ସୁବୋଧଙ୍କ ଅବୋଧ କାମ, ଦେଖନ୍ତୁ ବିଣୀବିହାରରେ ଅତ୍ମହତ୍ୟା ଉଦ୍ୟମ କରୁଥିବା ଯୁବକଙ୍କର ଉଦ୍ଧାର ଭିଡିଓ

ଭୁବନେଶ୍ବର(କେନ୍ୟୁଜ୍): ବାଣୀବିହାରରେ ୩ ଘଣ୍ଟା ଅପରେସନ ପରେ ସୁରକ୍ଷିତ ଭାବେ ଯୁବକ ଉଦ୍ଧାର । ପରିଜା ପାଠାଗାର ଛାତ ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କରୁଥିବା ଯୁବକଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି । ଉଦ୍ଧାର ଯୁବକଙ୍କ ନାଁ ସୁବୋଧ ବାରିକ ଓରଫ ତପନ । ତାଙ୍କ ଘର ପଟ୍ଟାମୁଣ୍ଡାଇ ବ୍ଲକ ପ୍ରହରାଜପୁର ଗାଁରେ । ସେ ଏମସିଏ ପାସ କରିଛନ୍ତି । କୌଣସି କାମରେ ଘରୁ ଆସିଥିଲେ ସୁବୋଧ । ଭୁବନେଶ୍ୱରରେ ଜଣେ ପରିଚିତଙ୍କ ଘରେ ରହିଥିଲେ । ଏହା ପରେ ସେ ନିଖୋଜ ହୋଇଯାଇଥିଲେ । ସେଠାରୁ ତାଙ୍କର ନିଜର ବାଇକ, ମୋବାଇଲ ଫୋନ, ବ୍ୟାଗ ଓ ପୋଷାକପତ୍ର ଆଦି ମିଳିଥିଲେ ତପନଙ୍କର କୌଣସି ଖୋଜଖବର ମିଳିନଥିଲା ।

ଏନେଇ ପରିବାର ଲୋକ ମଧ୍ୟ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ଆଜି ପ୍ରାୟ ଦିନ ୧୧ଟା ସମୟରେ ସେ ବାଣୀବିହାର ପରିଜା ପାଠାଗାର ଛାତ ଉପରକୁ ଚଢ଼ି ଆତ୍ମାହତ୍ୟା ଧମକ ଦେଇଥିଲେ । ତାଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା । କୋଠା ଚାରିପାଖରେ ତଳେ ନେଟ୍‌ ବିଛାଯାଇଥିଲା । ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ଧରି ଯୁବକଙ୍କ ସୁଇସାଇଡ୍‌ ଧମକ ଡ୍ରାମା ଚାଲିଥିଲା । ବାରମ୍ବାର କୋଠାରୁ ଡେଇଁ ପଡିବାକୁ ଧମକ ଦେଉଥିଲେ ।

ବହୁ ବୁଝାସୁଝା କରିବା ପରେ ମଧ୍ୟ ଓହ୍ଲାଇବାକୁ ମଙ୍ଗି ନଥିଲେ । ଯୁବକଙ୍କ ଉପରେ ନଜର ରଖିଥିଲା ଡ୍ରୋନ୍‌। ଲାଇବ୍ରେରୀକୁ ରଙ୍ଗ କରିବା ପାଇଁ ପକାଯାଇଥିବା ସିଡିରେ ଚଢି ଯୁବକ ଜଣକ ଲାଇବ୍ରେରୀ ଛାତ ଉପରକୁ ଯାଇଥିବା ସନ୍ଦେହ କରାଯାଉଥିଲା। ଅଗ୍ନିଶମ ଅଧିକାରୀ କ୍ରେନ ସାହାଯ୍ୟରେ କୋଠା ଉପରୁ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ଏହାପରେ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା ପାଇଁ ତାଙ୍କୁ ଡାକ୍ତରଖାନା ନିଆଯାଇଛି । ବାଣୀବିହାର ପରିସରରେ ଏହି ହାଇଡ୍ରାମା ଦେଖିବା ପାଇଁ ବେଶ ଜନଗହଳି ଲାଗିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.