ଜଙ୍ଗଲ ମଧ୍ୟରୁ ମିଳିଲା ଛାତ୍ରଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଗତ ୨୪ ତାରିଖ ରାତିର ଘଟଣା । ଅମିତ ନାମକ ଜଣେ ଛାତ୍ର ଘରେ ଖାଇ ପିଇ ସାରିବା ପରେ ଶୌଚ ହେବା ପାଇଁ ବାହାରକୁ ଯାଇଥିଲେ । କିନ୍ତୁ ବିଳମ୍ବିତ ରାତି ଯାଏଁ ଘରକୁ ଫେରିନଥିଲେ । ଆଉ ଏବେ ସନ୍ଦିଗ୍ଧ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଲା ଥାନା ଅନ୍ତର୍ଗତ ତୁଙ୍ଗାମାଳ ଗାଁ ମୁଣ୍ଡା ସାହି ନିକଟସ୍ଥ ଜଙ୍ଗଲରୁ ଅମିତଙ୍କ ମୃତଦେହ ଉଦ୍ଧାର ହୋଇଛି । ତୁଙ୍ଗାମାଳ ମୁଣ୍ଡା ସାହିର  ଅମିତ ମୁଣ୍ଡାକୁ ବୟସ ମାତ୍ର ୧୭ । କିନ୍ତୁ ଅଚାନକ ଏମିତି ତାଙ୍କ ସହ ହୋଇଯିବ କେହି କେବେ ଭାବି ବି ନଥିଲେ ।

ଗତ ୨୪ ତାରିଖ ରାତିରେ ଅମିତ ନିଜ ପରିବାର ଲୋକଙ୍କ ସହ ଖାଇ ସାରି ବାହାରକୁ ଶୌଚ ହେବା ପାଇଁ ବାହାରି ଥିଲେ । ଶୌଚରୁ  ଫେରିବା ବିଳମ୍ବ ହେବାରୁ ପରିବାର ଲୋକେ ଅମିତକୁ ଫୋନ୍ କରିଥିଲେ ।  ମାତ୍ର ଅମିତଙ୍କ ମୋବାଇଲ ଫୋନ୍ ସୁଇଚ ଅଫ ଥିଲା । ତାଙ୍କ ସହ ଯୋଗାଯୋଗ ହୋଇ ପାରିନଥିଲା । ଅମିତ ରାତିରେ ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । ମାତ୍ର ଅମିତଙ୍କ ସନ୍ଧାନ ନପାଇବାରୁ କୁଣ୍ଢେଇଗଳା ଥାନାରେ ତାଙ୍କ ପୁଅ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ ।

ଅଭିଯୋଗ ପାଇବା ପରେ କୁଣ୍ଢେଇଗଳା ଥାନା ପୋଲିସ ତୁଙ୍ଗାମାଳକୁ ଆସି ଅମିତଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲା । ଏହାରି ଭିତରେ ହଠାତ ଗାଁରେ ଖବର ବ୍ୟାପିଗଲା । ଜଙ୍ଗଲରେ କାହାର ଗୋଟେ ମରଶରୀର ପଡ଼ିଛି । ସଙ୍ଗେ ସଙ୍ଗେ ଗାଁ ଲୋକେ ନିକଟସ୍ଥ ଜଙ୍ଗଲରେ ପହଞ୍ଚିଥିଲେ । ଆଉ ସେଠାରେ ଅମିତଙ୍କ ମୃତଦେହ ମିଳିଥିଲା । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଶୁଖିଲା ପତ୍ର ଘୋଡାଇ ମୃତଦେହ ଲୁଚାଇବାକୁ ଚେଷ୍ଟା କରାଯାଇଥିଲା । ଅମିତର ମୃତ ଦେହ ଦେଖିବା ପରେ କୁଣ୍ଢେଇଗୋଲା ଥାନାକୁ ଖବର ଦିଆଯାଇଥିଲା । ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥଲା ପୋଲିସ । ତେବେ ଅମିତଙ୍କ ଏଭଳି ମୃତ୍ୟୁକୁ ନେଇ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଦେଖିବାକୁ ମିଳିଛି ।

ତେବେ ଅମିତଙ୍କ ସହ କିଏ ଏପରି କଲା, କେଉଁ ଉଦ୍ଦେଶ୍ୟରେ କଲା ଏବଂ ଏହା ପଛରେ ପୂର୍ବ ଶତ୍ରୁତା ନା ଅନ୍ୟ କିଛି  କାରଣ ରହିଛି ତାହା ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । କିନ୍ତୁ ଏବେ ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛି ପରିବାର ।

ଆହୁରି ପଢ଼ନ୍ତୁ : ଅଖା ଭିତରୁ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