ଧର୍ମଶାଳା ରଜ କୁଇନ ମୁକୁଟ ପିନ୍ଧିଲେ ସୁଭଦ୍ରା

ଯାଜପୁର(କେନ୍ୟୁଜ୍‌) : ସାରା ରାଜ୍ୟରେ ମେଲିଛି ରଜର ଆସର । ଧୁମ୍‌ ଧାମ୍‌ ରେ ଏଥର ସବୁଠି ପାଳିତ ହୋଇଯାଇଛି ରଜ । ପିଠା, ପାନ, ଦୋଳିର ମଜା ନେଉଥିବା ବେଳେ ନାଚ ଗୀତ ମସଗୁଲ୍‌ ହୋଇଯାଇଥିଲେ ଯାଜପୁର ବାସୀ । ଏହାରି ଭିତରେ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା କଳ୍ପତରୁ ଦାସ ନେସନାଲ ଫାଉଣ୍ଡେସନ ପକ୍ଷରୁ ଚାଲିଥିବା ରଜ କୁଇନ ପ୍ରତିଯୋଗିତା । ଯେଉଁଥିରେ ବହୁ ସଂଖ୍ୟକ ପତିଯୋଗୀମାନେ ଅଂଶ ଗ୍ରହଣ କରିଥିଲେ ।

ଏହି ପ୍ରତିଯୋଗିତାରେ ଧର୍ମଶାଳା ନିର୍ବାଚନମଣ୍ଡଳୀର ୫୪ ଗୋଟି ପଞ୍ଚାୟତରୁ ମୋଟ ୨୯୪୫ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ପ୍ରତିଯୋଗୀ ମାନେ ନୃତ୍ୟ, ସଙ୍ଗୀତ, ବକ୍ତୃତା, ଏକକ ଅଭିନୟ ଓ ରାମ୍ପସୋ ଆଦି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ସବୁଠୁ ବଡ଼ କଥା ହେଉଛି ଏହି ପ୍ରତିଯୋଗିତାରେ ସମସ୍ତଙ୍କୁ ପଛରେ ପକାଇ ସୁଭଦ୍ରା ବାରିକ ବିଜୟ ମୁକୁଟ ପିନ୍ଧିଛନ୍ତି ।

ପଞ୍ଚାୟତ ସ୍ତରରୁ ଭାଗ ନେଇଥିବା ୨୯୪୫ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୨୦ଜଣ ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ। ଶେଷରେ ରଜ କୁଇନ ବିଜୟ ମୁକୁଟ ପିନ୍ଧିଥିଲେ ମର୍ଜିତାପୁର ପଞ୍ଚାୟତର ସୁଭଦ୍ରା ବାରିକ। ବିଚାରକ ଭାବେ ନୃତ୍ୟଶିଳ୍ପୀ ସୁଚିସ୍ମିତା ମିଶ୍ର ଓ ସୀମାରାଣୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଜାରକା ସ୍ଥିତ କଳ୍ପତରୁ ଦାସ ଷ୍ଟାଡିୟମଠାରେ ରଜ କୁଇନ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହୋଇଥିଲା। ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିବା ୨୦ଜଣ ପ୍ରତିଯୋଗୀ ବିଭିନ୍ନ ପ୍ରତିଯୋଗିତାରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ।

ଉଦଯାପନୀ ସମାରୋହରେ ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ, ଜିଲ୍ଳା ପରିଷଦ ସଭ୍ୟ ଜଳଧର ମହାନ୍ତି, ଶିଶୁ ସାହିତ୍ୟିକ ଡ଼. ପ୍ରିୟନାଥ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଧର୍ମଶାଳା ଗାର୍ଲସ ଉଇଙ୍ଗ ସଂଗଠନ ଜରିଆରେ ଗ୍ରାମାଂଚଳରେ ରହିଥିବା ଲୁକାୟିତ ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବା ଫାଉଣ୍ଡେସନର ମୂଳ ଉଦ୍ଦେଶ୍ୟ ବୋଲି ଆୟୋଜକ ମାନେ କହିଥିଲେ।

 

You might also like