ତାମିଲନାଡୁରୁ ଝିଅଙ୍କୁ ଫେରାଇ ଆଣିବା ଦାବିରେ ସୁନ୍ଦରଗଡ଼ ବନ୍ଦ ଡାକରା, ଚିନ୍ତାରେ ପରିବାର

କାମ ଶିଖିବାକୁ ଗାଁରୁ କଟକ ଯାଇଥିଲେ କିଛି ଝିଅ । କିନ୍ତୁ ଏହା ଯେ ସେମାନଙ୍କ ପାଇଁ ବଡ଼ ଭୁଲ ହେବ ସେମାନେ କେବେ ବି ଭାବି ନଥିଲେ । ଦେଢ଼ ମାସ ପାଇଁ ଟ୍ରେନିଂ ନେଇ କାମ ଶିଖିବେ । ଆଉ ଇଚ୍ଛା ହେଲେ ବାହାର ରାଜ୍ୟକୁ ଯିବେ ନହେଲେ ଗାଁକୁ ଫେରି ଆସିବେ । ଏମିତି କିଛି କହି ଏକ ସଂସ୍ଥା କିଛି ଝିଅଙ୍କୁ ଗାଁରୁ ନେଇ କଟକ ଯାଇଥିଲା । କିନ୍ତୁ ୪୫ ଦିନର ଟ୍ରେନିଂ ପରେ ଘରକୁ ଫେରିଲେନି ଝିଅ । ଆଉ ଏବେ ଚାତକ ପରି ଝିଅଙ୍କୁ ଅନେଇ ବସିଛନ୍ତି ପରିବାର ଲୋକେ ।
ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତରୁ ୯୦ ଜଣ ଝିଅଙ୍କୁ ଦକ୍ଷତା ବିକାଶ ଯୋଜନାରେ ୪୫ ଦିନିଆ ଟ୍ରେନିଙ୍ଗ ଦିଆଯିବ କହି ଆସମାକ୍ସ ନାମକ ସଂସ୍ଥା ଝିଅମାନଙ୍କୁ କଟକ ନେଇ ଯାଇଥିଲା । ପରେ ସେଠାରେ ଟ୍ରେନିଙ୍ଗ ଅବଧି ସରିବା ପରେ ଝିଅ ତଥା ଅଭିଭାବକଙ୍କୁ ନଜଣାଇ ଝିଅମାନଙ୍କୁ ତାମିଲନାଡୁର ଏକ ପୋଷାକ କାରଖାନାରେ ନିୟୋଜିତ କରାଇଥିଲା ସେହି ସଂସ୍ଥା । ଝିଅମାନେ ତାମିଲନାଡୁ ପହଞ୍ଚି କିଛି ଦିନ କାମ କରିବା ପରେ ସେଠାରେ ପାଉଥିବା ଶାରୀରିକ ଓ ମାନସିକ ନିର୍ଯାତନା ବିଷୟରେ ଅଭିଭାବକଙ୍କୁ ଫୋନ୍ ଯୋଗେ ଜଣାଇଥିଲେ । ପରେ ଅଭିଭାବକମାନେ ବାରମ୍ବାର ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇ ଝିଅମାନଙ୍କୁ ଫେରାଇ ଆଣିବାକୁ ଦାବି କରିଥିଲେ । ଏପରିକି ଜିଲ୍ଲାପାଳ ସେହି ପୋଷାକ କାରଖାନା କର୍ତ୍ତୃପକ୍ଷଙ୍କ ସହ କଥା ହୋଇ ଝିଅମାନଙ୍କୁ ଶୀଘ୍ର ଫେରାଇ ଆଣିବେ ବୋଲି ଅଭିଭାବକଙ୍କୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ମାସେ ରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳି ନାହିଁ । ଅନ୍ୟପଟେ ଜିଲ୍ଲା କୌଶଳ ବିକାଶ ଅଧିକାରୀ ରମେଶ ଚନ୍ଦ୍ର କିସାନ ଓ ଅନ୍ୟ ଦୁଇ ଜଣ ବିଭାଗୀୟ ଅଧିକାରୀ ତାମିଲନାଡୁର ସେହି ପୋଷାକ କାରଖାନାକୁ ଯାଇଥିଲେ ହେଁ ଝିଅଙ୍କୁ ଫେରାଇ ଆଣିବା ବିଷୟରେ ଅଭିଭାବକଙ୍କୁ କୌଣସି ତଥ୍ୟ ପ୍ରଦାନ କରି ନଥିଲେ । ଯାହା ଫଳରେ ଅଭିଭାବକଙ୍କ ମଧ୍ୟରେ ଚିନ୍ତା ବଢିବା ସହ ଅସନ୍ତୋଷ ବଢିବାରେ ଲାଗିଛି ।
କୌଶଳ ବିକାଶ ଅଧିକାରୀ ନିଜ ସଫେଇରେ କହିଛନ୍ତି ଯେ ବିଭାଗ ପକ୍ଷରୁ ବିଡିଓଙ୍କୁ ଚିଠି କରାଯାଇ ଝିଅଙ୍କୁ ନିଆଯାଇଛି । କିନ୍ତୁ ଏନେଇ ଲେଫ୍ରିପଡ଼ା ବିଡିଓଙ୍କୁ ଫୋନ୍ ଯୋଗେ ପଚାରିବାରୁ କୌଣସି ଚିଠି ଆମର ହସ୍ତଗତ ହୋଇନାହିଁ ବୋଲି ସେ କହିଥିଲେ ।
ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଏଭଳି ସମ୍ବେଦନଶୀଳ ଘଟଣାକୁ କାହିଁକି ଗୁରୁତର ସହ ନିଆଯାଉ ନାହିଁ । ଏନେଇ ବାରମ୍ବାର ଜିଲ୍ଲା ପ୍ରଶାସନ କୁ ଗୁହାରି କରିଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲା ଶେଷରେ ବାଧ୍ୟ ହୋଇ ସୁନ୍ଦରଗଡ଼ ବନ୍ଦ ଡାକରା ଦେବାକୁ ନିଷ୍ପତି ନେଇଛନ୍ତି ଅଭିଭାବକ ।