ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା ଅଭିଯୋଗରେ ୯ ଗିରଫ

ଗୁଣୁପୁର (କେନ୍ୟୁଜ୍) : ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା ଅଭିଯୋଗରେ ୯ ଗିରଫ। ମୁଖ୍ୟ ଅଭିଯୁକ୍ତ ବାବୁଲା ଶବର ସମେତ ୯ଜଣଙ୍କୁ ଗିରଫ କରାଯାଇଛି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ। ବାବୁଲାକୁ ପୋଲିସ ଘଟଣାସ୍ଥଳକୁ ନେଇ ହତ୍ୟାରେ ବ୍ୟବହୃତ ବ୍ୟାଟ, କୋ଼ଡି ଏବଂ ମୋଟର ସାଇକେଲ ଜବତ କରିଛି। ଗୁଣୁପୁର ଥାନା ଉକୁମ୍ବାଗୁଡ଼ା ଗାଁରେ ୨୩ ତାରିଖ ବିଳମ୍ବିତ ରାତିରେ ଗୋପାଳ ଶବରଙ୍କ ଘରେ ଗାଁର କିଛି ପୁରୁଷ ଓ ମହିଳା ଘରେ ପଶି ଗୋପାଳ ଏବଂ ତାଙ୍କ ସ୍ତ୍ରୀ ଲକ୍ଷ୍ମୀଙ୍କୁ ମାରଧର କରିବା ସହ ଉଭୟଙ୍କୁ କୁଆଡ଼େ ଟେକି ନେଇଯାଇଥିଲେ । ଘରେ ୮ବର୍ଷର ପୁଅକୁ ବାହାର ପଟୁ କବାଟ ବନ୍ଦ କରି ରଖିଥିଲେ ।

ସେହିପରି ସେହିଦିନ ଗାଁର ଜଣେ ୭୦ବର୍ଷୀୟ ବୃଦ୍ଧା ଜାଙ୍କିଲି ଶବରଙ୍କୁ ମଧ୍ୟ ମାରଧର କରିବା ସହ କେଉଁଆଡ଼େ ଉଠାଇ ନେଇଥିବା ଅଭିଯୋଗ ହୋଇଥିଲା । ପରଦିନ ଗୋପାଳ ଶବରଙ୍କ ଝିଅ ଥାନାରେ ବାପାମାଆ ନିଖୋଜ ଥିବା ନେଇ ଖବର ଦେଇଥିଲେ । ଖବର ପାଇ ପୋଲିସ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିଲା। ୨୦୧୬ରେ ପୁଟାସଂ କିତୁଙ୍ଗ ଗାଁରେ ଗୁଣିଗାରେଡି ସନ୍ଦେହରେ ୩ଜଣଙ୍କୁ ହତ୍ୟା କରାଯାଇଥିଲା। ଏହାରୁ ଶୁଣାଣି କରି ୨୦୧୮ରେ ୯ଜଣଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ।