ସୁଟ୍କେସ୍ ମୃତ୍ୟୁ ମାମଲା: ପରକୀୟା ପ୍ରୀତିରୁ ସ୍ୱାମୀକୁ ହତ୍ୟା, ଅଭିଯୁକ୍ତ ସ୍ତ୍ରୀ ବିରୋଧର ଏତଲା ଦେଲେ ମୃତକଙ୍କ ବାପା
ଟାଙ୍ଗୀ (କେନ୍ୟୁଜ): ହତ୍ୟା ପରେ ସୁଟକେସ୍ରେ ମୃତଦେହ ଫିଙ୍ଗିବା ଘଟଣାରେ ନୂଆ ଟ୍ଵିଷ୍ଟ । ପରକୀୟା ପ୍ରୀତିରୁ ପତି ହତ୍ୟା । ଖୋର୍ଦ୍ଧା ନାଚୁଣୀ ଥାନା ମନୋରଞ୍ଜନ ମହାପାତ୍ର ହତ୍ୟା ମାମଲାରେ ସାମନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ଟଙ୍କା ଓ ପରକୀୟା ପ୍ରୀତିର ସାଂଘାତିକ ଅଭିଯୋଗ ଆଣିଛନ୍ତି ମୃତକଙ୍କ ବାପା ଗଙ୍ଗାଧର ମହାପାତ୍ର । ବୋହୂ ନିଲି ପ୍ରେମିକ ବିକ୍ରମ ସାହୁ ସହ ମିଶି ତାଙ୍କ ପୁଅକୁ ହତ୍ୟା କରିଥିବା ନେଇ ନାଚୁଣୀ ଥାନାରେ ଅଭିଯୋଗ କରିଛନ୍ତି ।
ମନୋରଞ୍ଜନ ତାଙ୍କଠାରୁ ୧୦ଲକ୍ଷ ଟଙ୍କା ନେଇଥିବା ମଧ୍ୟ କହିଛନ୍ତି ଗଙ୍ଗାଧର । ମନୋରଞ୍ଜନ ବାପାଙ୍କ ଅଭିଯୋଗ ପରେ ହତ୍ୟା ମାମଲା ନୂଆ ମୋଡ଼ ନେଇଛି । ତାଙ୍କ ବୟାନ ରେକର୍ଡ କରିଛି ପୋଲିସ । ତାଙ୍କ ଅଭିଯୋଗ ଆଧାରରେ ଆଗକୁ ବଢ଼ିପାରେ ପୋଲିସର ତଦନ୍ତ । ଏବେ ବି ଅନେକ ପ୍ରଶ୍ନବାଚୀ ଭିତରେ ଛନ୍ଦି ହୋଇଛି ମର୍ଡର ମିଷ୍ଟ୍ରି । ମୃତ ମନୋରଞ୍ଜନକୁ ପ୍ରେମ ବିବାହ କରିଥିଲେ ନିଲି ଦାସ ।
ଏବେ ବିକ୍ରମ ସହ ପରକୀୟା ପ୍ରୀତି ନେଇ ଅଙ୍ଗୁଳି ଉଠିଛି । ନିଲି ଓ ବିକ୍ରମ ଭିତରେ ଥିଲା କି ପ୍ରେମ ସମ୍ପର୍କ ? ସେମାନେ ପରସ୍ପର ସହ କେତେ ଦିନ ଧରି ସଂପର୍କରେ ଥିଲେ ? ମନୋରଞ୍ଜନ ସହ ବିବାହ ପୂର୍ବରୁ ନା ପରେ ଗଢି ଉଠିଥିଲା ସଂପର୍କ ? କାହିଁକି ନିଲିର ମର୍ଡର ପ୍ଲାନରେ ନିଜକୁ ସାମିଲ କଲା ? ଟଙ୍କା ଆଦାୟ କରିବାକୁ ନିଲିକୁ ଚାପ ପକାଉଥିଲା କି ବିକ୍ରମ ? ହତ୍ୟା ରହସ୍ୟର ପର୍ଦ୍ଦାଫାସ ହୋଇଛି । କିନ୍ତୁ ଏହା ପଛର ପ୍ଲାନ୍ ଉପରୁ ରହସ୍ୟ ଉଠୁନି । ସେପଟେ ଅଭିଯୁକ୍ତଙ୍କ ଟିଆଇ ପରେଡ୍ କରିବା ପାଇଁ କୋର୍ଟକୁ ଆବେଦନ କରିବ ପୋଲିସ ।