ସ୍କୁଲରେ ଶିକ୍ଷକଙ୍କ ଅଭାବ: ଗେଟରେ ତାଲା ପକାଇଲେ ଛାତ୍ରଛାତ୍ରୀ
ବେଗୁନିଆ : ଶିକ୍ଷକ ଅଭାବକୁ ନେଇ ସ୍କୁଲ ଗେଟରେ ତାଲା ପକାଇଲେ ଛାତ୍ରଛାତ୍ରୀ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଆରିକିମା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଛାତ୍ରଛାତ୍ରୀ ଆଜି ସ୍କୁଲ ଗେଟରେ ତାଲା ପକାଇ ସମ୍ମୁଖ ରାସ୍ତାରେ ଧାରଣା ଦେଇଛନ୍ତି । ଆରିକିମା ଉଚ୍ଚ ବିବ୍ୟାଳୟରେ ଦୀର୍ଘ ଦିନ ହେବ ସଂସ୍କୃତ ଏବଂ ଖେଳ ଶିକ୍ଷକ ପଦବୀ ଖାଲି ପଡିଛି । ଏ ନେଇ ଅଭିଭାବକ ବାରମ୍ବାର ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି କେହି ନ ଶୁଣିବାରୁ ବାଧ୍ୟ ହୋଇ ରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ । କଳାପଥର ସୁନାଖଳା ରାସ୍ତା ଅବରୋଧ କରିବା ସହିତ ଗେଟରେ ତାଲା ପକାଇଛନ୍ତି । ବାଙ୍କୋଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପିଲାମାନଙ୍କୁ ବୁଝାସୁଝା କରିଛନ୍ତି । ସେପଟେ ଆଗାମୀ ସୋମବାର ଦିନ ଧାରଣା ଜାରି ରହିବ ବୋଲି କୁହାଯାଇଛି ।