ବାଟ ଛାଡ ଆମ ସାର୍‌ ଆସୁଛନ୍ତି, ଡିଜେ ବଜାଇ ନାଚି ନାଚି ସାରଙ୍କୁ ଘରେ ଛାଡି ଆସିଲେ ଛାତ୍ର

ସୁବର୍ଣ୍ଣପୁର (କେନ୍ୟୁଜ) : ବାଜୁଛି ଡିଜେ ଆଉ ଡିଜେର ତାଳେ ତାଳେ ନୃତ୍ୟ କରୁଛନ୍ତି ଯୁବକମାନେ । ସେପଟେ ସୁସଜ୍ଜିତ ଗାଡିରେ ଫୁଲମାଳ ପକାଇ ଶୋଭାଯାତ୍ରାରେ ଆସୁଛନ୍ତି ଜଣେ ବ୍ୟକ୍ତି । ହେଲେ କୁଆଡେ ଯାଉଛି ଏହି ଶୋଭାଯାତ୍ରା ଆଉ ଏହା କି ଶୋଭାଯାତ୍ରା । ଆପଣ ବି ଭାବୁଥିବେ କଣ ପାଇଁ ଆଉ କେଉଁଠିକୁ ବାହାରିଛି ଏହି ଶୋଭାଯାତ୍ରା । ହେଲେ ଏହି ଶୋଭାଯାତ୍ରା କୌଣସି ବାହାଘର କି ବିଜୟ ଶୋଭାଯାତ୍ରା ନୁହେଁ । କି ଗାଡିରେ ଛିଡା ହୋଇ ଆସୁଥିବା ବି ବର ନୁହେଁ କି ଏହା କୌଣସି ବାହାଘର ପ୍ରୋସେସନ୍‌ ନୁହେଁ ବରଂ ଜଣେ ଛାତ୍ର ବତ୍ସଳ ଶିକ୍ଷକଙ୍କୁ ଅବସର ପରେ ତାଙ୍କର ପ୍ରୀୟ ଛାତ୍ର ଛାତ୍ରୀ ଦେଉଛନ୍ତି ଏଭଳି ନିଆରା ବିଦାୟ ଶୋଭାଯାତ୍ରା ।

ବିଦ୍ୟା ଦାନ ,ଏକ ମହତ ଦାନ । ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଗଢିବା ପାଇଁ ତାଙ୍କୁ ଉଚ୍ଚିତ ଶିକ୍ଷାଦେଇ ସମାଜରେ ପ୍ରତିଷ୍ଟିତ କରାଏ ଜଣେ ଶିକ୍ଷକ । ଜୀବନ ତମାମ ସମାଜରେ ଶିକ୍ଷାର ପ୍ରଦୀପ ଜାଳିବାକୁ ନିଜ ଜୀବନକୁ ବାଜି ଲଗାଇଦିଏ ଶିକ୍ଷକଟିଏ । ତାଦ୍ୱାରା ଶିକ୍ଷାପ୍ରାପ୍ତ ଛାତ୍ର ଛାତ୍ରୀଟିଏ ଯେତେବେଳେ ସମାଜରେ ପ୍ରତିଷ୍ଠିତ ହୁଏ ଶିକ୍ଷକଟିର ଛାତିଟାବି କୁଣ୍ଡେମୋଟ ହୋଇଯାଏ । ଆଉ ଏଭଳି ଛାତ୍ର ବତ୍ସଳ ଶିକ୍ଷକ ଯେେତେବେଳେ ତାର ଶିକ୍ଷକତା ଜୀବନରୁ ଅସବର ନିଏ ସେତେବେଳେ ଛାତ୍ର ଛାତ୍ରୀମାନେ ମଧ୍ୟ ଏଭଳି ଶିକ୍ଷକଙ୍କ ତାଙ୍କ ପାଇଁ ଥିବା ଅବଦାନକୁ ଭୁଲନ୍ତି ନାହିଁ । ଏଣୁ ଶିକ୍ଷକଙ୍କ ଅବସରକାଳିନ ସମ୍ବର୍ଦ୍ଧନାକୁ ଭିନ୍ନ ଏକ ଢଙ୍ଗରେ କରିବାକୁ ପଛାନ୍ତି ନାହିଁ ତାଙ୍କ ଛାତ୍ର ଛାତ୍ରୀମାନେ । ଏଇ ଯେମିତି ସୁବର୍ଣ୍ଣପୁର ଜିଲ୍ଲା ଭୀମଭୋଇ ଉଚ୍ଚ ବିଦ୍ୟାଳୟ ଜଟେସିଂହାର ଜଣେ ଶିକ୍ଷକଙ୍କ ପାଇଁ ଆୟୋଜନ କରିଥିଲେ ତାଙ୍କ ଛାତ୍ର ଛାତ୍ରୀ ।

