ପାଠ ପଢିବା ସହ ଚାକିରି କରିବା ଆଶାରେ ଛତିଶଗଡ ମୁହାଁ ଓଡିଶା ସୀମାନ୍ତର ଅନେକ ଛାତ୍ର ଛାତ୍ରୀ

ଉମରକୋଟ: ଓଡ଼ିଶାର ପାଣି ପବନରେ ବଢୁଛନ୍ତି, ହେଲେ ଭବିଷ୍ୟତ ଗଢିବାକୁ ଛତିଶଗଡ଼ ଉପରେ ଭରସା କରୁଛନ୍ତି । ଓଡିଶା ସୀମାନ୍ତରେ ନବରଙ୍ଗପୁର ଜିଲ୍ଲାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷାର ଭିତ୍ତି ଭୂମି ଏତେଟା ସୁଦୃଢ ନଥିବାରୁ ଏବଂ ଯାତାୟାତ ପାଇଁ ଦୂର ବାଟ ହେଉଥିବାରୁ ଛତିଶଗଡ ମୁହାଁ ସୀମାନ୍ତର ଅନେକ ଛାତ୍ର ଛାତ୍ରୀ ।

ଓଡ଼ିଶା ଛତିଶଗଡ ସୀମାନ୍ତ ନବରଙ୍ଗପୁର ଜିଲ୍ଲାର କୁନ୍ଦେଇ ପଞ୍ଚାୟତ ରହିଛି ଖିଲୋଲି ଗ୍ରାମ । ଏହାର ମାତ୍ର ୨ କିଲୋମିଟର ପରେ ରହିଛି ଛତିଶଗଡ । ଏଠାରେ ରହିଛି ଘୁଟକେଲ ଗ୍ରାମର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ । ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁ ପ୍ରତିଦିନ ଓଡ଼ିଶାର ଅନେକ ଛାତ୍ର ଛାତ୍ରୀଙ୍କୁ ଓଡ଼ିଶା ଓ ଛତିଶଗଡ଼ ସୀମା ଦେଇ ସାଇକେଲରେ ଛତିଶଗଡ ଯିବା ଆସିବା କରୁଥିବା ଦେଖିବାକୁ ମିଳିଛି ।

ଛତିଶଗଡର ଏହି ସ୍କୁଲରେ ଓଡ଼ିଶାର କୁନ୍ଦେଇ, ଖିଲୋଲି, କାନାଡିହି, ଜଟିଆରପାରା ହାଟଭରାଣ୍ଡିରୁ ଯାଉଛନ୍ତି ଛାତ୍ରଛାତ୍ରୀ । ପିଲାଙ୍କ କହିବା ହେଲା ଦଶମ ପରେ ଏକାଦଶ ଓ ଦ୍ଵାଦଶ ପଢ଼ିବା ପାଇଁ ଛତିଶଗଡରେ କୌଣସି ଡୋନେସନ୍ ଲାଗୁନାହିଁ । କେବଳ ୫୩୦ ରୁ ୫୯୦ ଟଙ୍କା ଫି ବାନ୍ଧିଲେ ଆଉ କିଛି ଅର୍ଥ ଦେବାକୁ ପଡେ ନାହିଁ । ଅନ୍ୟ ପକ୍ଷରେ ରାଇଘର ବ୍ଲକ ର ଗୋନା ଓ ତୁରୁଢ଼ି ଠାରେ ସରକାରୀ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହୁଥିଲେ ବି ସୀମାନ୍ତରୁ ଏହା ବହୁତ୍ ଦୂର ବାଟ । ଏହା ଛଡ଼ା ଛତିଶଗଡରେ ଯୁକ୍ତ ଦୁଇ ପାଠ ସରିବା ପରେ ସରକାରୀ ଓ ବେସରକାରୀ ସଂସ୍ଥାରେ ଚାକିରିର ବ୍ୟବସ୍ଥା ରହିଛି ଯାହାକି ଓଡ଼ିଶାରେ ନାହିଁ ।

