ଅନ୍ଧବିଶ୍ୱାସର ଅନ୍ଧଗଳିରେ କେନ୍ଦୁଝର ଜିଲ୍ଳା, ଗୁଣିଗାରେଡି ସନ୍ଦେହରେ ଦିନକୁ ଦିନ ବଢି ଚାଲୁଛି ହତ୍ୟାକାଣ୍ଡ

ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଜୀବନ ନେବାକୁ ପଛାଉନି ମଣିଷ । କେତେବେଳେ ଡାହାଣୀ ସନ୍ଦେହରେ ତ କେତେବେଳେ ଗୁଣିଗାରେଡି ସନ୍ଦେହରେ ହେଉଛି ହତ୍ୟାକାଣ୍ଡ । ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ହିତାହିତ ଜ୍ଞାନ ହଜାଉଛି ମଣିଷ । ରାଜ୍ୟର ଅନେକ ସ୍ଥାନରେ ଅନ୍ଧବିଶ୍ୱାସ ହତ୍ୟାକାଣ୍ଡ ଘଟୁଥିବାବେଳେ କେନ୍ଦୁଝର ଜିଲ୍ଲାରେ ଏପରି ହତ୍ୟାକାଣ୍ଡ ବଢୁଛି । ଅନେକ ସଚେତନତା ପରେ ମଧ୍ୟ ଏହା ରୋକାଯାଇପାରୁନି । ଯାହା ଏବେ ଚିନ୍ତାର କାରଣ ପାଲଟିଛି ।

ଅନ୍ଧବିଶ୍ୱାସର ଅନ୍ଧଗଳିରେ କେନ୍ଦୁଝର ଜିଲ୍ଳା । ଅନ୍ଧବିଶ୍ୱାସ ଜନିତ ହତ୍ୟାକାଣ୍ଡକୁ ରୋକିବାକୁ ଆରମ୍ଭ ହୋଇଥିଲା ଉଇଚ୍‌ ହଟିଂ ଆକ୍ଟ । ଏହି ଆଇନ କାର୍ଯ୍ୟକାରୀ ହେବା ପରେ ମଧ୍ୟ ରକ୍ଷା ପାଉନି ଜୀବନ । କେତେବେଳେ ସାପକାମୁଡାରେ ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଝଡ଼ାଫୁଙ୍କା କରାଯାଉଛି ତ କେତେବେଳେ ଡାହାଣୀ ସନ୍ଦେହରେ ହତ୍ୟା କରାଯାଉଛି । କେବଳ କେନ୍ଦୁଝର ନୁହେଁ, ରାଜ୍ୟର ଅନେକ ସ୍ଥାନରେ ଏପରି ଅନ୍ଧବିଶ୍ୱାସ ଏବେ ଚିନ୍ତାର କାରଣ ପାଲଟିଛି ।

୨୦୧୬ ମସିହାରେ ରାଜ୍ୟରେ ଗୁଣି ଗାରେଡି ସନ୍ଦେହରେ ୫୮ ଜଣଙ୍କୁ ହତ୍ୟା କରାଯାଇଥିବାବେଳେ କେନ୍ଦୁଝର ଜିଲ୍ଲାରେ ୧୮ଟି ଘଟଣା ଘଟିଥିଲା । ସେଥିରୁ ୬ ଜଣଙ୍କୁ ହତ୍ୟାକାରୀ ଅତି ନିର୍ମମ ଭାବେ ହତ୍ୟା କରିଥିଲା । ୧୨ ଜଣ ଗୁରୁତର ହୋଇଥିଲେ । ୨୦୧୭ରେ ରାଜ୍ୟରେ ୩୬ ଜଣଙ୍କ ଜୀବନ ଯାଇଥିଲା । । ଏଥିରୁ କେନ୍ଦୁଝରରେ ୧୬ଟି ଘଟଣା ଘଟିଥିଲା । ୨୦୧୮ରେ ରାଜ୍ୟରେ ୩୯ ଜଣଙ୍କୁ ଗୁଣି ଗାରେଡି ସନ୍ଦେହରେ ହତ୍ୟା କରାଯାଇଥିବାବେଳେ କେନ୍ଦୁଝରରେ ୧୩ଟି ଘଟଣା ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସୁଦ୍ଧା ୩୨ ଜଣଙ୍କ ମୃତ୍ୟୁ ଘଟିଲାଣି । ସେଥିରୁ କେନ୍ଦୁଝରରେ ୩ଟି ଘଟଣା ଘଟିଛି । ସେପଟେ କେନ୍ଦୁଝର ଏସପିଙ୍କୁ ଏ ସଂପର୍କରେ ପଚାରିବାରୁ ସେ ଏହାକୁ ସ୍ୱୀକାର କରିଛନ୍ତି । ଲୋକଙ୍କ ମନରୁ ଏପରି ଭାବନାକୁ ଦୂର କରିବାକୁ ସଚେତନ କରାଯାଉଥିବା କହିଛନ୍ତି ଆରକ୍ଷୀ ଅଧିକ୍ଷକ ।