ଦିନ ରାତି ପରିଶ୍ରମ କରି ପାଇଲେ ସ୍ବର୍ଣ୍ଣ ପଦକ, ପୂରା କଲେ ବାପା ମା’ଙ୍କ ସ୍ବପ୍ନ

ପ୍ରତ୍ୟେକ ବାପା ମା’ ଚାହାନ୍ତି ତାଙ୍କ ପିଲା ଭଲ ନମ୍ବର ରଖି ପାସ କରୁ । ଜୀବନରେ ଉନ୍ନତି କରୁ । କିନ୍ତୁ କିଛି ପିଲା ହିଁ ବାପାଙ୍କ ଏଭଳି ସ୍ବପ୍ନକୁ ପୂରା କରନ୍ତି । ସମାନ ଭାବେ ଜଣେ ଛାତ୍ର ନିଜ ବାପା ମା’ଙ୍କ ସ୍ବପ୍ନକୁ ପୂରା କରିଛନ୍ତି । ଇଚ୍ଛା ଶକ୍ତି ଓ ନିଷ୍ଠା ବଳରେ ସେ ଆଜି ଯେଉଁ ସଫଳତା ପାଇଛନ୍ତି ତାହା ସତରେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି । ତେବେ ବର୍ତ୍ତମାନର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କିଏ ଡାକ୍ତର ହେବାକୁ ଚାହୁଁଛି ତ କିଏ ଇଞ୍ଜିନିୟର । କିନ୍ତୁ ଏ ଛାତ୍ର ଜଣଙ୍କ ଏକ ଭିନ୍ନ କୋର୍ସକୁ ଆପଣାଇଥିଲେ । ଭୂତତ୍ୱ ବିଜ୍ଞାନରେ ନାଁ ଲେଖାଇ ଦିନ ରାତି ପାଠ ପଢ଼ାରେ ମନ ଲଗାଇଥିଲେ । ଆଉ ଶେଷରେ ଭୂତତ୍ୱ ବିଜ୍ଞାନରେ ସର୍ବୋଚ୍ଚ ନମ୍ବର ରଖି ଏ ଛାତ୍ର ସମସ୍ତଙ୍କୁ ଗର୍ବିତ କରିଛନ୍ତି ।

ଏନଆଇଟି ଦୁର୍ଗାପୁରରୁ ଭୂତତ୍ୱ ବିଜ୍ଞାନରେ ସର୍ବୋଚ୍ଚ ନମ୍ବର ରଖି କୃତକାର୍ଯ୍ୟ ହେବା ସହ ସ୍ୱର୍ଣ୍ଣ ପଦକ ଲାଭ କରିଛନ୍ତି ସୋମପ୍ରୀତ । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଜାଗୁଳାଇପଡ଼ା ଗାଁର ବାପା ଜ୍ଞାନରଞ୍ଜନ ଦାସ ଓ କବିତା ଦାସଙ୍କ ପୁଅ ସୋମପ୍ରୀତ ଦାସ  ସ୍ବର୍ଣ୍ଣ ପଦକ ହାସଲ କରି ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଏବେ ଶୁଭେଚ୍ଛାର ସୁଅ ଛୁଟୁଛି । ଆଗକୁ ଭୂତତ୍ୱ ବିଜ୍ଞାନରେ ସୋମପ୍ରୀତ PhD ଡିଗ୍ରୀ ହାସଲ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ।

କଠିନ ପରିଶ୍ରମ ବଳରେ ସେ ଯେଉଁ ସଫଳତା ପାଇଛନ୍ତି ତାହା ସତରେ ଅନ୍ୟମାନଙ୍କ ପାଇଁ ଉଦାହରଣ । ପୁଅ ସ୍ବର୍ଣ୍ଣ ପଦକ ପାଇଥିବାରୁ ବାପା ମା’ ବି ବେଶ୍ ଗର୍ବିତ । ତେବେ ଆଗକୁ ଆହୁରି ପରିଶ୍ରମ କରି ରାଜ୍ୟର ନା ରଖିବେ ବୋଲି ସେ କହିଛନ୍ତି । ସୋମପ୍ରୀତଙ୍କ ସଫଳତା ପରେ ତାଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ସମସ୍ତେ କାମନା କରିଛନ୍ତି ।

 

 

 

 

You might also like