ଟେଲରେ ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣା । ଜଣେ ଛାତ୍ରଙ୍କ ଅସ୍ୱାଭାବିକ ଭାବେ ମୃତ୍ୟୁ ଘଟିଛି । ମୃତ ଛାତ୍ର ଜଣକ ହେଲେ ପାଟଣା ଥାନା ଟାଙ୍ଗରପଡା ଗ୍ରାମର ଜଗବନ୍ଧୁ ମହାନ୍ତଙ୍କ ପୁଅ ଜଳଧର ମହାନ୍ତ । ଏଯାଏ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଯାହା ସୂଚନା ମିଳିଛି, ଏହି ରେସିଡେନ୍ସିଆଲ କଲେଜ ହଷ୍ଟେଲରେ ରହି ସମର କୋର୍ସ କରୁଥିଲେ ଜଳଧର । ହେଲେ ଗତକାଲି ରାତିରେ ରାତ୍ରୀ ଭୋଜନ ପରେ ଶୋଇଥିବା ଅବସ୍ଥାରେ ଚାଲିଗଲା ଜୀବନ ।
ଯାହା ଖବର ମିଳିଛି, ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଜଳଧର ସବୁଦିନ ପରି ସାଙ୍ଗମାନଙ୍କ ସହ ଖାଇ ପିଇ ଶୋଇଥିବାବେଳେ ରାତି ପ୍ରାୟ ୧ ଟା ବେଳେ ସାଙ୍ଗମାନେ ଦେଖିବାକୁ ପାଇଥିଲେ ସେ ନିଜ ଖଟରେ ନଶୋଇ ଆଉ ଏକ ଖଟରେ ଶୋଇଛନ୍ତି । ତାଙ୍କୁ ଥଟ୍ଟା ମଜାରେ ଡାକିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଯେତେ ଡାକିଲେବି ଆଉ ଉଠିନଥିଲେ ଜଳଧର ।
ଏନେଇ ତୁରନ୍ତ ଖବରପାଇ କଲେଜ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଁଚି ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏପଟେ ପରିବାର ଲୋକ ଜଳଧରଙ୍କ ମୃତ୍ୟୁକୁ ନେଇ ଉଚିତ୍ ତଦନ୍ତ ଦାବି କରିଥିବାବେଳେ କଲେଜ ଅଧ୍ୟାପକ କହିଛନ୍ତି ପୋଷ୍ଟ ମଟର୍ମ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ । ଆସିଥିଲେ ସମର କୋର୍ସ କରିବାକୁ ହେଲେ ଘରକୁ ଫେରିବା ପୂର୍ବରୁ ଚାଲିଗଲେ ଅଫେରା ରାଇଜକୁ । ମୃତ୍ୟୁ ପଛର କାରଣ ତାହାତ ତଦନ୍ତ ପରେ ସାମ୍ନାକୁ ଆସିବ, ହେଲେ ଜଳଧରଙ୍କୁ ହରାଇ ଭାଙ୍ଗିପଡିଛି ପରିବାର । ଗାଁରେ ଖେଳିଯାଇଛି ଶୋକର ଛାୟା ।
ଆହୁରି ପଢନ୍ତୁ: ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ସ୍କୁଲ ବନ୍ଦ ନିଷ୍ପତ୍ତି, ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲା ରାଜସ୍ଵ ବିଭାଗ