ବିପର୍ଯ୍ୟସ୍ତ ଅବସ୍ଥାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା, ବାରଣ୍ଡାରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ

ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି । ୨୦୦ ଛାତ୍ରଛାତ୍ରୀଙ୍କ ପାଇଁ ରହିଛି ମାତ୍ର ଦୁଇଟି ଶ୍ରେଣୀ ଗୃହ । ଶ୍ରେଣୀ ଗୃହ ଅଭାବରୁ ବାରଣ୍ଡାରେ ଚାଲିଛି ଶିକ୍ଷା ଦାନ । ଆବଶ୍ୟକ ଭିତ୍ତିଭୂମି ପ୍ରତି ଗୁରୁତ୍ୱ ଦିଆଯାଉନଥିବାରୁ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡିଛି।

ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି(କ) ପଞ୍ଚାୟତ ମୁଖ୍ୟାଳୟରେ ରହିଛି ପତ୍ରାପାଲି ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ହେଲେ ଏଠାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଶ୍ରେଣୀ ଗୃହ ଅଭାବ ଯୋଗୁଁ ଛାତ୍ରଛାତ୍ରୀ ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସାତ ଜଣ ଶିକ୍ଷକ ନିୟୋଜିତ ଥିବା ବେଳେ ଶ୍ରେଣୀ ଗୃହ ଅଭାବ ଯୋଗୁଁ ବାରଣ୍ଡାରେ ଚାଲିଛି ଶିକ୍ଷାଦାନ ।

ବିଦ୍ୟାଳୟର ଅନ୍ୟ ଏକ କୋଠରୀ ଆଜବେଷ୍ଟସ ଘର ହୋଇଥିବା ବେଳେ ଗୋଟିଏ କୋଠରୀ ଛାତ ଘର । ଅନ୍ୟପଟେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ରହିଥିବା ଶିକ୍ଷଣୀୟ ସାମଗ୍ରୀ, ଖେଳ ଉପକରଣ, ଚାଉଳ ସବୁ ବିପର୍ଯ୍ୟସ୍ଥ ଅବସ୍ଥାରେ ପଡିରହିଛି । ବିଦ୍ୟାଳୟ ସମସ୍ୟା ନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ବିଦ୍ୟାଳୟ ଭିତ୍ତିଭୂମି ସଜାଡ଼ିବା ପାଇଁ ଉଚ୍ଚ ଅଧିକାରୀଙ୍କୁ ଜଣାଯାଇଛି ବୋଲି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଭୋଇ ପ୍ରକାଶ କରିଛନ୍ତି ।

ବିପର୍ଯ୍ୟସ୍ତ  ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ ଦାବି ହେଉଛି । କିନ୍ତୁ ଦୀର୍ଘ ବର୍ଷ ବିତି ଯାଇଥିଲେ ବି ସୁଧୁରୁ ନାହିଁ ସ୍ଥିତି । ପିଲାମାନେ ଅତି ଦୟନୀୟ ଅବସ୍ଥାରେ ପାଠ ପଢ଼ୁଛନ୍ତି । ଆଗକୁ ଖରା ଦିନ ଆସୁଛି । ଗରମରେ ବାରଣ୍ଡାରେ ବସି ପାଠ ପଢ଼ିଲେ ପିଲାଙ୍କ ଅବସ୍ଥା ଯେ କଣ ହେବ ନକହିବା ଭଲ । ତେଣୁ ଏ ସମସ୍ୟା ପ୍ରତି ଧ୍ୟାନ ଦିଆଯାଇ ତୁରନ୍ତ ସମାଧାନ କରାଯାଉ ତାହା ହିଁ ସାଧାରଣରେ ଦାବି ହୋଇଛି ।

Also Read: ଉପାନ୍ତରେ ଅସଜଡା ଶିକ୍ଷା ବ୍ୟବସ୍ଥା, ଶ୍ରେଣୀ ଗୃହରେ ବସି ପାଠ ନୁହେଁ ଫିଲ୍ମ ଦେଖୁଛନ୍ତି ପିଲେ