ଆରମ୍ଭ ହେଲା ପ୍ରସିଦ୍ଧ ହରଗୌରୀ ଯାତ୍ରା, ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ମହିଳା କଲେ ‘କୁମକୁମ’ ପୂଜା

ସୁବର୍ଣ୍ଣପୁର (କେନ୍ୟୁଜ): ଓଡିଶାର ବିଭିନ୍ନ ସ୍ଥାନରେ ପାଳିତ ହେଉଥିବା ଯାନିଯାତ୍ରା ମଧ୍ୟରୁ ସୁବର୍ଣ୍ଣପୁର ସହରରେ ପାଳିତ ହେଉଥିବା ହରଗୌରୀ ଯାତ୍ରାର ଏକ ସ୍ୱତନ୍ତ୍ରତା ରହିଛି । ସହରରେ ବାସ କରୁଥିବା ତେଲୁଗୁ ବା ଢେରା ସମ୍ପ୍ରଦାୟ ଦ୍ୱାରା ପାଳିତ ହେଉଥିବା ଏହି ଯାତ୍ରାକୁ ତେଲୁଗୁ ଭାଷାରେ ଗୌରାମ୍ମା ସାମ୍ରାଲୁ ମଧ୍ୟ କୁହା ଯାଇଥାଏ । ଏହି ଦକ୍ଷିଣ ଭାରତୀୟ ଯାତ୍ରାକୁ ବୁଢୀମା ଠାକୁରାଣୀ ଯାତ୍ରା ବୋଲି ମଧ୍ୟ କୁହାଯାଏ । ଏହି ଯାତ୍ରାରେ ଦକ୍ଷିଣ ଭାରତର ଲୋକମାନେ ବୁଢୀମା ଠାକୁରାଣୀ ତଥା ହରଗୌରୀଙ୍କ ପାଖରେ ଏକ ସ୍ବତନ୍ତ୍ର ପୂଜା କରିଥାନ୍ତି । ଆଉ ଏହି ଅବସରରେ ହେଉଥିବା କୁମ୍‌ କୁମ୍‌ ପୂଜାର ଏକ ଭିନ୍ନ ଆକର୍ଷଣ ରହିଛି ।

ରାଜ ରାଜୁଡା ଅମଳରୁ ସହରର ଢେରାପଡ଼ାଠାରେ ପ୍ରତି ଦୁଇ ବର୍ଷ ଅନ୍ତରରେ ଓ ୯ ଦିନ ଧରି ଚାଲିଥାଏ ହରଗୈାରୀ ଯାତ୍ରା । ହରଗୈାରୀ ଯାତ୍ରାରେ ମହିଳାଙ୍କଦ୍ୱାରା ହେଉଥିବା ଏହି କୁମ୍‌ କୁମ୍‌ ପୂଜାରେ ଆଦ୍ୟପୂଜ୍ୟ ଗଣେଶ, ଦେବୀ ପାର୍ବତୀ ଓ ଦେବ ଦେବ ମହାଦେବଙ୍କ ମନ୍ତ୍ର ସହ ଶ୍ରୀଯନ୍ତ୍ର ଉପରେ ବ୍ରତଧାରୀ ମହିଳା ମାନେ ସିନ୍ଦୁର ଚଢାଇ ନିଜ ପରିବାରର ସୁଖ ସମୃଦ୍ଧି ପାଇଁ କାମନା କରିଥାନ୍ତି ।

kumkum puja

ଏଥି ସହିତ ହରଗୌରୀଙ୍କ ପାଖରେ ଶ୍ରଦ୍ଧାଳୁମାନେ ଧୂପ ଦୀପ ଦେଇ ଆରାଧନା କରିବା ସହିତ ସ୍ବତନ୍ତ୍ର ଧରଣର ଦକ୍ଷିଣ ଭାରତୀୟ ନୈବେଦ୍ୟ ଅର୍ପଣ କରିଥାନ୍ତି । ପାରମ୍ପରିକ ଚିତା, ରୀତିନୀତି ଓ ମନ୍ତ୍ର ଗୀତର ଧାରେ ଧାରେ ବ୍ରତଧାରୀ କରିଚାଲିଥାନ୍ତି ସିନ୍ଦୁର ଅର୍ପଣ, ଦୀପଦାନ ଓ ସମର୍ପଣ ପରେ ଏହି ପୂଜା ଶେଷ ହୋଇଥାଏ । ଆଉ ପର୍ବର ଅନ୍ତିମ ଉପଚାରରେ ରହିଛି ବ୍ରତଧାରୀଙ୍କ ମଧ୍ୟରେ ସିନ୍ଦୁର ଖେଳ । ପରସ୍ପର ମଧ୍ୟରେ ସିନ୍ଦୁର ଲଗାଇ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ କୁମ୍‌ କୁମ୍‌ ପୂଜାର ମଜାଉଠାଇଥାନ୍ତି । ଏହି କୁମକୁମ ପୂଜାରେ କେବଳ ଯେ ତେଲଗୁ ସଂପ୍ରଦାୟର ବିବାହିତ ମହିଳା ବ୍ରତ କରନ୍ତି ତା ନୁହେଁ, କୁମାରୀମାନେ ମଧ୍ୟ ଭଲ ବର ପାଇବାକୁ ଏହି ପୂଜା କରିଥାନ୍ତି । ତେବେ ଏହି ଯାତ୍ରା ଆରମ୍ଭ ହୋଇଯାଇଥିବା ବେଳେ ଏଥର କୋଭିଡ କଟକଣା ଭିତରେ ନିରାଡମ୍ବର ଭାବେ ପାଳନ କରାଯାଉଛି ।

Leave A Reply

Your email address will not be published.