ବୀରମହାରାଜପୁରେ ଏହି ଶୋଭାଯାତ୍ରା ଚାଲିଥିବାବେଳେ ଶିକ୍ଷକ ଜଣକ ହେଉଛନ୍ତି ଲାଲେନ୍ଦ୍ର ତ୍ରିପାଠୀ । ଆଜି ଲାଲେନ୍ଦ୍ର ତ୍ରିପାଠୀ ଚାକିରୀରୁ ଅବସର ନେଲାପରେ ତାଙ୍କ ଛାତ୍ର ଛାତ୍ରୀମାନେ ତାଙ୍କୁ ଏହିଭଳି ଭାବେ ଶୋଭାଯାତ୍ରାରେ ଶିକ୍ଷକଙ୍କୁ ତାଙ୍କ ଘର ପର୍ଯ୍ୟନ୍ତ ପାଛୋଟି ନେଇଛନ୍ତି । କେବଳ ସେତିକି ନୁହେଁ ନିଜ ଗାଁ ବାଘମାରୀ ସ୍ଥିତ ନିଜ ଘରକୁ ଶୌଭାଯାତ୍ରାରେ ପହଂଚିଲା ପରେ ସେଇଠି ମଧ୍ୟ ଅପେକ୍ଷା କରି ରହିଥିଲେ ଗ୍ରାମବାସୀ ଓ ପରିବାରବର୍ଗ । ଘର ସମ୍ମୁଖରେ ଶିକ୍ଷକଙ୍କୁ ବନ୍ଦାଇ ହୁଳହୁଳି ଦେଇ ପାଛୋଟି ନେଇଥିଲେ ପରିବାରବର୍ଗ । ପରେ ଘରେ ପରିବାର ବର୍ଗ ଓ ଛାତ୍ର ଛାତ୍ରୀଙ୍କ ଉପସ୍ଥିତିରେ କେକ୍‌ କଟାଯାଇ ସେଲିବ୍ରେସନ କରାଯାଇଥିଲା ।

ଜୀବନ କାଳ ଭିତରେ ସରକାର ଯାହାବି ଦରମା ଦିଅନ୍ତୁ ଛାତ୍ର ଛାତ୍ରୀଙ୍କୁ ଶିକ୍ଷାଦାନ କରିବାରେ ସେ କେବେ ଅବହେଳା କରିନାହଁନ୍ତି । ଏବଂ ଆଗାମୀ ଜୀବନ ମଧ୍ୟ ଜଣେ ଶିକ୍ଷକ ହିସାବରେ ଅବସର ପରେ ମଧ୍ୟ ଛାତ୍ର ଛାତ୍ରୀଙ୍କ ଭବିବଷ୍ୟତ ଗଢିବାରେ ସେ ତାଙ୍କର ଉଦ୍ୟମ ଜାରି ରଖିବେବୋଲି ଶିକ୍ଷକ ଜଣକ କହିଛନ୍ତି ।

ଗତ ୧୯୯୨ ମସିହାରେ ଯେତେବେଳେ ବୀରମହାରାଜପୁର ବ୍ଲକର ଜଟେସିଂହାରେ ସ୍ଥାପିତ ହୋଇଥିଲା ଭୀମଭୋଇ ଉଚ୍ଚ ବିଦ୍ୟାଳୟ ସେତେବେଳେ ସେହି ଭିଦ୍ୟାଳୟରେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ ଲାଲେନ୍ଦ୍ର । ଦୀର୍ଘ ୩୧ ବର୍ଷ ଶିକ୍ଷକତା ଜୀବନ ଭିତରେ ପ୍ରଥମ ୧୫ ବର୍ଷ ଧରି ବିନା ଦରମାରେ ଶିକ୍ଷକତା କଲାପରେ ପରେ ସରକାର ଅନୁଦାନ ଦେଇଥିଲେ । ପ୍ରଥମେ ସ୍ୱଳ୍ପ କିଛି ଦରମା ମିଳୁଥିବାବେଳେ ଏବେ ପୁର୍ଣ୍ଣ ଅନୁଦାନ ପାଇବା ସମୟରେ ଚାକିରୀରୁ ସେ ଅବସର ନେଲେ । ତାଙ୍କ ପାଇଁ ସରକାରୀ ବ୍ୟବସ୍ଥା ସେଭଳି କିଛି ନଥିବାରୁ ଆସନ୍ତା ମାସଠାରୁ ଆଉ ସେ ଟଙ୍କାଟିଏ ବି ପାଇବେ ନାହିଁ । ଦିର୍ଘ ୩୧ ବର୍ଷଧରି ଛାତ୍ର ଛାତ୍ରୀଙ୍କ ଉଜ୍ୱଳ ଭଭିଷ୍ୟତ ଗଢିଥିବା ଶିକ୍ଷକଙ୍କ ଜୀବନ ଏବେ କଟିବ ଅନ୍ଧାରରେ । ଏଣୁ ସରକାର ତୁରନ୍ତ ଏହି ଶିକ୍ଷକଙ୍କ ପାଇଁ ସରକାରୀ ବ୍ୟବସ୍ଥା କରିବାକୁ ଉଭୟ ସହକର୍ମୀ ଶିକ୍ଷକ ଓ ଛାତ୍ର ଦାବୀ କରିଛନ୍ତି ।

ପ୍ରକୃତରେ ସମାଜ ଗଠନରେ ଜଣେ ଶିକ୍ଷକର ଅବଦାନ ସବୁବେଳେ ମହାନ । ଆଉ ଲାଲେନ୍ଦ୍ର ତ୍ରିପାଠୀ ଙ୍କ ଭଳି ଛାତ୍ର ବତ୍ସଳ ଶିକ୍ଷକ ଯୁଗେ ଯୁଗେ ପୂଜିତ ହେବେ ନିଶ୍ଚୟ । ଆଉ ଯେଉଁଭଳି ଭାବେ ତାଙ୍କୁ ଛାତ୍ରଛାତ୍ରୀ ମାନେ ନାଚ ଗାଇ ଡିଜେ ବଜାଇ ନେଉଛନ୍ତି ଏହା କିଛି କମ୍‌ କଥା ନୁହେଁ । ଏ ଚିତ୍ର ଦେଖି ଲାଗୁଛି ଯେ ଏ ଶିକ୍ଷକ ଜଣଙ୍କ ଛାତ୍ରଛାତ୍ରୀଙ୍କ ପାଇଁ କେତେ ନିଜକୁ ଉତ୍ସଗୀକୃତ କରିଥିଲେ ।