ଉପାନ୍ତରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ଜଣେ ମାତ୍ର ଶିକ୍ଷକରେ ଚାଲିଛି ହାଇସ୍କୁଲରେ ପାଠ ପଢ଼ା

କଣ୍ଟାବାଞ୍ଜି: ଛାତ୍ରଛାତ୍ରୀ ଅଛନ୍ତି । ସ୍ମାର୍ଟସ୍କୁଲ ବି ଅଛି । କିନ୍ତୁ ସ୍କୁଲରେ ଅଛନ୍ତି ମାତ୍ର ଜଣେ ଶିକ୍ଷକ । ଜଣେ ଶିକ୍ଷକଙ୍କୁ ନେଇ ଚାଲିଛି ପାଠ ପଢ଼ା । ଆଗକୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମାଟ୍ରିକ୍ ପରୀକ୍ଷା କିନ୍ତୁ ପିଲାଙ୍କ ପାଠ ପଢ଼ିବା ପାଇଁ ବ୍ୟବସ୍ଥା ନାହିଁ । ଉପାନ୍ତ ଅଞ୍ଚଳରେ ଦେଖାଦେଇଛି ଏଭଳି ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା । ମାତ୍ର ଜଣେ ଶିକ୍ଷକରେ ଚାଲିଛି ହାଇସ୍କୁଲ । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଉପାନ୍ତ ବିରିପାଲି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ମାତ୍ର ଜଣେ ଶିକ୍ଷକ ପାଠ ପଢ଼ାଉଛନ୍ତି ।
ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଉପାନ୍ତ ଇଲାକାରେ ଅଛି ବିରିପାଲି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ । ଏହି ବିଦ୍ୟାଳୟ ୧୯୮୪ ମସିହାରେ ସ୍ଥାପିତ ହୋଇଥିଲା । ହେଲେ ଧୀରେ ଧୀରେ ଏହି ବିଦ୍ୟାଳୟରେ କାର୍ଯ୍ୟରତ ବିଭିନ୍ନ ଶିକ୍ଷକମାନେ ଅବସର ନେବା ପରେ ଏବେ ଜଣେ ଶିକ୍ଷକ ଓ ଜଣେ ପିଅନରେ ଚାଲିଛି ବିଦ୍ୟାଳୟ । ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀ ଥିବାବେଳେ ମୋଟ ୬୨ ଜଣ ଛାତ୍ର ଛାତ୍ରୀମାନେ ପାଠ ପଢୁଛନ୍ତି । ମୁଖ୍ୟତଃ ଗଣିତ ଓ ବିଜ୍ଞାନ ବିଷୟରେ ପାଠ ପଢା ଯାଉଥିବା ବେଳେ ଅନ୍ୟ ବିଷୟରେ ପାଠ ପଢ଼ାଇବା ପାଇଁ ଶିକ୍ଷକ ନାହାନ୍ତି । ଯାହା ଦ୍ୱାରା ଛାତ୍ରଛାତ୍ରୀ ମାନେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ।
ବିଦ୍ୟାଳୟରେ ଅନେକ ବର୍ଷ ହେଲା ଜଣେ ମାତ୍ର ଶିକ୍ଷକରେ ପାଠ ପଢ଼ା ଚାଳିଛି । ବିଦ୍ୟାଳୟର ଶିକ୍ଷକ ସମସ୍ୟା ନେଇ ବିଭିନ୍ନ ସମୟରେ ଗ୍ରାମବାସୀମାନେ ଜିଲ୍ଲା ଶିକ୍ଷାଅଧିକାରୀ ଓ ଜନ ପ୍ରତିନିଧି ମାନଙ୍କୁ ଦୃଷ୍ଟି ଆକର୍ଷଣ କରିଛନ୍ତି । ହେଲେ କେହି ଧ୍ୟାନ ଦେଉନଥିବାରୁ ଛାତ୍ରଛାତ୍ରୀମାନେ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି । ଏହି ବିଦ୍ୟାଳୟଟି ଜିଲ୍ଲାର ଶେଷ ସୀମାରେ ଥିବା ବେଳେ ଛାତ୍ର ଛାତ୍ରୀମାନେ ବାଧ୍ୟ ହୋଇ ଏହି ବିଦ୍ୟାଳୟରେ ପାଠ ପଢୁଛନ୍ତି । ସେପଟେ ଆଗାମୀ ଦିନରେ ଶିକ୍ଷକ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବଙ୍ଗୋମୁଣ୍ଡା ବିଇଓ ବୈକୁଣ୍ଠ ନାଥ ଶବର । ତେବେ ଏହି ବିଦ୍ୟାଳୟରେ ଦେଖା ଦେଇଥିବା ଶିକ୍ଷକ ସମସ୍ୟା ପ୍ରଶାସନ କିମ୍ବା ଶିକ୍ଷା ବିଭାଗ କେବେ ସମାଧାନ କରୁଛି ତାହା ଦେଖିବାକୁ ବାକି ରହିଲା ।