ସ୍କୁଲରେ ଛାତ୍ର ବୋହିଲେ ଚାଉଳ ବୁରା, ଛାତ୍ରୀ ମାରିଲେ ଝାଡୁ

ଉମରକୋଟ : ଆରେ ଏଠି ଏ କଣ ଚାଲିଛି । ପିଲାମାନେ କଣ ଚାଉଳ ବସ୍ତା ଟେକି ନେଉଛନ୍ତି, ପୁଣି ଦିଦି ସେଠି ଉପସ୍ଥିତ ରହି ନିର୍ଦ୍ଦେଶ ଦେଉଛନ୍ତି । ଏଇଟା କଣ ସତରେ ସ୍କୁଲ୍‌ ନା ଆଉ କେଉଁଠିକୁ ଚାଲିଆସିଲେ । ନା ନା ସ୍କୁଲ, ହେଲେ ସ୍କୁଲରେ ତ ପିଲା ପାଠ ପଢ଼ନ୍ତି, କିନ୍ତୁ ଏଠି କଣ ଚାଉଳ ବୁରା ଟେକୁଛନ୍ତି । ପୁଣି ଆଉ ଜଣେ ଛାତ୍ରୀ କଣ ଝାଡୁ ଧରି ଆସୁଛି । କଣ ସ୍କୁଲରେ ଝାଡୁ ମାରିବା ଦାୟିତ୍ୱ ଏ ଛାତ୍ରୀ ଜଣଙ୍କୁ ଦିଆଯାଇଛି ନା କଣ । ସ୍କୁଲ ପରିସରରେ ଏ ଦୃଶ୍ୟ ଦେଖି ଆପଣଙ୍କୁ ନିଶ୍ଚିତ ଭାବେ ଅଡୁଆ ଲାଗୁଥିବ ।

ଏ ହେଉଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରାଞ୍ଚଳର ଏକ ସରକାରୀ ଉଚ୍ଚ ବିଦ୍ୟାଳୟର ଚିତ୍ର । ଯେଉଁଠି ଛୋଟ ଛୋଟ ପିଲାମାନେ ମଧ୍ୟାହ୍ନ ଭୋଜନ ଚାଉଳ ବୁହା ଭଳି କାର୍ଯ୍ୟରେ ପିଲାଙ୍କୁ ଶ୍ରମିକ ଭଳି ନିୟୋଜିତ କରିଥିବାର ଏକ ଭିଡିଓ ଭାଇରଲ ହେଉଥିବା ଦେଖିବାକୁ ମିଳିଛି । ଉମରକୋଟ ଭଳି ଏକ ଉପାନ୍ତ ଅଞ୍ଚଳରୁ ଜଣେ ବିଧାୟକଙ୍କୁ ରାଜ୍ୟ କ୍ୟାବିନେଟରେ ଗଣଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦ ମିଳିଛି ଏବଂ ମନ୍ତୀ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ଚେଷ୍ଟା କରୁଛନ୍ତି ଓ ବିଭିନ୍ନ ବିଦ୍ୟାଳୟ ଗୁଡିକୁ ସରପ୍ରାଇଜ ଗ୍ରସ୍ତ କରି ଶିକ୍ଷା ଦାନ ସହ ମଧ୍ୟାହ୍ନ ଭୋଜନରେ ସ୍ୱଛତା ରଖିବାକୁ ନିର୍ଦ୍ଦେଶ ଦେଉଛନ୍ତି।

କିନ୍ତୁ ମନ୍ତ୍ରୀଙ୍କ ନିଜ ବାସଭବନ ଠାରୁ ମାତ୍ର ୫୦୦ ମିଟର ଦୂରତାରେ ରହିଥିବା ଉମରକୋଟ ପୌରାଞ୍ଚଳର ଏକ ବିଦ୍ୟାଳୟରେ କର୍ତ୍ତୃପକ୍ଷ ନିଜ ଅନୁଷ୍ଠାନର ଅଧ୍ୟୟନରତ କୋମଳ ମତି ଛାତ୍ରଙ୍କୁ ନେଇ ମଧ୍ୟାହ୍ନ ଭୋଜନ ପାଇଁ ମହଜୁଦଥିବା ଚାଉଳ ବସ୍ତା ଅନ୍ୟତ୍ର ସ୍ଥାନାନ୍ତର କାର୍ଯ୍ୟରେ ଲିପ୍ତ କରାଇବା ଦୃଶ୍ୟ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। କିନ୍ତୁ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କଣ ପାଇଁ ନିରବ ଦ୍ରଷ୍ଟା ସାଜିଛନ୍ତି ଏହାକୁ ନେଇ ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରୁଛି । ଏହାକୁ ନେଇ ବିଦ୍ୟାଳୟର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଏହି ଘଟଣାକୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ପଚାରିବାରୁ ସେ କ୍ୟାମେରା ସମ୍ମୁଖରେ କିଛି କହି ନଥିଲେ ମଧ୍ୟ ଘଟଣାକୁ ନେଇ ତଦନ୍ତ କରିବା ପାଇଁ ଉମରକୋଟ BEOଙ୍କୁ ନିର୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ପଚାରିବାରୁ ସେ କହିଛନ୍ତି ଆପଣଙ୍କ ଠାରୁ ମୁଁ ଖବର ପାଇଲି ତେବେ ସେଭଳି ଯଦି କିଛି ଘଟଣା ଘଟିଥାଏ ତାହାର ତଦନ୍ତ କରି ନିଶ୍ଚିତ ରୂପେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।

ତେବେ ବିଦ୍ୟାଳୟ ଭଳି ଏକ ପବିତ୍ର ଅନୁଷ୍ଠାନରେ ଛୋଟ ଛୋଟ ପିଲାଙ୍କୁ ଶିକ୍ଷା ଦାନ ବଦଳରେ ଶ୍ରମିକ ସଜାଇ ଏଭଳି କାର୍ଯ୍ୟରେ ନିୟୋଜିତ କରିବା କେତେଦୂର ଠିକ। ଅନ୍ୟପଟେ ଛୋଟ ଛୋଟ କୋମଳ ମତି ପିଲାଙ୍କୁ ଶିକ୍ଷା ଦାନ ବଦଳରେ ଶ୍ରମିକ ସଜାଇ ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି ବରିଷ୍ଠ ସାମ୍ୱାଦିକ ଗୋପାଳ ପଟନାୟକ ଏବଂ ଏହି କାର୍ଯ୍ୟ ଯେଉଁ ମାନଙ୍କ ଦ୍ୱାରା କରାଯାଇଛି ସେମାନଙ୍କ ବିରୁଦ୍ଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଦେଖିବାକୁ ବାକି ରହିଲା।