ଦୁଃଖ ଓ ପରିତାପର ବିଷୟ: ସରିଛି ସବଷ୍ଟେସନ ଉଦଘାଟନ, କିନ୍ତୁ ଆଜି ଯାଏ ହେଉନି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ

ଦଶପଲ୍ଲା: ଗତ ୨୦୨୩ ମସିହା ସେପ୍ଟେମ୍ବର ମାସ । ବିକାଶ ଧାରାରେ ସାମିଲ ହୋଇ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ତାକୁଡ଼ା ଠାରେ ଉଦଘାଟନ ହୋଇଥିଲା ୩୩/୧୧ କେଭି ଇଲେକ୍ଟ୍ରି ସବଷ୍ଟେସନ। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଉଦଘାଟନ ସରିଥିଲେ ସୁଦ୍ଧା ଏଯାବତ୍ କାର୍ଯ୍ୟକ୍ଷମ ହେଉନି ଉକ୍ତ ସବଷ୍ଟେସନର ୨ଟି ଫିଡର । ଗୋଟିଏ ଫିଡରରେ ହେଇଛି ବିଭିନ୍ନ ସ୍ଥାନକୁ ବିଦ୍ୟୁତ୍ ସଞ୍ଚାଳନ । ଏନେଇ ଲୋକଙ୍କ ମଧ୍ୟରେ ଦେଖାଦେଇଛି ନାହିଁ ନଥିବା ଅସନ୍ତୋଷ ।
ସୂଚନା ଅନୁସାରେ ଆଦିବାସୀ ବହୁଳ ଅଞ୍ଚଳ ଦଶପଲ୍ଲା ବ୍ଲକରେ ଦୀର୍ଘ ଦିନ ହେବ ବିଜୁଳି ସମସ୍ୟା ହେବା ସହିତ ଅନେକ ସମସ୍ୟା ଉପୁଜୁଥିଲା । ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଦଶପଲ୍ଲା ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଆଦିବାସୀ ବହୁଳ ବାଣୀଗୋଛା ପଞ୍ଚାୟତର ତାକୁଡ଼ା ଠାରେ ୩୩/୧୧ କେଭିର ସବଷ୍ଟେସନ କରିବା ପାଇଁ ଅର୍ଥ ମଞ୍ଜୁର କରିଥିଲେ । ତେବେ ପରବର୍ତ୍ତୀ ସମୟେ ଏହି ୩୩/୧୧ କେଭି ସବଷ୍ଟେସନ ନିର୍ମାଣ ହୋଇ ଗତ ସେପ୍ଟେମ୍ୱର ମାସରେ ଉଦଘାଟନ ମଧ୍ୟ ହୋଇଥିଲା ।
ଉଦଘାଟନ ପରେ ଲୋକଙ୍କ ମନରେ ଏକ ଉତ୍କଣ୍ଠା ଜାଗ୍ରତ ହୋଇଥିଲା କି ଏହି ସବଷ୍ଟେସନ ଚାଲୁ ହେବା କ୍ଷଣି ପାଖାପାଖି ଦଶପଲ୍ଲାର ୭ଗୋଟି ପଞ୍ଚାୟତର ପ୍ରାୟ ଶତାଧିକ ଗ୍ରାମର ଗ୍ରାମବାସୀ ଉପକୃତ ହେବେ । ତାସହିତ ଲୋ-ଭୋଲ୍ଟେଜ, ବାରମ୍ବାର ବିଦ୍ୟୁତ୍ କାଟ ଏଭଳି କିଛି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଆଉ ରହିବନାହିଁ । କିନ୍ତୁ ଦୁଃଖ ପରିତାପର ବିଷୟ ଲୋକଙ୍କ ଏହି ଆଶା,ଉତ୍କଣ୍ଠା, ପାଣି ଫୋଟକା ପରି ମିଳାଇ ଯାଇଛି । କାରଣ ଉଦଘାଟନ ହେବାର ୧୦ ମାସରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ଏଯାବତ୍ ସବଷ୍ଟେସନ ରେ ଥିବା ୩ଟି ଫିଡର ମଧ୍ୟରୁ ୨ଟି ଫିଡର ଚାଲୁହୋଇ ନାହିଁ । ଯାହା ଫଳରେ ଉକ୍ତ ଅଂଚଳରେ ବିଭିନ୍ନ ସମୟରେ ଦେଖାଦେଉଛି ବିଦ୍ୟୁତ୍ କାଟ୍ ଓ ଲୋ – ଭୋଲ୍ଟେଜ ଭଳି ଗୁରୁତ୍ୱପୂର୍ଣ୍ଣ ସମସ୍ୟା।
ସ୍ଥାନୀୟ ଜନସାଧାରଣଙ୍କ କହିବା ଅନୁସାରେ, ବର୍ତ୍ତମାନ ଦଶପଲ୍ଲା ପଶ୍ଚିମାଞ୍ଚଳରେ ବାରମ୍ବାର ଦେଖାଦେଉଛି ବିଦ୍ୟୁତ୍ ସମସ୍ୟା । ବିଦ୍ୟୁତ୍ ସମସ୍ୟା ଦେଖାଦେଲେ ଦୈନଦିନ ଜୀବନ ଯାପନର ଅନେକ ଗୁରୁତ୍ୱପୂର୍ଣ କାର୍ଯ୍ୟରେ ବାଧାପ୍ରାପ୍ତ ହେଉଅଛି । ତଥା ବିଦ୍ୟାଳୟ ,ଥାନା ,ମେଡିକାଲ୍ ,ବ୍ୟାଙ୍କ୍,ପୋଷ୍ଟ ଅଫିସ ,ଭଳି ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ସ୍ଥଳରେ ବିଦ୍ୟୁତ୍ ର ଆବଶ୍ୟକତା ଜରୁରୀ ହୋଇପଡ଼ିଥିବା ବେଳେ ବାରମ୍ବାର ବିଦ୍ୟୁତ୍ କାଟ୍,ଲୋ – ଭୋଲ୍ଟେଜ ଯୋଗୁଁ ଏସବୁ ସ୍ଥାନରେ ଅନେକ ସମୟରେ କାର୍ଯ୍ୟ କରିବାରେ ବିଭିନ୍ନ ସମସ୍ୟା ଉପୁଜୁଛି । ଛାତ୍ରଛାତ୍ରୀଙ୍କ ପଢାରେ ସମସ୍ୟା ଦେଖାଦେଉଛି । ଏନେଇ ଅନେକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସ୍ଥାନୀୟ ଲୋକେ ।
ଲୋକ ମାନଙ୍କ ପ୍ରତ୍ୟେକ ମୌଳିକ ସୁବିଧା ମଧ୍ୟରୁ ବିଦ୍ୟୁତ୍ ସୁବିଧା ଅନ୍ୟତମ । ବିଦ୍ୟୁତ୍ ନଥିଲେ ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୁଅନ୍ତି । ବର୍ଷା ଚାଲିଥିବା ହେତୁ, ଏବେ ଏହି ଅଞ୍ଚଳରେ ଲୋକମାନଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହେଉଛି । ତେବେ ଏହି ସବଷ୍ଟେସନର ସମସ୍ତ ଫିଡରକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ତେବେ ଦେଖିବାକୁ ବାକି ରହିଲା କେବେ ସୁଧୁରୁଛି ଦଶପଲ୍ଲା ପଶ୍ଚିମାଞ୍ଚଳର ବିଦ୍ୟୁତ୍ ସମସ୍ୟା ।