ଅଂଶୁଘାତ ଜନିତ ମୃତ୍ୟୁ ମାମଲା, ସମସ୍ତ ମୃତଦେହର ହେବ ପୋଷ୍ଟମର୍ଟମ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ସୁନ୍ଦରଗଡ଼ (କେନ୍ୟୁଜ): ସୁନ୍ଦରଗଡରେ ଅସ୍ବାଭାବିକ ମୃତ୍ୟୁ ଘଟଣା। ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ ପରେ ନିଷ୍ପତ୍ତି । ଘଟଣା ସ୍ଥଳକୁ ଯିବ ରାଜ୍ୟ ସ୍ତରୀୟ ସ୍ବାସ୍ଥ୍ୟ ବିଭାଗ ଟିମ୍। ରାଉରକେଲାରେ ଘଟିଥିବା ଅସ୍ବାଭାବିକ ମୃତ୍ୟୁ ଘଟଣାର କରିବ ତଦନ୍ତ। ରାଉରକେଲାରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି। ସେମାନଙ୍କ ମଧ୍ୟରୁ ୨ ଜଣ କୋମର୍ବିଡ ବୋଲି ଜଣାପଡିଛି। ତେଣୁ ସେଠାରେ ଅସ୍ବାଭାବିକ ମୃତ୍ୟୁ ସଂଖ୍ୟା ୧୧। ଝାରସୁଗୁଡ଼ାରେ କେତେ ଜଣଙ୍କର ଅସ୍ବାଭାବିକ ମୃତ୍ୟୁ ହୋଇଥିଲା ସେ ନେଇ ଲିଖିତ ରିପୋର୍ଟ ମଗାଯାଇଛି। ସମସ୍ତ ମୃତଦେହର ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଜନସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ।
ଗତକାଲି ସୁନ୍ଦରଗଡ଼ରେ୧୪ ଜଣଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଥିଲା । ଆଜି ଆଉ ୨ ଜଣଙ୍କ ମୃତ୍ୟୁ ଘଟିଛି। ରାଉରକେଲା RGHରେ ଚିକିତ୍ସାଧୀନ ଅବସ୍ଥାରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ଡାକ୍ତରଖାନାରେ ୪ ଜଣଙ୍କର ଜୀବନ ଯାଇଛି। ସୁନ୍ଦରଗଡ଼ ଜିଲ୍ଲାରେ ମୋଟ ୧୬ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଥିବା ସୂଚନା ରହିଛି। ଏଥିରେ ଅନ୍ୟ ଜିଲ୍ଲା ଏବଂ ଝାଡ଼ଖଣ୍ଡର ଲୋକଥିବା ସୂଚନା ରହିଛି। ରାଉରକେଲା ଏଡିଏମ୍ ଓ ପାନପୋଷ ଉପଜିଲ୍ଲାପାଳ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି । ଭୀଷଣ ଗ୍ରୀଷ୍ମ ପ୍ରବାହ କାରଣରୁ ଅଂଶୁଘାତ ହୋଇଥାଇ ପାରେ ବୋଲି ଆଶଂକା କରାଯାଉଥିଲା। ଯେଉଁମାନଙ୍କର ମୃତ୍ୟୁ ଘଟିଛି ସେମାନେ ସବୁ ଅତ୍ୟଧିକ ଖରା ସମୟରେ ଶାରୀରିକ ପରିଶ୍ରମ କରୁଥିଲେ ବୋଲି ସୂଚନା ମିଳିଛି।
ତେବେ ରାଉରକେଲା ମେଡିକାଲର ସମସ୍ତ ମୃତକଙ୍କ ଶବ ବ୍ୟବଚ୍ଛେଦ ହେବ। ରିପୋର୍ଟ ଆସିଲେ ମୃତ୍ୟୁ କାରଣ ଜଣାପଡ଼ିବ। ଯଦି ରୋଗୀ ସଂଖ୍ୟା ବଢ଼େ, ତାହାର ବ୍ୟବସ୍ଥା କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି । ଅନ୍ୟପଟେ କୌଣସି କାମ ନଥିଲେ ବାହାରକୁ କେହି ଯାଆନ୍ତୁ ନାହିଁ, ଘରେ ରହୁନ୍ତୁ । ବିଶେଷ କରି ଶ୍ରମିକମାନେ ବାହାରକୁ କାମ କରିବାକୁ ଯାଅନ୍ତୁ ନାହିଁ ବୋଲି କହିଛନ୍ତି SRC ।