ଅପହରଣର ଶିକାର ହୋଇଥିଲେ ଛାତ୍ର, କିନ୍ତୁ ଗାଡିରୁ ଡେଇଁ ଖସି ପଳାଇ ଆସିଲେ

ଛାତ୍ରଙ୍କୁ ବଞ୍ଚାଇଦେଲା ଉପସ୍ଥିତ ବୁଦ୍ଧି । ଅଜଣା ସ୍ଥାନରେ ପହଞ୍ଚିଥିଲେ ବି ଭୟ ନକରି ଦୁର୍ବୁତ୍ତଙ୍କ ପାଖରୁ ଖସି ପଳାଇ ଆସିଛନ୍ତି ଜଣେ ଛାତ୍ର । ଛାତ୍ରଙ୍କୁ ଅଧିକ ବୟସ ନୁହେଁ କିନ୍ତୁ ନିର୍ଭିକତାର ସହ ଦୁର୍ବୁତ୍ତଙ୍କୁ ସାମ୍ନା କରି ନିଜ ଜୀବନ ବଞ୍ଚାଇଛନ୍ତି ।

କୌଶଳ କ୍ରମେ ଛାତ୍ରଙ୍କୁ ବେହୋସ କରାଇ ଡାଲା ଅଟୋରେ ପକାଇ ଦୁର୍ବୁତ୍ତମାନେ କେଉଁ ଅଜଣା ସ୍ଥାନକୁ ନେଇ ଯାଉଥିଲେ । ହେଲେ ସୌଭାଗ୍ୟ ବସତଃ ଦୀର୍ଘ ୫ ଘଣ୍ଟା ପରେ ଛାତ୍ରଙ୍କୁ ହୋସ ଆସିଥିଲା । ପରେ ଛାତ୍ର ଗାଡିରୁ ଡେଇଁ ଖସି ପକେଇ ଆସିଛନ୍ତି । ଏଭଳି ଘଟଣା କଟକ ଜିଲ୍ଲା ସାଲେପୁର ଥାନା ରାଇସୁଙ୍ଗୁଡାର କୁସମ୍ବି ଗାଁରେ ଘଟିଛି  । ଏହି ଗାଁର ଯୁକ୍ତଦୁଇ ଶ୍ରେଣୀରେ ପଢ଼ୁଥିବା ସମ୍ବିତ ସୂର୍ଯ୍ୟ ପ୍ରକାଶ ପଳେଇ ସକାଳେ ନିଜ ସାଇକେଲରେ ଟ୍ୟୁସନ ଯିବା ବାଟରେ ଜିଗ୍ନିପୁର ନିକଟରେ ଏକ  ନିଛାଟିଆ ସ୍ଥାନରେ ଅପହରଣର ଶିକାର ହୋଇଥିଲେ । ଏକ ନାଲି ରଙ୍ଗର ଡାଲା ଅଟୋରେ ଥିବା ଦୁଇଜଣ ଯୁବକ ତାଙ୍କୁ ଅପହରଣ କରିଥିବା ସମ୍ବିତ ପ୍ରକାଶ କରିଛନ୍ତି ।

ସମ୍ବିତଙ୍କୁ ଅପହରଣ କରିବା ପାଇଁ ଦୁର୍ବୁତ୍ତମାନେ ଆରମ୍ଭ କରିଥିଲେ ପ୍ଳାନ୍ । ପୁଅ ଗାଡ଼ି ଷ୍ଟାର୍ଟ ହେଉନି ଟିକେ ଗାଡ଼ିକୁ ଠେଲି ଦେବ ବୋଲି କହିଥିଲେ ଦୁବୁର୍ତ୍ତ । ଦୁବୁର୍ତ୍ତଙ୍କ ଉପରେ ବିଶ୍ବାସ କରି ସମ୍ବିତ ସାଇକେଲ ରଖି ଅଟୋକୁ ଠେଲିବା ଆରମ୍ଭ କରିଥିଲେ । ସୁଯୋଗରୁ ଫାଇଦା ଉଠାଇ ଉକ୍ତ ଯୁବକ ସମ୍ବିତ ମୁହଁରେ ରୁମାଲ ଲଗାଇଥିଲା ଫଳରେ ଅଚେତ ହୋଇ ପଡ଼ିଥିଲେ ସମ୍ବିତ। ସମ୍ବିତଙ୍କୁ ଚେତା ଆସିବା ବେଳକୁ ୫ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲା । ଜଗତପୁର ନିକଟ ଖଇରା ପୋଲ ନିକଟରେ ସମ୍ବିତଙ୍କର ଚେତା ଫେରିଥିଲା । ସେ ନିଜକୁ ଅଟୋ ଡାଲାରେ ପାଇଥିଲେ । ସେଠାରୁ କୌଣସି ମତେ ଅଟୋ ଡାଲାରୁ ଖସି ପଳାଇ ଆସିଥିଲେ ସମ୍ବିତ ।

ତେବେ କିଏ କଣ ପାଇଁ କାହିଁକି ସମ୍ବିତକୁ ନେଇଥିଲେ ତାହା ଜଣାପଡିନାହିଁ । ସାଲେପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏ ଘଟଣାର ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କହିଛନ୍ତି ସମ୍ବିତଙ୍କ ବାପା ।

 

 

You might also like