ବିଭିନ୍ନ ସମସ୍ୟା ପ୍ରତିବାଦରେ କଟକ ରେଭେନସା ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଧାରଣା

କଟକ : ହଷ୍ଟେଲରେ ସିଟ୍ ଅଭାବ ସହ ବିଶ୍ବବିଦ୍ୟାଳୟର ବିଭିନ୍ନ ସମସ୍ୟା ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ଧାରଣା। ବିଭିନ୍ନ ସମସ୍ୟାର ସମାଧାନ ଦାବିରେ କଟକ ରେଭେନସା ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି। ବର୍ଷା ସତ୍ତ୍ବେ ଛତା ଧରି ବିଶ୍ବବିଦ୍ୟାଳୟ କୁଳପତିଙ୍କ ଅଫିସ ଆଗରେ ଧାରଣାରେ ବସିଛନ୍ତି। ଆବଶ୍ୟକତା ଅନୁଯାୟୀ ହଷ୍ଟେଲଗୁଡିକରେ ସିଟ ସଂଖ୍ୟା ନାହିଁ। ଫଳରେଆର୍ଥିକ ସ୍ଥିତି ସୁଦୃଢ ନ ଥିବା ଦୂରଦୁରାନ୍ତର ଜିଲ୍ଲାର ଛାତ୍ରଛାତ୍ରୀ ହଷ୍ଟେଲ ରେ ସିଟ ନ ପାଇ ବହୁ ହଇରାଣ ହେଉଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।

ସେହିପରି ବିଶ୍ବବିଦ୍ୟାଳୟର ବିଭିନ୍ନ ବିଭାଗରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନାହାନ୍ତି। ଅତିଥି ଅଧ୍ୟାପକଙ୍କୁ ନେଇ ରେଭେନ୍ସା ପରି ଏକ ପୁରାତନ ଶିକ୍ଷାନୁଷ୍ଠାନ ଚାଲିଥିବା ସେମାନେ କହିଛନ୍ତି। ଏହା ସହ କ୍ଲାସ ସସପେଣ୍ଡ ନେଇ ଆଗୁଆ ସୂଚନା ପ୍ରଦାନ, ବିଶ୍ବବିଦ୍ୟାଳୟରୁ ସଠିକ ଭାବେ ବର୍ଷା ଜଳ ନିଷ୍କାସନ, ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ଓ ବାଥରୁମ ଆଦିର ଉଚିତ ବନ୍ଦୋବସ୍ତ କରାଯାଉ ବୋଲି ଦାବି ରଖିଛନ୍ତି ଛାତ୍ରଛାତ୍ରୀ।

ସେପଟେ ହଷ୍ଟେଲ ସଂଖ୍ୟା ବଢିଲେ ହିଁ ଚାହିଦା ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ସିଟ ଯୋଗାଇ ହେବ ବୋଲି କହିଛନ୍ତି ରେଭେନ୍ସା କର୍ତ୍ତୃପକ୍ଷ। ରେଗୁରାଲ ଛାତ୍ରଛାତ୍ରୀମାନଙ୍କୁ ପ୍ରଥମେ ସିଟ ପ୍ରଦାନ କରିବା ପରେ, ବଳକା ସିଟ ସେଲ୍ଫ ଫାଇନାନସିଂ ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବାର ନିୟମ ରହିଛି। ତେଣୁ ଛାତ୍ରଛାତ୍ରୀଙ୍କ ଦାବି ଉପରେ ଧ୍ୟାନ ଦିଆଯିବ ବୋଲି କୁହାଯାଇଛି।

You might also like