ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ, ଅପରାହ୍ନ ୨ଟା ଯାଏଁ ଦର୍ଶନ କରିପାରିବେ ଭକ୍ତ

ପୁରୀ(କେନ୍ୟୁଜ୍): ସୁନା ବେଶରେ ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀମନ୍ଦିରରେ ସୁନାବେଶ ବା ରାଜାଧିରାଜ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଗତକାଲି ରାତି ୨ଟା ୫୦ ମିନିଟ୍‌ରେ ଶ୍ରୀଜିଉଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଥିଲା। ୫ଟା ୪୦ରେ ସରିଥିଲା ଭୋଗମଣ୍ଡପ। ଭୋଗମଣ୍ଡପ ପରେ ଆରମ୍ଭ ହୋଇଛି ଦର୍ଶନ। ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ଭକ୍ତମାନେ ପ୍ରବେଶ କରୁଛନ୍ତି। ଅପରାହ୍ନ ୨ଟା ଯାଏଁ ଦର୍ଶନ ଚାଲିବ। ଗ୍ରହଣ ସ୍ପର୍ଶ ଅର୍ଥାତ୍‌ ଅପରାହ୍ନ ୨ଟା ୩୮ ମିନିଟ୍‌ ୧୪ ସେକେଣ୍ଡ ପରେ ଠାକୁରଙ୍କ ନୀତିକାନ୍ତି ଆରମ୍ଭ କରାଯିବ। କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି।

ଆଜି ଧର୍ମମାସ କାର୍ତ୍ତିକର ଶେଷ ଦିନ । ଆଜିର ଦିନରେ ବୋଇତ ବନ୍ଦାଣ ପରମ୍ପରା ରହିଛି । ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜଳାଶୟରେ ଲୋକ ଡଙ୍ଗା ଭସାଇଛନ୍ତି ।

ନଦୀ, ପୁଷ୍କରିଣୀରେ ଡଙ୍ଗା ଭସାଇଛନ୍ତି ଲୋକ । କରୋନା ଯୋଗୁ ଦୁଇ ବର୍ଷ ହେବ ବୋଇତ ବନ୍ଦାଣ ବନ୍ଦ ରହିଥିଲା । ପୂର୍ବରୁ ବୋଇତ ଯାତ୍ରାରେ ଦୂର ଦେଶକୁ ଯାଉଥିଲେ ସାଧବ ପୁଅ । ସେମାନଙ୍କର ଗୌରବମୟ ଗାଥାର ସ୍ମତି ଚାରଣ କରି ଆଜି ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଛି ।

ଆଜି ଚନ୍ଦ୍ର ଗ୍ରହଣ ଯୋଗୁ ସଅଳ ସରିଲା ଡଙ୍ଗା ଭସା । ଭୋରରୁ ଡଙ୍ଗା ଭସାଇଲେ ଲୋକ । ଭୁବନେଶ୍ୱର ବିନ୍ଦୁସାଗରରେ ଲୋକଙ୍କ ପ୍ରବଳ ଭିଡ ଜମିଥିଲା। ଆ..କା..ମା..ବୈ ଗୀତ ଗାଇ ବୋଇତ ବନ୍ଦାଣ କରି ଡଙ୍ଗା ଭସାଇଥିଲେ।