ବିପଦସଂକୁଳ ଅବସ୍ଥାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ, ସ୍କୁଲ ଛାଡିବାକୁ ସୁରକ୍ଷିତ ମଣୁନାହାନ୍ତି ଅଭିଭାବକ

କଣ୍ଟାମାଳ: ଛାତ୍ରଛାତ୍ରୀମାନେ କିପରି ସୁବିଧାରେ ପାଠ ପଢି ପାରିବେ ଏଥିପାଇଁ ସରକାର ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ସ୍ମାର୍ଟ କ୍ଲାସରୁମ, ପାଠ୍ୟ ଉପକରଣ ସହ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିଛନ୍ତି ସରକାର । ହେଲେ ଏବେବି ଏମିତି ଅନେକ ବିଦ୍ୟାଳୟ ଅଛି ଯେଉଁଠାରେ ବିପଦ ସଂକୁଳ ଭଙ୍ଗା ଦଦରା ଆଜବେଷ୍ଟସ ସ୍କୁଲ ଘରେ ଦୟନୀୟ ଅବସ୍ଥାରେ ପାଠ ପଡୁଛନ୍ତି କୁନିକୁନି ଛାତ୍ରଛାତ୍ରୀ । ଟିକିଏ ବର୍ଷା ହେଲେ ପାଣି ଗଳିବା ସହ ପାଠପଢ଼ାରେ ବାଧା ହେଉଛି । ସେହପରି କାନ୍ଥ ଫାଟି ଆଁ କରିଛି । କେତେବେଳେ ଯେ କଣ ଅଘଟଣ ଘଟିବ କହି ହେବନି ।

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ବିଳାସପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ପରିସ୍ଥିତି । ବିଦ୍ୟାଳୟର ଅବସ୍ଥା ଅତି ଶୋଚନୀୟ । ଭଙ୍ଗାଦଦରା ଆଜବେଷ୍ଟସ୍‌ ଶ୍ରେଣୀ କୋଠରୀରେ ଚାଲିଛି ପାଠପଢା । କାନ୍ଥ ଫାଟି ଆଁ କରିଛି । ଆଜବେଷ୍ଟସରେ ଫାଟ ଯୋଗୁଁ ଟିକିଏ ବର୍ଷା ହେଲେ ପାଣି ଗଳୁଛି । କାନ୍ଥ ସବୁ ଫାଟି ଆଁ କରିଥିବାରୁ କେତେବେଳେ ଯେ ଭୁଶୁଡି ପଡିବ କହିହେବ ନାହିଁ । ବିଦ୍ୟାଳୟ ଝରକା କବାଟ ମଧ୍ୟ ଭାଙ୍ଗି ଗଲାଣି । ବାହାରେ ଆବର୍ଜନା ଘାସ ବୁଦା ଥିବାରୁ ଅନେକ ସମୟରେ ସାପ ବିଛା ମଧ୍ୟ ସ୍କୁଲକୁ ପଶି ଆସୁଛନ୍ତି । ଫଳରେ ଭଙ୍ଗାଦଦରା ଘରେ ନିଜର ଭବିଷ୍ୟତ ଗଢୁଛନ୍ତି ଏ କୋମଳମତି କୁନିକୁନି ଛାତ୍ରଛାତ୍ରୀ । ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୨୬ ଜଣ ଛାତ୍ରଛାତ୍ରୀ ଓ ଚାରିଜଣ ଶିକ୍ଷକ ଥିବାବେଳେ ମାତ୍ର ଦୁଇଟି ଶ୍ରେଣୀ କୋଠରୀରେ ପାଠ ପଡୁଛନ୍ତି ଏହି ଛାତ୍ରଛାତ୍ରୀ । ବିଦ୍ୟାଳୟରେ ବର୍ଷା ହେଲେ ପାଣି ଗଳୁଥିବାରୁ ପାଠ ପଢ଼ାରେ ସମସ୍ୟା ହେଉଛି । ବିଦ୍ୟାଳୟଟି ଅସୁରକ୍ଷିତ ଥିବାରୁ ଅଭିଭାବକମାନେ ନିଜର ପିଲାମାନଙ୍କୁ ସ୍କୁଲ ଛାଡିବାକୁ ସୁରକ୍ଷିତ ମଣୁନଥିବା କହିଛନ୍ତି ।

କେବଳ ଶ୍ରେଣୀ କୋଠରୀ ନୁହେଁ ବିଦ୍ୟାଳୟରେ ରୋଷେଇ ଘର ମଧ୍ୟ ନାହିଁ । ସେହିପରି ଦୀର୍ଘଦିନରୁ ଯେଉଁ ଗୋଟିଏ ଛାତଘର ଅଛି ସେଠାରେ ଅଫିସ ପାଠ୍ୟପୁସ୍ତକ, ମଧ୍ୟାହ୍ନ ଭୋଜନ ଚାଉଳ ଓ ଅନ୍ୟାନ୍ନ ସାମଗ୍ରୀ ରହୁଛି । ଛାତରେ ପାଣି ଗଳୁଥିବାରୁ ତାହା ମଧ୍ୟ ଭିଜି ନଷ୍ଟ ହେଉଛି । ଫଳରେ ନାହିଁ ନାହିଁରେ ଚାଲିଛି ଏହି ବିଦ୍ୟାଳୟ । ଅଭିଭାବକମାନେ ବାରମ୍ବାର ଦାବି ପରେ ମଧ୍ୟ ଏହି ବିଦ୍ୟାଳୟର ଅବସ୍ଥା ସୁଧୁରି ପାରିନାହିଁ । ଏ ସମ୍ପର୍କରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ବିଦ୍ୟାଳୟ ଏ ଅବସ୍ଥାକୁ ସ୍ୱୀକାର କରିବା ସହ ସେ ଉପରିସ୍ଥ ଅଧିକାରିଙ୍କୁ ଲିଖିତ ଭାବେ ଜଣାଇଥିବା କହିଛନ୍ତି । ତେବେ ଏ ସମ୍ପର୍କରେ ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ତଦନ୍ତ କରି ପଦକ୍ଷେପ ନେବେ ବୋଲି କହିଛନ୍ତି । ତେବେ ବିଦ୍ୟାଳୟରେ ଆବଶ୍ୟକ ନୂତନ ଶ୍ରେଣୀ କୋଠରୀ ସହ ଶୈକ୍ଷକ ବାତାବରଣ ସୃଷ୍ଟି ହେଲେ ଛତ୍ରଛାତ୍ରୀମାନେ ସୁବିଧାରେ ପାଠ ପଢିପାରନ୍ତେ l

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.