ମହିଳାଙ୍କ ପାଇଁ ମୋହନ ସରକାରଙ୍କ ବଡ଼ ଘୋଷଣା: ସେପ୍ଟେମ୍ବର ୧୭ରୁ ଆରମ୍ଭ ହେବ ସୁଭଦ୍ରା ଯୋଜନା
ଭୁବନେଶ୍ୱର : ରାଜ୍ୟର ସମସ୍ତ ମହିଳାଙ୍କ ପାଇଁ ବଡ଼ ଘୋଷଣା । ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭ ହେବ ବହୁ ପ୍ରତିକ୍ଷିତ ସୁଭଦ୍ରା ଯୋଜନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ତାରିଖରେ ହୋଇଥିବାରୁ ଉକ୍ତଦିନ ହିଁ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାକୁ କାର୍ଯ୍ୟକାରୀ କରିବେ । ଏ ନେଇ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଘୋଷଣା କରିଛନ୍ତି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଧାନମନ୍ତ୍ରୀ ନିଜେ ଓଡ଼ିଶା ଆସି ମହିଳାଙ୍କ ବିକାଶ ନିମନ୍ତେ ଏହି ଯୋଜନାର ଶୁଭାରମ୍ଭ କରିବେ । ଦିଲ୍ଲୀର ଏକ ସଭାରେ ଯୋଗ ଦେଇ ୫ ଲକ୍ଷ ମହିଳାଙ୍କ ଉପସ୍ତସ୍ଥିତିରେ ଏହି ଯୋଜନାର ଶୁଭାରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହାସହିତ ରାଜ୍ୟର ବିଜେପି ସରକାର ନିଜର ପ୍ରତିଶ୍ରୁତି ମୁତାବକ ଆସନ୍ତା ଖରିଫ ଋତୁରୁ ଧାନର ଏମଏସପି ୩୧୦୦ଟଙ୍କା କ୍ୱିଣ୍ଟାଲ ପିଛା ଦେବ ବୋଲି ଶ୍ରୀ ମାଝୀ କହିଛନ୍ତି । କେନ୍ଦ୍ର ସରକାର ଏବେ ଧାନର କ୍ୱିଣ୍ଟାଲ ଏମଏସପି ୨୩୦୦ଟଙ୍କା ଦେବେ ଓ ବାକି ୮୦୦ଟଙ୍କା ରାଜ୍ୟ ସରକାର ଉଭୟ ଖରିଫ ଓ ଋବି ଋତୁରେ ଚାଷୀଙ୍କୁ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ ସୁଭଦ୍ରା ଯୋଜନାରେ ଓଡ଼ିଶାର ସବୁ ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କାର କ୍ୟାସ୍ ଭାଉଚର୍। ଏନେଇ ଗତକିଛି ଦିନ ତଳେ ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ ସୁଭଦ୍ରା ଯୋଜନାରେ କ୍ୟାବିନେଟ୍ ମୋହର ବାଜିବା ପରେ ଡ୍ରାଫ୍ଟିଂ ଷ୍ଟେଜରେ ଅଛି । ଆସନ୍ତା ୧୦୦ ଦିନ ଭିତରେ ସୁଭଦ୍ରା ଯୋଜନା ଲଞ୍ଚ ହେବ ।