ମୟୂରଭଞ୍ଜ: କଲେଜରେ ପ୍ରିନସିପାଲ ଓ ଆକାଉଣ୍ଟାଣ୍ଟଙ୍କ ଦବଙ୍ଗଗିରି, କବାଟ ବନ୍ଦ କରି ନିର୍ଦ୍ଦୟ ଭାବେ ଛାତ୍ରଙ୍କୁ ମାଡ଼ ମାରିବା ଭିଡିଓ ଭାଇରାଲ୍

ବାରିପଦା(କେନ୍ୟୁଜ୍): କଲେଜରେ ପ୍ରିନସିପାଲ ଓ ଆକାଉଣ୍ଟାଣ୍ଟଙ୍କ ଦବଙ୍ଗଗିରି। ପ୍ରିନ୍‌ସିପାଲଙ୍କ ଚାମ୍ବରରେ କବାଟ ବନ୍ଦ କରି ନିର୍ଦ୍ଦୟ ଭାବେ ଛାତ୍ରଙ୍କୁ ମାଡ଼ ମାରିବା ସହ ଗଳା ଚିପିବାର ଭିଜୁଆଲ ସାମନାକୁ ଆସିଛି। ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ ପୁରୁଣା ବାରିପଦା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟରେ ଏହି ଘଟଣା ଘଟିଛି। ସିଏଲସି ପାଇଁ କଲେଜର ଯୁକ୍ତ ୩ ଦ୍ୱିତୀୟ ବର୍ଷର ଜଣେ ଛାତ୍ର ଆବେଦଦ କରିଥିବା ବେଳେ ଅଧ୍ୟକ୍ଷ ଏଥିପାଇଁ ୫ହଜାର ଟଙ୍କା ଦାବି କରିଥିଲେ। ପରେ ଅଧ୍ୟକ୍ଷ ଦାବି କରିଥିଲେ ୭ ହଜାର ଟଙ୍କା। ଏହାକୁ ନେଇ ସଂପୃକ୍ତ ଛାତ୍ର ଓ ଅଧ୍ୟକ୍ଷଙ୍କ ମଧ୍ୟରେ ବଚସା ଓ ହାତାହାତି ହୋଇଥିଲା। ପ୍ରଥମେ ଆକାଉଣ୍ଟାଣ୍ଟ ଛାତ୍ର ଜଣଙ୍କୁ ଠେଲାପେଲା କରିବାରୁ ଛାତ୍ର ଜଣକ ଏହାକୁ ପ୍ରତିରୋଧ କରିଥିଲେ। ପରେ ଛାତ୍ରଜଣକର ହାତ ମୋଡ଼ି ଦେବା ସହ ଚାମ୍ବରରେ ଥିବା ସୋଫା ଉପରେ ପକାଇ ତାଙ୍କ ଗଳା ଚିପି ଦେଇଥିଲେ। ଏହାପରେ ପ୍ରିନ୍‌ସିପାଲ ଅନ୍ୟ ଜଣେ କର୍ମଚାରୀଙ୍କୁ ବାହାରକୁ ପଠାଇ ଦେଇ ଚାମ୍ବରର କବାଟ ବନ୍ଦ କରିଦେଇଥିଲେ। ଛାତ୍ରଜଣକ ନିଜ ଘରକୁ ଫୋନ କରୁଥିବା ବେଳେ ତାଙ୍କ ଫୋନ ଛଡ଼ାଇ ଆଣି ଭାଙ୍ଗି ଦେଇଥିଲେ। ପୁରା ଘଟଣା ସିସିଟିଭିରେ କଏଦ ହୋଇଛି। ତେବେ ପ୍ରିନସିପାଲ ଏସଂପର୍କରେ କିଛି ପ୍ରତିକ୍ରିୟା ଦେଇନାହାନ୍ତି।