ତୁଟୁନି ତପସ୍ୱିନୀ- ସୁମିତ ବିବାଦ, ପୁଣି ୧୫ ଦିନ ଛୁଟିରେ ଡାକ୍ତର ସୁମିତ ସାହୁ

ଭୁବନେଶ୍ୱର(କେନ୍ୟୁଜ୍) : ଶ୍ୱଶୁର ଘରେ ରହିବା ପରେ ବି ତୁଟୁନି ତପସ୍ୱିନୀ- ସୁମିତ ବିବାଦ। ପୁଣି ୧୫ ଦିନ ଛୁଟିରେ ଅଛନ୍ତି ଡାକ୍ତର ସୁମିତ ସାହୁ । ଏପଟେ ଗଞ୍ଜାମ ଏସଡିଜେଏମ୍ ଙ୍କ କୋର୍ଟରେ ତପସ୍ୱିନୀଙ୍କ ପକ୍ଷରୁ ରୁଜୁ ମୂଳ ମାମଲାରେ ଆସନ୍ତାକାଲି ସୁମିତଙ୍କ ପକ୍ଷରୁ କାଉଣ୍ଟର ଦାଖଲ ହେବ।
ଜିଲ୍ଲା କୋର୍ଟଙ୍କ ଆଦେଶ ଅନୁସାରେ ତପସ୍ୱିନୀଙ୍କ ଭରପୋଷଣ ପାଇଁ ୧୭ ହଜାର ଟଙ୍କା ଦାଖଲ କରିବେ ସୁମିତ। ସୁମିତ୍ଙ୍କ ପରିବାର ପକ୍ଷରୁ ଦାଖଲ ଘରୋଇ ହିଂସା ମାମଲାରେ ତପସ୍ୱିନୀଙ୍କ ପକ୍ଷରୁ ମଧ୍ୟ କାଉଣ୍ଟର ଦାଖଲ କରାଯିବ। ଏହାସହ ଜିଲ୍ଲା କୋର୍ଟଙ୍କ ଆଦେଶ ଅନୁଯାୟୀ ସୁମିତ ୧୭ ହଜାର ଟଙ୍କା ପୈଠ ନକଲେ ପିଟିସନ ଫାଇଲ କରିବାକୁ ସ୍ପଷ୍ଟ କରିଛନ୍ତି ତପସ୍ୱିନୀଙ୍କ ଓକିଲ। ସେପଟେ ଆଉ ୧୫ଦିନ ଛୁଟି ଆବେଦନ କରିଛନ୍ତି ସୁମିତ। ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟଙ୍କୁ ମେଲ୍ ଯୋଗେ ଛୁଟି ଆବେଦନ କରିଛନ୍ତି।
୪୭ଦିନର ସଂଗ୍ରାମ ପରେ ପୁଣି ଶ୍ୱଶୁର ଘରେ ପାଦ ରଖିଛନ୍ତି ତପସ୍ୱିନୀ। ଗଞ୍ଜାମ ଜିଲ୍ଲା ଦୌରା ଜଜ୍ କୋର୍ଟ ସୁମିତ ଓ ତପସ୍ୱିନୀଙ୍କ ପକ୍ଷରୁ ଦାୟର ପୃଥକ ପୃଥକ ମାମଲାର ଏକତ୍ର ଶୁଣାଣି କରି ତପସ୍ୱିନୀଙ୍କୁ ଶ୍ୱଶୁର ଘରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବ୍ରହ୍ମପୁର ବ୍ରହ୍ମାନଗରସ୍ଥିତ ଶ୍ୱଶୁର ଘର ଉପରମହଲାରେ ତପସ୍ୱିନୀ।
କିନ୍ତୁ ଘର ଛାଡ଼ିଛନ୍ତି ଶ୍ୱଶୁର ପ୍ରମୋଦ ସାହୁ। ତେବେ ତପସ୍ୱିନୀଙ୍କ ଗୃହ ପ୍ରବେଶ ପରେ ତାଙ୍କ ଇଚ୍ଛା ବିରୋଧରେ ତାଙ୍କୁ ଘରେ ରଖାଯାଇଥିବାରୁ ନିଜକୁ ଅସୁରକ୍ଷିତ ମଣି ଘର ଛାଡ଼ିଛନ୍ତି ସୁମିତଙ୍କ ବାପା। କାଲି କାଉଣ୍ଟରରେ କଣ ଉଲ୍ଲେଖ କରିବେ ତା ଉପରେ ରହିଛି ନଜର ।