ସାରା ରାଜ୍ୟରେ ବର୍ଷା : ସରକାରୀ କର୍ମଚାରୀଙ୍କ ରବିବାର ଛୁଟି ବାତିଲ

ଭୁବନେଶ୍ବର : ରାଜ୍ୟର ଅଧିକାଂଶ ନଦୀରେ ଜଳସ୍ତର ବଢୁଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ବିଭାଗକୁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଗଠନ କରିଛି ସ୍ୱତନ୍ତ୍ର ଡ଼ାକ୍ତରୀ ଦଳ । ସମସ୍ତ ସରକାରୀ କର୍ମଚାରୀଙ୍କ ରବିବାର ଛୁଟି , ସରକାର ବାତିଲ କରିଛନ୍ତି ।

ଲଗାଣ ବର୍ଷାରେ ସହରଠାରୁ ଗାଁ ସବୁଠି ଜନଜୀବନ ଅସ୍ତବ୍ୟସ୍ତ । ମୁଖ୍ୟମନ୍ତ୍ରୀ ସ୍ଥିତିର ସମୀକ୍ଷା କରିଛନ୍ତି । ଜଳ ନିଷ୍କାସନ କାର୍ୟ୍ୟ ତ୍ୱରାନି୍ଵତ କରିବା ସହ ସବୁ ଜିଲ୍ଲାର କଣ୍ଟ୍ରୋଲ ରୁମ୍ ୨୪ ଘଣ୍ଟା ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଗ୍ନିଶମ ଏବଂ ଓଡ୍ରାଫ୍ ଟିମ୍କୁ ସଜାଗ ଅଛନ୍ତି । ସୁନ୍ଦରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ାକୁ ଛାଡ଼ିଦେଲେ ଅନ୍ୟ ସବୁ ଜିଲ୍ଲାରେ ବର୍ଷା ହୋଇଛି । ପୁରୀରେ ସର୍ବାଧିକ ୩୨୨ ମିଲିମିଟର ବର୍ଷା ହୋଇଛି। ବାଲିମେଳା, ଅପର ଇନ୍ଦ୍ରାବତୀ ଓ କୋଲାବରେ ବନ୍ଦ ରହିଛି ଜଳ ବିଦ୍ୟୁତ୍ ଉତ୍ପାଦନ । ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ୱତନ୍ତ୍ର ଡାକ୍ତରୀ ଟିମ ଗଠନ କରାଯାଇଛି। ମହଜୁଦ ରଖାଯାଇଛି, ଆବଶ୍ୟକ ପରିମାଣର ଔଷଧ।

ଉପକୂଳ, ଦକ୍ଷିଣ ଓଡ଼ିଶାରେ ବର୍ଷାର ବିତ୍ପାତ । ଯାଜପୁରରେ ବର୍ଷା ଯୋଗୁ ଫସଲ ନଷ୍ଟ ହୋଇଛି। ସେପଟେ କୋରାପୁଟରେ ଲିଲିଗୁମା-ବାଲୁମସ୍କା ମଧ୍ୟରେ ଟ୍ରେନ୍ ଲାଇନରେ ପାଣି ଚାଲିଲା। ଫଳରେ ଅଟକି ଯାଇଥିଲା ଅନେକ ଟ୍ରେନ୍। ରାଜ୍ୟର ଅଧିକାଂଶ ନଦୀରେ ପାଣି ବଢିଛି। କିନ୍ତୁ ଜଳକାକୁ ଛାଡି ଦେଲେ ଅନ୍ୟ କୌଣସି ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ନାହିଁ । କିନ୍ତୁ ବର୍ଷା ଜାରି ରହିଲେ ବିପଦ ବଢିବା ଆଶଙ୍କା ରହିଛି।