ଗାଈ ଗୁହାଳରେ ପାଠ ପଢୁଛନ୍ତି କୁନି କୁନି ଛାତ୍ରଛାତ୍ରୀ, ସ୍କୁଲ ଘର ଭାଙ୍ଗି ଗଲା ପରେ ଛାତ୍ରଛାତ୍ରୀଙ୍କ ବିକଳ ଅବସ୍ଥା

କଳାହାଣ୍ଡି: ଗୁହାଳରେ ପାଠ ପଢୁଛନ୍ତି କୁନି କୁନି ଛାତ୍ରଛାତ୍ରୀ । ଶିକ୍ଷାର ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଡୁଡୁକାରଞ୍ଚରେ । ଡୁମେରି ଗାଁରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଦେଖିଲେ କଳାହାଣ୍ଡିରେ କିଭଳି ଶିକ୍ଷା ଦାନ ଚାଲିଛି ତାହା ବାରି ହୋଇପଡୁଛି । ତେବେ ଏହା ପ୍ରଥମ ଘଟଣା ନୁହେଁ ପୂର୍ବରୁ ମଧ୍ୟ ଏଭଳି ଅନେକ ଘଟଣା ଦେଖିବାକୁ ମିଳିଛି । କେତେବେଳେ ଗଛ ମୂଳେ ତ କେତେବେଳେ ଗାଈ ଗୁହାଳରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ ।

ସ୍କୁଲ କୋଠା ଭାଙ୍ଗି ଯାଇଛି ଯେଉଁଥିପାଇଁ ଏହି କୋମଳ ମତି କୁନି କୁନି ଛାତ୍ରଛାତ୍ରୀମାନେ ଗାଈ ଗୁହାଳରେ ବସି ପାଠ ପଢୁଛନ୍ତି । ଗୁହାଳ ଆଗରେ କୁକୁର ସୋଇଛି କୁକୁଡ଼ା ଚରୁଛି ଗାଈ ଗୋବର ଗନ୍ଧ ବାରି ହୋଇପଡ଼ୁଛି । ଏଭଳି ପରିବେଶରେ ତଳେ ବସି ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ । ଏହି ବିଦ୍ୟାଳୟରେ ୨ଜଣ ଶିକ୍ଷକ ଏବଂ ମୋଟ ଛାତ୍ରଛାତ୍ରୀ ସଂଖ୍ୟା 14 । ସ୍କୁଲ ଘର ନଥିବାରୁ ଗାଁରେ ଥିବା ଜଣେ ଲୋକଙ୍କ ଗାଇ ଗୁହାଳରେ ଚାଲିଛି ପାଠ ପଢା ।

ଝିପି ଝିପି ବର୍ଷାରେ ଗୁହାଳରେ ପାଠ ପଢ଼ୁଛନ୍ତି ସରକାରୀ ସ୍କୁଲର ଛାତ୍ରଛାତ୍ରୀ । ଏଠାରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ଶ୍ରେଣୀ ରହିଛି । ଦୁଇ ବର୍ଷ ହେଲା ସ୍କୁଲ ଗୃହ ଭାଙ୍ଗି ଯାଇଥିବା ବେଳେ ଅବ୍ୟବସ୍ଥା ମଧ୍ୟରେ ପାଠ ପଢ଼ୁଛନ୍ତି କୋମଳମତି କୁନି କୁନି ବୟସର ଛାତ୍ରଛାତ୍ରୀ । ଗ୍ରାମବାସୀ ତଥା କାର୍ଯ୍ୟରତ ଶିକ୍ଷକ ବହୁ ବାର ପ୍ରଶାସନର ଦ୍ଵାରସ୍ତ ହୋଇ ସ୍କୁଲ ଘର ଖଣ୍ଡେ ତିଆରି କରିବା ପାଇଁ ଗୁହାରି କରି କରି ଥକିଗଲେଣି । ସେହିଭଳି ସ୍କୁଲରେ ଶିକ୍ଷକ ରହୁନଥିବାରୁ ଅବିଭାବକ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ଏପଟେ ଏହି ସ୍କୁଲରେ ସରକାରଙ୍କ ମଧ୍ୟାହ୍ନ ଭୋଜନ ଯୋଜନା ଫେଲ୍ ମାରିଛି । ଡୁମେରି ସରକାରୀ ସ୍କୁଲରେ ଦୀର୍ଘ ଦିନ ଧରି ସ୍କୁଲ ଘର ସମସ୍ୟା, ଶିକ୍ଷକଙ୍କ ମନମୁଖୀ ଶିକ୍ଷାଦାନ ଲାଗି ରହିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ଅଖି ଦୃଶିଆ ପଦକ୍ଷେପ ନିଆଯାଇନାହିଁ । ତେବେ ଗାଈ ଗୁହାଳରେ ବିନା କଳପଟାରେ ଛାତ୍ରଛାତ୍ରୀମାନେ କିଭଳି ପାଠ ପଢିବେ ତାହାକୁ ନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପଟେ ନୁଆ ସ୍କୁଲ ଘର ପାଇଁ ଟେଣ୍ଡର ହୋଇଛି ଏବେ କମ ଦିନରେ ନୂଆ ସ୍କୁଲ ନିର୍ମାଣ ହେବ କହିଛନ୍ତି ଏମ ରାମପୁର BDO ।

ଶିକ୍ଷାର ଗୁଣ ବତ୍ତା ବୃଦ୍ଧି କରିବା ପାଇଁ ସରକାର ଶିକ୍ଷା ବିଭାଗରେ ଗୋଡ଼ି ମାଟି ଭଳି ଅନେକ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ପ୍ରଶାସନ ତଥା ଶିକ୍ଷା ବିଭାଗର ଦାୟିତ୍ଵହୀନତା କାରଣରୁ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ କୋମଳ ମତି ଛାତ୍ରଛାତ୍ରୀ ମାନେ ପାଠ ପଢାରୁ ବଞ୍ଚିତ ରହୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like