ଛତିଶଗଡ ରେ ଓଡ଼ିଶା ପିଲାଙ୍କୁ ଷ୍ଟାଇପେଣ୍ଟ ମିଳୁନି କିନ୍ତୁ ବାକି ସବୁ ସୁବିଧା ରହିଛି । ପାଠ ପଢା ବି ଭଲ ହେଉଛି । ସବୁଠାରୁ ଗୁୁରୁତ୍ୱପୂର୍ଣ୍ଣ କଥା ହେଲା ସୀମାନ୍ତ ଅଞ୍ଚଳରେ ରହୁଥିବା ଲୋକ ଓଡ଼ିଆ ଭାଷାକୁ ନିଜର ମାତୃ ଭାଷା ଭାବରେ ଗ୍ରହଣ କରିପାରୁ ନାହାନ୍ତି । ଘରେ ଓ ବାହାରେ ଓଡ଼ିଆ ବଦଳ ରେ ହିନ୍ଦୀ, ଛତିଶଗଡ଼ି ଓ ଲରିଆ ଭାଷା ବ୍ୟବହାର କରୁଛନ୍ତି ଏବଂ ଛତିଶଗଡ ସହ ସାମାଜିକ ଓ ବ୍ୟବସାୟୀକ ସଂପର୍କ ରହିଛି । ଏସବୁ କାରଣ ରୁ ପିଲାଙ୍କୁ ଛତିଶଗଡ ରେ ପାଠ ପଢ଼ାଇବା ପାଇଁ ପ୍ରାଥମିକତା ଦେଉଛନ୍ତି ସୀମାନ୍ତ ରେ ବାସ କରୁଥିବା ଓଡ଼ିଶା ର ଅଭିଭାବକ ।

ଏପଟେ ରାଇଘର ବ୍ଲକ ଶିକ୍ଷାଧିକାରୀ ଈଶ୍ୱର ଚନ୍ଦ୍ର ମାଝୀ କହିଛନ୍ତି କି, ଓଡ଼ିଶା ପିଲା ଛତିଶଗଡରେ ପଢୁଥିବା କଥା ତାଙ୍କ ପାଖରେ ଖବର ନାହିଁ । ଓଡ଼ିଶା ସରକାରଙ୍କ ତରଫରୁ ସବୁ ପ୍ରକାର ବ୍ୟବସ୍ଥା ରହିଛି । ଛଅ ବର୍ଷରୁ ଚଉଦ ବର୍ଷର ପିଲାଙ୍କୁ ମାଗଣା ଶିକ୍ଷ୍ୟା ଦିଆ ଯାଉଛି । ତେବେ ଓଡ଼ିଶା ପିଲା କାହିଁକି ଛତିଶଗଡରେ ପାଠ ପଢ଼ିବାକୁ ଯାଉଛନ୍ତି ତାର ତଦନ୍ତ କରାଯିବ । ଅଭିଭାବକକୁ କାଉନସେଲିଙ୍ଗ କରାଯିବ ।ଏଥିସହ ପିଲାମାନଙ୍କୁ ସଚେତନ କରାଇ ସେଠାରେ ପଢୁଥିବା ପିଲାଙ୍କୁ ଫେରାଇ ଆଣିବାକୁ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି । ଏବେ ଦେଖିବାକୁ ବାକି ରହିଲା କି ଓଡ଼ିଆ ଅସ୍ମିତା ନାମରେ ଶାସନକୁ ଆସିଥିବା ସରକାର କେବେ ସୀମାନ୍ତରେ ଓଡ଼ିଆ ଭାଷାର ପ୍ରଚଳନକୁ ଗୁରୁତ୍ଵ ଦେବେ ଓ କେବେ ଛତିଶଗଡ ସ୍କୁଲ ଓଡ଼ିଶା ସ୍କୁଲ୍ କୁ ଫେରିବେ ସୀମାନ୍ତର ଓଡ଼ିଆ ଛାତ୍ର ଛାତ୍ରୀ ।

You might also like