ଯାଜପୁର: ପରିବାରରେ ଖେଳିଯାଇଛି ଖୁସିର ଲହରୀ । କାରଣ ଘରର ଝିଅମାନେ ସୁନାମ ଆଣିଛନ୍ତି ସେ ବି ପୁଣି କ୍ରୀଡ଼ାରେ । ଆଜିର ଯୁଗରେ କେବଳ ଶିକ୍ଷା କ୍ଷେତ୍ରରେ ନୁହେଁ କ୍ରୀଡ଼ାରେ ବି ଆଉ ପଛରେ ନାହାନ୍ତି ଝିଅମାନେ । ତେବେ ନିକଟରେ ଗୋଆର ମାପୁସାରେ ଆୟୋଜିତ ସିନିୟର ନ୍ୟାସନାଲ କିକ୍ ବକ୍ସିଂ ଚାମ୍ପିଅନସିପରେ ଓଡ଼ିଆ କ୍ରୀଡ଼ାବିତଙ୍କ ସଫଳତା ଏବେ ଯାଜପୁରରେ ଚର୍ଚ୍ଚାର ବିଷୟ ପାଲଟିଛି । କଥାରେ ଅଛି ପରିଶ୍ରମ ହିଁ ସଫଳତାର ଚାବି କାଠି । ଏନେଇ ବାପା, ମାଙ୍କ ଖୁସି ତ କହିଲେ ନସରେ । କ୍ରୀଡ଼ାରେ ଏଭଳି ସଫଳତା ପାଇ ନିଜ ରାଜ୍ୟ ପାଇଁ ଆଣିଛନ୍ତି ଗର୍ବ ଏବଂ ଗୌରବ ।
ତେବେ ଗତ ୨୪ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ପ୍ରତିଯୋଗୀତାରେ ଯାଜପୁରର ଭାଗ୍ୟଶ୍ରୀ ମହାପାତ୍ର ଗୋଟିଏ ରୋପ୍ୟ ପଦକ, ଅର୍ପିତା ପ୍ରିୟଦର୍ଶିନୀ ପଣ୍ଡା ଦୁଇଟି ବ୍ରୋଞ୍ଜ ପଦକ ଏବଂ ଶର୍ମିଷ୍ଠା ଦାସ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ସେମାନେ ଯାଜପୁରରେ ପହଞ୍ଚିବା ପରେ ଯାଜପୁର କିକ ବକ୍ସିଂ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଟିମରେ ମ୍ୟାନେଜର ଭାବେ ସସ୍ମିତା ରଣା, ରେଫରି ଭାବେ ରଞ୍ଜନ ସୁତାର ପ୍ରମୁଖ ସାମିଲ ହୋଇଥିଲେ ।
ସମୟ ବଦଳିଛି ଆଉ ତା ସହ ବଦଳିଛି ନାରୀର ସଂଜ୍ଞା । ଏବେ ନାରୀ ଦୁର୍ବଳା କି ଅବଳା ନୁହେଁ । ବରଂ ପ୍ରତିଟି ନାରୀ ହେଉଛନ୍ତି ଦେଶର ଶକ୍ତି । ତେଣୁ ନାରୀଙ୍କୁ ସବୁବେଳେ ସମ୍ମାନର ଊର୍ଦ୍ଧ୍ଵରେ ରଖାଯାଇଥାଏ । ନାରୀ ପରିବାର ବି ଚଳାଇ ପାରେ ଆଉ ଅଫିସ ଏବଂ ଦେଶ ବି । ଯଦି ନିଜର ଇଚ୍ଛା ଶକ୍ତି ଦୃଢ଼ ଥାଏ ତେବେ ସବୁ ଅସମ୍ଭବ ସମ୍ଭବ ହୋଇ ପାରିବ । ଆଉ ଦୃଢ଼ ଇଛା ଶକ୍ତି ବଳରେ ମଣିଷ ଯେକୌଣସି ଲକ୍ଷ୍ୟକୁ ପୂରଣ କରିପାରେ ।
ଆଜିକାଲି ରାଜ୍ୟରେ କ୍ରୀଡ଼ାର ବିକାଶ ନେଇ ଓଡ଼ିଶା ସରକାର ଯେଭଳି କାର୍ଯ୍ୟ କରୁଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ । କେବଳ ହକି ନୁହେଁ, ଅନ୍ୟ ସମସ୍ତ କ୍ରୀଡ଼ାକୁ ସମାନ ଗୁରୁତ୍ବ ଦେଉଛନ୍ତି ସରକାର । କ୍ରୀଡ଼ାର ବିକାଶ ହେଉ କିମ୍ବା କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହନ, ସବୁଥିରେ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ପାଲଟିଛି । ଅନ୍ୟପଟେ ଆଜିକାଲି କୌଣସି କ୍ଷେତ୍ରରେ ବି ପୁରୁଷଙ୍କ ଠାରୁ କମ୍ ନୁହଁନ୍ତି ଝିଅମାନେ । ସମାଜର ପ୍ରତି କ୍ଷେତ୍ରରେ ନାରୀର ଉପସ୍ଥାପନା ପୂର୍ବ ଅପେକ୍ଷା ବଢି ଚାଲିଛି । ସେହିଭଳି ଅନ୍ୟ ରାଜ୍ୟରେ ଓଡ଼ିଆ ଝିଅମାନଙ୍କର ଏହି ସଫଳତାକୁ ଦେଖି ସ୍ଥାନୀୟ ଅଞ୍ଚଳରେ ବେଶ୍ ଖୁସି ପ୍ରକଟ କରିଥିବା ବେଳେ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି ।