ସୂର୍ଯ୍ୟକିରଣ ବିନା ସୂର୍ଯ୍ୟଘଡି, ଆଉ କାର୍ଯ୍ୟକ୍ଷମ ହେବନି ଏହି ଐତିହାସିକ ସ୍ମାରକୀ
ସୂର୍ଯ୍ୟକିରଣ ବିନା ସୂର୍ଯ୍ୟଘଡି । ଏକଥା ଶୁଣି ଆପଣ ନିଶ୍ଚୟ କୌଣସି ଫିଲ୍ମ କିମ୍ବା ସିରିଏଲର ଡାଇଲଗ୍ ଭାବୁଥିବେ ନିଶ୍ଚୟ ! କିନ୍ତୁ ଜିଲ୍ଲା ପ୍ରଶାସନର ଅବହେଳା ଯୋଗୁଁ ଆଜି ଅକାମି ହୋଇଯାଇଯାଇଛି କେନ୍ଦ୍ରାପଡା ସହର ମଝିରେ ଥିବା ଶତାୟୁ ସୂର୍ଯ୍ୟଘଡି । ବ୍ରିଟିଶ ଶାସନର ସ୍ମୃତି ବହନ କରୁଥିବା ସୂର୍ଯ୍ୟଘଡିର ସରିଯାଇଛି ଆୟୁଷ । ଏବେ ଆଉ କାର୍ଯ୍ୟକ୍ଷମ ହେବନି ଏହି ଐତିହାସିକ ସ୍ମାରକୀ । ପ୍ରାଚୀନ ଯୁଗରେ ସମୟ ଗଣନା ପାଇଁ ସୂର୍ଯ୍ୟଘଡି ଏକ ମାତ୍ର ମାଧ୍ୟମ ଥିଲା । ‘ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା ଏକକ କାର୍ଯ୍ୟଳୟ’ର ଉପର ମହଲା କୋଠା ନିର୍ମାଣ ପରେ ସୂର୍ଯ୍ୟଘଡିଟି ସମ୍ପୂର୍ଣ୍ଣ ଅକାମି ହୋଇଯାଇଛି ।
ସକାଳର ପହିଲି ସୂର୍ଯ୍ୟକିରଣ ଏହି ଘଡି ଉପରେ ଆଉ ପଡୁନାହିଁ । ମଧ୍ୟାହ୍ନ ସମୟ ଛାଡିଦେଲେ ଦିନର ଅନ୍ୟ ସମୟ ମଧ୍ୟ ସୂର୍ଯ୍ୟଘଡି ପାଖରେ ପହଞ୍ଚି ପାରୁନି ସୂର୍ଯ୍ୟକିରଣ । ଯେମିତି ଜଳ ବିନା ମାଛ ଯାହା ଠିକ ସେହିଭଳି ସୂର୍ଯ୍ୟ କିରଣ ବିନା ସୂର୍ଯ୍ୟଘଡ଼ି । ଚର୍ତୁପାର୍ଶ୍ଵରେ ବିଭିନ୍ନ ଗୃହ ନିର୍ମାଣ ସାଙ୍ଗକୁ ଶଙ୍କୁଚିତ ପରିସର ସୂର୍ଯ୍ୟଘଡିର ମୃତ୍ୟୁର କାରଣ ପାଲଟିଛି । କେବଳ ସେତିକି ନୁହେଁ ଏହାର ରକ୍ଷଣାବେକ୍ଷଣ ପ୍ରତି ମଧ୍ୟ ଧ୍ୟାନ ଦେଉ ନାହାନ୍ତି କର୍ତ୍ତୁପକ୍ଷ । ଜଙ୍ଗଲି ଗଛଲତା ଏବଂ କୁଢକୁଢ ଆବର୍ଜନା ଭିତରେ ପୋତି ହୋଇ ପଡିଛି ଏହି ପ୍ରାଚୀନ ସ୍ମାରକୀ ।
ଇତିହାସ ଅନୁଯାୟୀ ଭାରତରେ ମହାରାଣୀ ଭିକ୍ଟୋରିଆଙ୍କ ୫୦ ବର୍ଷ ଶାସନର ପୂର୍ତି ଅବସରରେ ୧୮୮୭ ମସିହାରେ ଏହି ଘଡି ସ୍ଥାପନ ହୋଇଥିଲା । ଅନ୍ୟପକ୍ଷରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଏଠାରେ ଉପନିବେଶ ପ୍ରତିଷ୍ଠା ପାଇଁ ଆଗ୍ରହୀ ଥିବା ବ୍ରିଟିଶ ସରକାର ଏହି ଘଡି ପ୍ରତିଷ୍ଠା କରିଥିବାର ସୂଚନା ରହିଛି । ୪ ଫୁଟ୍ ଉଚ୍ଚ ଓ ୧୦ ଫୁଟ ବ୍ୟାସାର୍ଦ୍ଧ ବିଶିଷ୍ଟ ଏକ ପଥର ଉପରେ ରହିଛି ଏହି ‘ସନ୍ ଡାଏଲ’ ବା ‘ସୂର୍ଯ୍ୟଘଡି’ । ସମଗ୍ର ପଥର ଉପରେ ଅତି ସୂକ୍ଷ୍ମ ରେଖା ମାନ ଖୋଦେଇ ହୋଇଛି । ସୂର୍ଯ୍ୟ କିରଣ ପଥର ଖଣ୍ଡ ଉପରେ ଥିବା ରେଖା ସ୍ପର୍ଶ କଲେ ସମୟ ଜଣା ପଡିଥାଏ ।
ଏହା ହେଉଛି କେନ୍ଦ୍ରାପଡାରେ ସହରରେ ବ୍ରିଟିଶ ଶାସନର ଶେଷ ସ୍ମୃତି ଚିହ୍ନ । ଅବହେଳିତ ଅବସ୍ଥାରେ ପଡିରହିଥିବା ଐତିହାସିକ ‘ସୂର୍ଯ୍ୟଘଡି’ ଆଉ ଦିନ କେଇଟା ପରେ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯିବାର ଆଶଙ୍କା ଉପୁଜିଛି । କିଭଳି ଭାବେ କେନ୍ଦ୍ରାପଡା ଜିଲ୍ଲାର ଏହି ପୁରୁଣା ଐତିହ୍ୟକୁ ପୁଣିଥରେ ଜୀବନ୍ୟାସ ଦେଇହବ ସେନେଇ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ବୁଦ୍ଧିଜୀବୀ ଓ ସ୍ତାନିୟ ବାସିନ୍ଦା । ଅନ୍ୟପଟେ ଏହି ପ୍ରାଚୀନ ସୂର୍ଯ୍ୟଘଡିର ପୁନରୁଦ୍ଧାର କରିବା ପାଇଁ ଆମେ ପ୍ରଶାସନିକ ସ୍ତରରେ କେନ୍ଦ୍ରାପଡା ପୌର ଅଧିକାରିଙ୍କୁ ଅବଗତ କରାଇଥିଲୁ ।
ଖୁବ ଶୀଘ୍ର ଏକ ନୂତନ ସ୍ଥାନ ନିରୁପଣ କରାଯାଇ ସୂର୍ଯ୍ୟଘଡିକୁ ସ୍ଥାନାନ୍ତର କରାଯିବା ସହ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି କେନ୍ଦ୍ରାପଡା ପୌର ଅଧିକାରୀ ଆଶୁତୋଷ ଗୌରବ କର । ପ୍ରଶାସନିକ ଅବହେଳା ସାଙ୍ଗକୁ ସହରବାସୀଙ୍କ ନିରବତା ସୂର୍ଯ୍ୟଘଡିର ଭାଗ୍ୟକୁ ଅନ୍ଧକାର ଭିତରକୁ ଠେଲି ଦେଇଛି । କାର୍ଯ୍ୟକ୍ଷମ ହେବା ତ ଦୂରର କଥା ଏବେ ଏହାର ସଂରକ୍ଷଣ ଏକ ବଡ ପ୍ରଶ୍ନ ହୋଇ ଛିଡାହୋଇଛି ।