ସ୍କୁଲ ଯିବା ବାଟରେ ଭାଲୁ ହାବୁଡ଼ରେ ପଡ଼ିଲେ ଛାତ୍ରଛାତ୍ରୀ, ଭୟରେ ମଝି ରାସ୍ତାରେ ଅଟକି ରହିଲେ

ଜୟପୁର: ଦିନ ରାତି କିଛି ମାନୁ ନାହାନ୍ତି ଜଙ୍ଗଲୀ ଭାଲୁ । ପୂର୍ବରୁ ବିଳମ୍ବିତ ରାତିରେ ଭାଲୁମାନେ ଜନବସତିକୁ ଆସି ଉତ୍ପାତ କରୁଥିଲେ । କିନ୍ତୁ ଏବେ ଦିନରେ ବି ଭାଲୁଙ୍କୁ ଜନବସତି ଅଞ୍ଚଳରେ ଦେଖିବାକୁ ମିଳୁଛି । ସକାଳୁ ସକାଳୁ ମଝି ରାସ୍ତାରେ ଉତ୍ପାତ କରୁଛନ୍ତି ଏ ଜଙ୍ଗଲୀ ଭାଲୁ । ଫଳରେ ସ୍କୁଲ ନଯାଇ ରାସ୍ତା ମଝିରେ ଅଟକି ରହିଲେ ଛାତ୍ରଛାତ୍ରୀ ।

ଭାଲୁକୁ ଦେଖିବା ପରେ ଭୟରେ ସ୍କୁଲ ଯିବେ କଣ ମଝି ରାସ୍ତାରେ ଅଟକି ରହିଲେ । ନା ଘରକୁ ଯିବାକୁ ସାହସ ଥିଲା ନା ସ୍କୁଲକୁ ଯିବାର ସାହସ ଥିଲା । କୁନି କୁନି ପିଲାମାନେ କେମିତି ବା ଭାଲୁ ଦେଖିବା ପରେ ସ୍କୁଲ ଯାଇଥାନ୍ତେ । ଉପାୟ ନପାଇ ମଝି ରାସ୍ତାରେ ହିଁ ଠିଆ ହୋଇ ରହିଲେ । କିଛି ସମୟ ପରେ ଉକ୍ତ ରାସ୍ତା ଦେଇ ଯାଉଥିବା କିଛି ଲୋକ ଘଟଣାସ୍ଥଳରେ ଅଟକିଥିଲେ । ଏବଂ ଘଟଣା ବିଷୟରେ ସ୍କୁଲ ପିଲାଙ୍କୁ ପଚାରିବାରୁ ରାସ୍ତା ଉପରେ ଭାଲୁ ଥିବା ଜାଣିବାକୁ ପାଇଥିଲେ । ଧିରେ ଧିରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଲା । ସ୍କୁଲ ପିଲାଙ୍କ ସହ ରାସ୍ତାରେ ଯାଉଥିବା ଅନ୍ୟ ଲୋକମାନେ ବି ଭାଲୁ ଡରରେ ମଝି ରାସ୍ତାରେ ଅଟକି ରହିଲେ ।

ସୂଚନା ଅନୁସାରେ ବୋରିଗୁମ୍ମା ବ୍ଲକ ମୁଞ୍ଜା – ଚୌପାଡୀ ରାସ୍ତାରେ ଭାଲୁଙ୍କ ବିଚରଣ ଦେଖିବା ପରେ ମଝି ରାସ୍ତାରେ ଅଟକି ରହିଥିଲେ ସ୍କୁଲ୍ ଛାତ୍ରଛାତ୍ରୀ। ମୁଞ୍ଜା ସ୍କୁଲକୁ ଯିବା ପାଇଁ ବାହାରିଥିବା ବେଳେ ହଠାତ ଛାତ୍ରଛାତ୍ରୀମାନେ ଭାଲୁ ସାମ୍ନାରେ ପଡ଼ିଥିଲେ ।

ପିଲାମାନେ ତ ଭାଲୁ ଆକ୍ରମଣରୁ ବଞ୍ଚିଗଲେ । କିନ୍ତୁ ଦିନବେଳେ ଭାଲୁଙ୍କ ଏଭଳି ବିଚରଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଛାତ୍ରଛାତ୍ରୀମାନେ ସ୍କୁଲ ଯିବାକୁ ଭୟ କରୁଛନ୍ତି । ଜଙ୍ଗଲ କାଟି ସଫା କରାଯାଉଥିବାରୁ ଜଙ୍ଗଲୀ ଜନ୍ତୁଙ୍କୁ ଖାଦ୍ୟ ମିଳୁନି । ତେଣୁ ଏ ହିଂସ୍ର ଜୀବମାନେ ଖାଦ୍ୟ ଅନେ୍ଵଷଣରେ ଏପରି ଜଙ୍ଗଲ ଛାଡ଼ି ଜନବସତିକୁ ମାଡ଼ି ଆସୁଛନ୍ତି । ବେଳେବେଳେ ମଣିଷଙ୍କୁ ଆକ୍ରମଣ କରିବାକୁ ପଛାନ୍ତି ନାହିଁ ଭାଲୁ । ଭାଲୁ ଆକ୍ରମଣରେ ଅନେକ ଲୋକଙ୍କ ଜୀବନ ଯାଇଥିବା ଖବର ଉପରେ ମଧ୍ୟ ନଜିର ରହିଛି । ଯଦି ମଣିଷ ଜଙ୍ଗଲ କାଟି ସଫା ନକରିବ ତେବେ ଏ ଭାଲୁଙ୍କ ଅବାଧ ବିଚରଣ କମ ହେବ । ଭାଲୁ ଡରରେ କଟାହାଣ୍ଡି, ଘାଟଆଳଗୁଡ଼ା, ଚୌପାଡୀ ଗାଁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ଭାଲୁର ଗତିବିଧି ଉପରେ ଅନୁଧ୍ୟାନ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like