ନା ଅଛି ପୋଲ ନା ଅଛି ଡଙ୍ଗା, ଭରା ନଈ ପାରି ହୋଇ ସ୍କୁଲ ଯାଉଛନ୍ତି ଶିକ୍ଷକଙ୍କ ସହ ଛାତ୍ରଛାତ୍ରୀ

କଳାହାଣ୍ଡି: ଉଚ୍ଛୁଳା ନଦୀ । ଏପେଟ ସେପଟ ଚାହିଁଲେ ଆଖି ପାଉନି । ଏହି ଉଚ୍ଛୁଳା ନଦୀରେ ପିଲାମାନେ ହାତରେ ସ୍କୁଲ ସାର୍ଟ ପ୍ୟାଣ୍ଟ ଧରି ଛାତିଏ ଛାତିଏ ପାଣିରେ ପଶି ନଦୀ ଏପାଖରୁ ସେପାଖକୁ ପାର୍‌ ହେଉଛନ୍ତି । ଟିକିଏ ଭାବନ୍ତୁ ଯଦି ପାଦ ଅସାବଧାନତା ଯୋଗୁଁ ପାଦ ଖସିଗଲା ତେବେ ପରିସ୍ଥିତି କେତେ ଭୟଙ୍କର ହେବ । ଖୋଜିଲେ ବି ମିଳିବନି ଏଇ ପିଲାମାନଙ୍କର ପତ୍ତା । ଏମାନଙ୍କ ପାଇଁ ନା ଅଛି ପୋଲ, ନା ଅଛି ଡ଼ଙ୍ଗାର ଭରସା,ତଥାପି ଦୁଇ ଅକ୍ଷର ପଢିବା ପାଇଁ ନଈ ପାଣିରେ ପହଁରି ପହଁରି ସ୍କୁଲ ଯାଉଛନ୍ତି ଏମାନେ । ଏ ହେଉଛି ସେହି ଗାଁ ଯେଉଁଠି ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଗମନାଗମନ ସହିତ ବିଜୁଳି ସାତ ସପନ ।

ଆମେ କହୁଛୁ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ଦେଦର ଗ୍ରାମପଞ୍ଚାୟତରେ ଥିବା ହରଡାଗୁଡା ଗାଁର କଥା । ଗାଁକୁ ଯିବାକୁ ରାସ୍ତା ଖଣ୍ଡିଏ ନାହିଁ ଏଇ ଦେଖୁ ନାହାଁନ୍ତି କିଭଳି ଭାବେ ଖାଲ ଖମା ପଥର ଭରା ରାସ୍ତାରେ ଯାଉଛନ୍ତି ଲୋକେ । ଏ ହେଉଛି ସେହି ଗାଁର ବାସ୍ତବ ଚିତ୍ର। ଭରା ନଈରେ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନେ କିଭଳି ନିଜ ଜୀବନକୁ ବାଜି ଲଗେଇ ନଦୀ ପାର ହୋଇ ସ୍କୁଲକୁ ଯାଉଛନ୍ତି ପାଠ ପଢିବାକୁ । ତେବେ ଏହି ହରିଡାଗୁଡା ଗାଁକୁ ଲାଗିକି ରହିଛି ସଗଡା ନଦୀ ବର୍ଷ ତମାମ ଏହି ନଦୀରେ ପାଣି ପ୍ରବାହିତ ହୋଇଥାଏ । ନଦୀରେ ପୋଲ ନଥିବା କାରଣରୁ ଛାତ୍ର ଛାତ୍ରୀ ମାନେ ସବୁ ବେଳେ ନଦୀ ପାରି ହୋଇ ସୂର୍ଲି ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ପାଠ ପଢିବାକୁ ଯାଇଥାନ୍ତି । ଶଗଡା ନଦୀ ପାରି ହୋଇ ଆହୁରି ୨ କିଲୋମିଟର ଜଙ୍ଗଲୀ ରାସ୍ତାରେ ଚାଲି ଚାଲି ଯାଇଥାନ୍ତି ଏମାନେ। ଖାଲି ସେତିକି ନୁହେଁ ଆଜ୍ଞା, ଛାତ୍ର ଛାତ୍ରୀଙ୍କ ପରିବାର ଲୋକେ କିମ୍ବା ଶିକ୍ଷକ ଛାତ୍ର ଛାତ୍ରୀଙ୍କୁ ଅଣ୍ଟାରେ ଦଉଡି ବାନ୍ଧି ନଈପାରି କରୁଥିବା ବେଳେ ବହି ଵସ୍ଥାନୀକୁ ନଈରେ ଭସେଇ ନେଉଛନ୍ତି । ଏଭଳି ପରିସ୍ଥିତିରେ ନଦୀ ପାରି ହେବା ସମୟରେ ବହି ବସ୍ଥାନୀ କେବେ କେବେ ଭସେଇ ନେଉଥିବା କହନ୍ତି ଏହି କୁନି କୁନି ଛାତ୍ରଛାତ୍ରୀ ମାନେ ।

ତେବେ ଅନେକ ଛାତ୍ର ଛାତ୍ରୀ ଏହି ସଗଡା ନଦୀ ପାରି ହୋଇ ଯିବା ସମସ୍ୟାକୁ ନେଇ ପାଠ ପଢାରେ ଡୋରି ଲଗେଇ ସାରିଲେଣି ବୋଲି କହୁଛନ୍ତି ଗ୍ରାମବାସୀ । କେବଳ ନିର୍ବାଚନ ପାଖେଇ ଆସିଲେ ଭୋଟ୍‌ ଖଣ୍ଡିଏ ମାଗିବା ପାଇଁ ରାଜ ନେତାଙ୍କ ଦେଖା ମିଳେ ଏବଂ ଫର୍ଦ୍ଦ ଫର୍ଦ୍ଦ ମିଥ୍ୟା ପ୍ରତିଶୃତି ଦେଇ ଚାଲିଯାଆନ୍ତି । ଜିତି ସାରିବା ପରେ ସବୁକଥା ଭୁଲି ଯାଆନ୍ତି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ।