ହାତରେ ଧରିଥିଲେ ଲମ୍ବା ଅଭିଯୋଗ ପତ୍ର, ଦୁଇ କିମି ଚାଲି ଚାଲି ଯାଇ ଜିଲ୍ଲାପାଳଙ୍କ ପାଖରେ ପହଞ୍ଚିଲେ କୁନି କୁନି ଛାତ୍ର

ହାତରେ ପତ୍ରଟିଏ ଧରି କୁନି କୁନି ଛାତ୍ର ଜିଲ୍ଲାପାଳଙ୍କ ଜନ ଶୁଣାଣି ଅଭିଯୋଗ ପ୍ରକୋଷ୍ଟରେ ପହଁଞ୍ଚିଲେ । କୁନି କୁନି ସ୍କୁଲ ପିଲା ଦୁଇ ଜଣଙ୍କର କି ପ୍ରକାର ଅଭିଯୋଗ ସମସ୍ତେ ଚାତକ ଭଳି ଚାହିଁଥାନ୍ତି  । ବୁଝୁ ବୁଝୁ ଜଣା ପଡିଲା ଅଭିଯୋଗ ବ୍ୟକ୍ତିଗତ ନୁହେଁ,  ନିଜ ବିଦ୍ୟାଳୟରେ ପାଠ ପଢିବା ପାଇଁ ଶ୍ରେଣୀ ଗୃହର ଅଭାବ କାରଣ ଦର୍ଶାଇ ଦୁଇ କିଲୋମିଟର ପାଦରେ ଚାଲି ଚାଲି ନିଜର ଅଭିଯୋଗ କରିବା ପାଇଁ ଆସିଛନ୍ତି ଛାତ୍ର ଦୁଇ ଜଣ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ସୁନୀତି ପଂଚାୟତରେ ଚାଲିଥିବା ଜିଲ୍ଲାପାଳଙ୍କ ଜନ ଶୁଣାଣି ଅଭିଯୋଗ ପ୍ରକୋଷ୍ଟରେ ଦୁଇ ଜଣ ଚତୁର୍ଥ ଶ୍ରେଣୀର ଛାତ୍ର ହାତରେ ଲମ୍ବା ଅଭିଯୋଗ ପତ୍ର ଟିଏ  ଧରି ପହଂଚିଗଲେ ଅଭିଯୋଗ ପ୍ରକୋଷ୍ଟରେ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଗଗୁଆ ପଂଚାୟତର ଗୁଳୁଦିଆ ପ୍ରାଥମିକ ବିଦ୍ୟାଳୟରେ । ଗୋଟିଏ ଶ୍ରେଣୀଗୃହରେ ୯୩ ଜଣ ଛାତ୍ର ଛାତ୍ରୀ । ବାରଣ୍ଡାରେ ଚାଲିଛି ପାଠପଢ଼ା । ଏନେଇ ୨ କିଲୋମିଟର ଚାଲି ଚାଲି ଯାଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ଦୁଇ ଛାତ୍ର ।

ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ୯୩ ଜଣ ଛାତ୍ରଛାତ୍ରୀମାନେ ଗୋଟିଏ ଶ୍ରେଣୀ ଗୃହରେ ଅଧୟନ କରୁଛନ୍ତି । ନା ଅଛି ଶିକ୍ଷା ଦାନ ପାଇଁ ଭଲ ପରିବେଶ, ନା ଅଛି ବିଦ୍ୟାଳୟରେ ମଧ୍ୟାହ୍ନ୍ନ ଭୋଜନ ପ୍ରସ୍ତୁତି ପାଇଁ ରୋଷେଇ ଶାଳ ଆଉ ନା ଅଛି ବଗିଚା । ଏଭଳି ଅନେକ ସମସ୍ୟା ନେଇ ଗୁଳୁଦିଆ ବିଦ୍ୟାଳୟରେ ଚାଲିଛି ପାଠ ପଢ଼ା । ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଓ ସ୍କୁଲ କମିଟି ବିଭାଗୀୟ ଅଧିକାରୀ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳୁନି ବୋଲି କହିଛନ୍ତି ସ୍କୁଲ କମିଟିର ସଭାପତି ।

ଶ୍ରେଣୀ ଗୃହ ଅଭାବରୁ ବର୍ଷ ତମାମ ବିଦ୍ୟାଳୟ ବାରଣ୍ଡାରେ ଚାଲିଛି ପାଠ ପଢା ।  ପାଚେରି ନଥିବାରୁ ସଞ୍ଜ ନଇଁଲେ ଆସାମାଜିକ ଲୋକମାନଙ୍କ ଆଡାସ୍ଥଳୀ ପାଲଟୁଛି ବିଦ୍ୟାଳୟ ପରିସର  । ବାରମ୍ବାର ଅଭିଯୋଗ ପରେ ଆଜି ବିଦ୍ୟାଳୟର ଛାତ୍ରମାନେ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲାପାଳ ସ୍ମ୍ରୁତିରଞ୍ଜନ ପ୍ରଧାନ  ଛାତ୍ର ମାନଙ୍କର ଅଭିଯୋଗକୁ ଗୁରୁତ୍ବର ସହ ନେଇଥିବା ଦେଖିବାକୁ ମିଳିଛି । ତେବେ ଦେଖିବାକୁ ବାକି ରହିଲା କେବେ ବିଦ୍ୟାଳୟ ସମସ୍ୟାର ସମାଧାନ ହେଉଛି ।

You might also like