ଆଜି ବ୍ଲାକ ପାଗୋଡା ପରିଦର୍ଶନ କରିବେ ସିଙ୍ଗାପୁର ରାଷ୍ଟ୍ରପତି, ୪ ଘଣ୍ଟା ବନ୍ଦ ରହିବ ସୂର୍ଯ୍ୟ ମନ୍ଦିର

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଥିବା ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ସନମୁଗରତ୍ନମ୍ ଆଜି କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବେ । ଏଥିଲାଗି ପର୍ଯ୍ୟଟକଙ୍କ ପାଇଁ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ୫ ଯାଏଁ ୪ ଘଣ୍ଟା ବନ୍ଦ ରହିବ କୋଣାର୍କ ସୂର୍ଯ୍ୟ ମନ୍ଦିର । ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଡିଆଇଜି ଅଖିଳେଶ୍ୱର ସିଂ, ଆଇଜି ଅନୁପ ସାହୁଙ୍କ ସମେତ ପୁରୀ ଜିଲ୍ଲା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସପି ବିନୀତ ଅଗ୍ରୱାଲ ପ୍ରମୁଖ ପହଞ୍ଚି ତଦାରଖ କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ଜଣେ ଏସପି,୨ ଆଡିସିନାଲ ଏସପି, ୨ଜଣ ଡିଏସପି, ୧୧ ଜଣ ଆଇଆଇସିଙ୍କ ସମେତ ୬ ପ୍ଲାଟୁନ ଫୋର୍ସ ଓ ବୋମା ଡ଼ିସପୋଜାଲ ଟିମ୍ ମୁତୟନ ହେବେ ।
ଗତକାଲି ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଗସ୍ତର ପ୍ରଥମ ଦିନରେ ଓଡ଼ିଶା ଓ ସିଙ୍ଗାପୁର ମଧ୍ୟରେ ୮ଟି ଏମଓୟୁ ସ୍ବାକ୍ଷରିତ ହୋଇଛି । ସେହିପର ରାଷ୍ଟ୍ରପତି ଥରମନ୍ ସନମୁଗରତ୍ନମ୍ ଶୁକ୍ରବାର ଭୁବନେଶ୍ୱର ସ୍ଥିତ ହସ୍ତଶିଳ୍ପ ସଂଗ୍ରହାଳୟ କଳାଭୂମିରେ ଦୀର୍ଘ ୪ ଘଣ୍ଟା ସମୟ ବିତାଇ ଓଡ଼ିଶାର କଳା, ହସ୍ତତନ୍ତ ଓ ହସ୍ତଶିଳ୍ପର ଉଚ୍ଚ ପ୍ରଶଂସା କରିଛନ୍ତି । ସନ୍ଧ୍ୟା ୭.୩୦ ରୁ ୧୧.୩୦ ପର୍ଯ୍ୟନ୍ତ ରାଷ୍ଟ୍ରପତି ସନମୁଗରତ୍ନମ୍ ସେଠାରେ ସମୟ ଅତିବାହିତ କରିଥିଲେ। କଳା ଭୂମିର ବିଭିନ୍ନ ଗ୍ୟାଲେରୀ ପରିଦର୍ଶନ କରି ରାଷ୍ଟ୍ରପତି ସନମୁଗରତ୍ନମ୍ ଓଡ଼ିଶାର କଳା, ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଦେଖିଥିଲେ । ଜଗନ୍ନାଥ ଗ୍ୟାଲେରୀ ରେ ସେ ବେଶ୍ କିଛି ସମୟ ବିତାଇ ଓଡ଼ିଶାର ଆଧ୍ୟାତ୍ମିକ ଚେତନା ଓ ପରମ୍ପରାର ମଧ୍ୟ ପ୍ରଶଂସା କରିଥିଲେ । ଏହି ଅବସରରେ ରାଷ୍ଟ୍ରପତିଙ୍କ ପତ୍ନୀ ଏକ ଶାଢୀ ମଧ୍ୟ କିଣିଥିଲେ। ଏହାର ମୂଲ୍ୟ ସେ UPI ଜରିଆରେ ପ୍ରଦାନ କରିଥିଲେ ।