ଆଜି ସୁନାବେଶରେ ଝଟକିବେ ମହାବାହୁ: ଯଦି ପୁରୀ ଯାଉଛନ୍ତି, ଜାଣି ନିଅନ୍ତୁ କେଉଁ ପଟେ ଯିବେ

ପୁରୀ : ଆଜି ସୁନାବେଶରେ ଝଟକିବେ ମହାବାହୁ ।  ମହଣ ମହଣ ସୁନାରେ ଆଭୁଷିତ ହେବେ ଦାରୁବ୍ରହ୍ମ ।  ଶ୍ରୀଜିଉଙ୍କ ଏହି ଆକର୍ଷଣୀୟ ବେଶ ଦେଖିବାକୁ ଶ୍ରୀକ୍ଷେତ୍ରରେ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ ହେବ ।  ଆଜି ସକାଳୁ ସକାଳୁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇ ଉଠିଥିବା ବେଳେ ପୁରୀକୁ ଭକ୍ତଙ୍କ ଭିଡ଼ ବଢ଼ିବାରେ ଲାଗିଛି ।  ଆଜି ରଥ ଉପରେ ଅନ୍ଯାନ୍ଯ ନିତି ବଢି ମଧ୍ଯାନ୍ନ ଧୂପ, ମଇଲମ ପରେ ଅପରାହ୍ନରେ ମେକାପ ସର୍ବାଙ୍ଗ ନୀତି ସମ୍ପନ୍ନ ହେବା ପରେ ଅପରାହ୍ନ ୫ଟାରୁ ୬ଟା ୩୦ମଧ୍ୟରେ ଠାକୁର ମାନଙ୍କୁ ସୁନାବେଶରେ ସଜିତ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ରାତ୍ରି ୧୧ଟା ପର୍ଯ୍ୟନ୍ତ ଭକ୍ତ ମହାପ୍ରଭୁଙ୍କ ସୁନାବେଶ ଦେଖିପାରିବେ । ୧୩୮ ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାରରେ ଝଟକିବେ ଶ୍ରୀଜିଉ ।  ବେଶ ଓଲାଗି ପରେ ବଡସିଂହାର ବେଶ ଓ ରାତ୍ର ପହୁଡ ହେବ।

ସୁନାବେଶ ପାଇଁ ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ମାର୍କେଟ ଛକରୁ ଵ୍ୟାରିକେଡ଼ କରାଯାଇଛି । ଲୋକମାନେ ମାର୍କେଟ ଛକରୁ ଵ୍ୟାରିକେଡ଼ରେ ଆସି ବେଶ ଦେଖିବା ପରେ ତିନିରଥ ପଛପଟ ରାସ୍ତା ଦେଇ ପ୍ରସ୍ଥାନ କରିବେ । ଭକ୍ତ ମାନେ ମାର୍କେଟ ଛକ ଠାରୁ ଏକପାଖିଆ ବ୍ୟାରିକେଡ଼ ଭିତରେ ପ୍ରବେଶ କରି ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରି ପ୍ରସ୍ଥାନ କରିବେ। କୌଣସି ଗଳିକନ୍ଦିରେ ପଶି ଆସୁଥିବା ଭକ୍ତମାନଙ୍କୁ ଶ୍ରୀମନ୍ଦିର ନିକଟକୁ ଛଡ଼ା ଯିବ ନାହିଁ। ଭିଆଇପି ଓ ଭିଭିଆଇପି ମାନଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ବେଶି ଭିଡ ଥିଲେ ଚାଲିକି ଆସିବା ପାଇଁ ନିବେଦନ କରାଯାଉଛି। ଆବଶ୍ୟକ ପଡ଼ିଲେ ବ୍ୟାଟେରୀ ଚାଳିତ ଗାଡ଼ିର ବ୍ୟବସ୍ଥା କରାଯିବ। ପାଳିଆ ସେବାୟତ ଏବଂ ଜରୁରୀକାଳୀନ ସେବା ପାଇଁ ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁନାବେଶ ପାଇଁ ୧୯୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ। ବରିଷ୍ଠ ପୋଲିସ ଅଧିକାରୀ ମାନେ ମୁତୟନ ରହିବେ।