ସ୍ୱାଧୀନତା ଦିବସ ପ୍ୟାରେଡରେ ଅତିଥି ଭାବେ ଯୋଗଦେବାକୁ ସୁକାନ୍ତି ଜେନାଙ୍କୁ ଆସିଛି ନିମନ୍ତ୍ରଣ

ପୁରୀ : ଛୋଟିଆ ସଂସାରଟେ । ବେଶ୍‌ ଖୁସିରେ ଚାଲିଥିଲା ତାଙ୍କ ଜୀବନ । କିନ୍ତୁ ହଠାତ୍‌ ଜୀବନରେ ଘୋଟିଗଲା କଳାବାଦଲ । ସତେ ଯେମିତି ତାଙ୍କ ପରିବାର ଉପରେ ଲାଗିଗଲା କାହାର ନଜର । ହସଖୁସିରେ ଚାଲୁଥିବା ପରିବାର ମୁହଁରେ ହଜିଗଲା ହସ । ଭଗବାନ ତାଙ୍କ ପାଖରୁ ତାଙ୍କ ସ୍ୱାମୀକୁ ଛଡ଼ାଇ ନେଲେ । ପରେ ୨୮ ବର୍ଷୀୟ ପୁଅକୁ ମଧ୍ୟ ହରାଇଲେ । କିନ୍ତୁ ଏହା ସତ୍ତ୍ୱେ ସେ ଭାଙ୍ଗିପଡିନାହାନ୍ତି କି ହାରିନାହାନ୍ତି। ନିଜ କର୍ତ୍ତବ୍ୟରୁ କେବେ ବିଚ୍ୟୁତ ହୋଇନାହାନ୍ତି। ତାଙ୍କର ଏହି ନିଷ୍ଠା ଓ କର୍ତ୍ତବ୍ୟ ପରାୟଣତା ପାଇଁ ତାଙ୍କୁ ଏବେ ନୂଆଦିଲ୍ଳୀରେ ସ୍ୱାଧୀନତା ଦିବସ ପ୍ୟାରେଡ୍ ରେ ବିଶେଷ ଅତିଥି ଭାବେ ଯୋଗଦେବାକୁ ନିମନ୍ତ୍ରଣ ଆସିଛି । ଆମେ କହୁଛୁ ଆଶାକର୍ମୀ ଶ୍ରୀମତୀ ସୁକାନ୍ତି ଜେନାଙ୍କ କଥା ।

ପୁରୀ ଜିଲ୍ଲା ଚନ୍ଦନପୁର ଅନ୍ତର୍ଗତ ତଳଜଙ୍ଗ ଗ୍ରାମ ତଥା ଆୟୁଷ୍ମାନ ଅତୋଗ୍ୟ ମନ୍ଦିର ପୁରୀ ସଦରର ଆଶାକର୍ମୀ ଶ୍ରୀମତୀ ସୁକାନ୍ତି ଜେନାଙ୍କୁ ବିଶେଷ ଅତିଥି ଭାବରେ ନୂଆଦିଲ୍ଲୀ ରେ ସ୍ଵାଧୀନତା ଦିବସ ୨୦୨୪ ପ୍ୟାରେଡ଼ ଦେଖିବାକୁ ନିମନ୍ତ୍ରଣ ମିଳିଛି l ଆଶାଦିଦି ସୁକାନ୍ତି ଜେନା ଦିଲ୍ଲୀ ଯିବା ପାଇଁ ଏକ ପତ୍ର ମଧ୍ୟମରେ ଜାତୀୟ ସ୍ଵାସ୍ଥ୍ୟ ମିଶନ କାର୍ଯ୍ୟାଳୟରୁ ପ୍ରକାଶ କରା ଯାଇଛି l ଗସ୍ତର ସମସ୍ତ ଖର୍ଚ୍ଚ ମଧ୍ୟ ଜାତୀୟ ସ୍ଵାସ୍ଥ୍ୟ ମିଶନ ବହନ କରିବେ l ୧୩ ଅଗଷ୍ଟରେ ସେ ଓ ତାଙ୍କ ଝିଅ ରାଜଧାନୀ ଏକ୍ସପ୍ରେସ ଯୋଗେ ନୂଆଦିଲ୍ଲୀ ଯାତ୍ରା କରିବେ l ଅନେକ ଥର ସେ କରିଥିବା ଜନହିତକାରୀ କାର୍ଯ୍ୟ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ତାଙ୍କୁ ସମ୍ମାନୀତ କରାଯାଇଛି। ଜାତୀୟ ସ୍ଵାସ୍ଥ୍ୟ ମିଶନର ଅନେକ ଯୋଜନା ଗୁଡ଼ିକୁ ସେ ଲୋକମାନଙ୍କ ପାଖେ ପହଞ୍ଚାଇଛନ୍ତି l

ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ, ଯକ୍ଷ୍ମା ଏବଂ ମାତୃ ଓ ଶିଶୁ ମାନଙ୍କ ସ୍ଵାସ୍ଥ୍ୟ ନିମିତ୍ତ ଥିବା ଅନେକ ଯୋଜନାର ସଫଳ ରୂପାୟନ ମଧ୍ୟ କରିଛନ୍ତି l ଓଡ଼ିଶାର ସମସ୍ତ ଜିଲ୍ଲାମାନଙ୍କ ମଧ୍ୟରୁ ଜଣେ ମାତ୍ର ଆଶା କର୍ମୀ ଭାବରେ ତାଙ୍କୁ ଏହି ନିମନ୍ତ୍ରଣ ମିଳିଥିବାରୁ ପୁରୀ ଜିଲ୍ଲାର ସମସ୍ତ ଆଶାଦିଦି ମାନେ ଅନେକ ଉତ୍ସାହିତ ହେବାସହ ଶ୍ରୀମତୀ ଜେନାଙ୍କୁ ଅନେକ ଶୁଭେଚ୍ଛା ଜଣାଇଛନ୍ତି l ଏଥି ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରୂପଭାନୁ ମିଶ୍ର, ଜାତୀୟ ସ୍ଵାସ୍ଥ୍ୟ ମିଶନର ପ୍ରକଳ୍ପ ପ୍ରବନ୍ଧକ ଟି ନାରାୟଣ ରାଓ, ଜିଲ୍ଲା ଆଶା ମ୍ୟାନେଜର ଅଶୋକ ସାହୁ ତାଙ୍କୁ ଶୁଭେଚ୍ଛା ଜଣଇଛନ୍ତି l ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚନ୍ଦନପୂରର ସମସ୍ତ କର୍ମକର୍ତ୍ତା ମଧ୍ୟ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.