ପରିବେଶ ସୁରକ୍ଷା ପାଇଁ ଚିନ୍ତାରେ ସୁଭଦ୍ରା କୃଷକ ମହାସଙ୍ଘ, ପ୍ରକୃତିକୁ ବଞ୍ଚାଇବା ପାଇଁ ଚାଲିଛି ଉଦ୍ୟମ

କାକଟପୁର: ସାରା ବିଶ୍ବରେ ପ୍ରଦୁଷଣ ଦିନକୁ ଦିନ ବଢ଼ି ଚାଲିଛି । ପରିବେଶ ସୁରକ୍ଷା ଆମ ହାତରୁ ଧିରେ ଧିରେ ଚାଲିଯିବାକୁ ବସିଲାଣି I କାହିଁକି ନା ମଣିଷ ଜଙ୍ଗଲ କାଟି ସଫାକରୁଛି । ପରିବେଶ ଉତ୍ତପ୍ତ ହୋଇ ମାନବ ସମାଜକୁ ଅସ୍ତବ୍ୟସ୍ତ କରୁଛି । ସାରା ବିଶ୍ବ ଏବେ ଉତ୍ତପ୍ତ ପିଣ୍ଡରେ ପରିଣତ । ବହୁ ପରିମାଣରେ ଗଛ କାଟି ପରିବେଶକୁ ନଷ୍ଟ କରୁଛି ଏହି ମାନବ ସମାଜ । ଏନେଇ ଏବେ ପ୍ରତି ଗାଁ ଗାଁ ରେ ଆମ ପରିବେଶ ସୁରକ୍ଷା ପାଇଁ ସଚେତନତା ଉଦ୍ୟମ ଆରମ୍ଭ ହୋଇଗଲାଣି । ବିଭିନ୍ନ ସଂଗଠନ ତରଫରୁ ଗଛ ଲଗାଇ ପ୍ରକୃତିକୁ ବଞ୍ଚାଇବାକୁ ଚେଷ୍ଟା କରାଯାଉଛି । ସମାନ ଭାବେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ମାଲଦା ଗାଁ ର ସୁଭଦ୍ରା କୃଷକ ମହାସଙ୍ଘ ବି ପରିବେଶ ସୁରକ୍ଷାକୁ ନେଇ ଚିନ୍ତା କରୁଛି । ପରିବେଶର ସୁରକ୍ଷା ପାଇଁ ଏକ ଲକ୍ଷ ଫଳଯୁକ୍ତ ଓ ଛାୟା ଯୁକ୍ତ ବୃକ୍ଷ ଚାରା ରୋପଣ ପାଇଁ ଦିନରାତି କାର୍ଯ୍ୟ କରୁଛି ଏ ସଂଘ ।
ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକ ମାଲଦା ଗାଁ ର ସୁଭଦ୍ରା କୃଷକ ମହାସଂଘ ପ୍ରେରଣାଦାୟୀ ଉଦ୍ୟମ ଆରମ୍ଭ କରିଛି । ଅସ୍ତରଙ୍ଗ ବ୍ଲକ ର ପ୍ରତି ଗାଁ ରେ ମୋଟ ଏକ ଲକ୍ଷ ଚାରା ରୋପଣ ପାଇଁ ଉଦ୍ୟମ ଆରମ୍ଭ କରିଛି ଏହି ସଂଘ । ବିଶେଷକରି ପ୍ରତି ଗାଁ ରେ ଏକ ହଜାର ବରଗଛ ଚାରା ସାଙ୍ଗକୁ ତାଳଗଛ ଚାରା ରୋପଣ ପାଇଁ ମଞ୍ଜି ବୁଣିବା ଆରମ୍ଭ କରିଛନ୍ତି ସମସ୍ତ ସଦସ୍ୟ । ଗାଁ ଗୋଚର ଜମି, ନଦୀ ପଠା, ରାସ୍ତା କଡ଼ରେ ସୁଭଦ୍ରା କୃଷକ ସଂଘର ଯୁବକ ଓ ମହିଳାମାନେ ଗଛ ଲଗାଇବା କାର୍ଯ୍ୟରେ ଲାଗି ପଡ଼ିଛନ୍ତି ।
ଆମ ପରିବେଶକୁ ସୁରକ୍ଷା ଦେବାକୁ ହେଲେ ଆମକୁ ସଜାଗ ହେବାକୁ ପଡିବ । ଅସ୍ତରଙ୍ଗ ଅଞ୍ଚଳ ସମୁଦ୍ର କୂଳରେ ଅବସ୍ଥିତ ଥିବାରୁ ଅନେକ ସମୟରେ ବାତ୍ୟା ସହ ବିଭିନ୍ନ ପ୍ରାକୃତିକ ସମସ୍ୟାର ସାମ୍ନା କରେ ଆଉ ଆମ ପରିବେଶ ନଷ୍ଟ ହୁଏ । ତେଣୁ ସୁଭଦ୍ରା କୃଷକ କ୍ଲବ ର ଉତ୍ସାହୀ ସଦସ୍ୟମାନେ ନୂଆ ଉଦ୍ୟମ ଆରମ୍ଭ କରିଛନ୍ତି । ବିଭିନ୍ନ ଗାଁରେ ବର୍ଷା ଦିନେ ଏକ ଲକ୍ଷ ଚାରା ରୋପଣ ପାଇଁ ପଦକ୍ଷେପ ନେଇ କାର୍ଯ୍ୟ କରୁଛି ଏ ସଂଘ ।
ଗୋଟିଏ ନୂଆ ପୃଥିବୀ ଗଠନ କରିବାକୁ ହେଲେ ଆମ ପରିବେଶକୁ ଆମକୁ ସୁରକ୍ଷା ଦେବାକୁ ହେବ । ଅଧିକରୁ ଅଧିକ ବୃକ୍ଷ ରୋପଣ ଉପରେ ଧ୍ୟାନ ଦେବାର ଆବଶ୍ୟକତା ଅଛି । ଏହି ଲକ୍ଷ୍ୟ ପୂରଣ ପାଇଁ ସୁଭଦ୍ରା କୃଷକ ମହାସଂଘ ଅନବରତ ଉଦ୍ୟମ କରୁଛି I