ଅନ୍ଧ ବିଶ୍ବାସର ବିକଳ ଚିତ୍ର, ମୃତଦେହକୁ ଦୁଇ ଦିନ ରଖି କରାଯାଉଥିଲା ଝଡ଼ାଫୁଙ୍କା

ଅନ୍ଧ ବିଶ୍ବାସର ବିକଳ ଚିତ୍ର । ଏବେ ବି ଲୋକଙ୍କ ମନରୁ ଅନ୍ଧ ବିଶ୍ୱାସର ମୋହ ତୁଟିନି । ସାପ କାମୁଡ଼ାରେ ଜଣେ ଯୁବକ ଗୁରୁତର ହୋଇ ପଡ଼ିଥିବାବେଳେ ଡାକ୍ତରଖାନା ନେବା ପରିବର୍ତ୍ତେ ଝଡ଼ା ଫୁଙ୍କା କରାଯାଇଛି । ଅନ୍ଧବିଶ୍ୱାସକୁ ନେଇ ମୃତ୍ୟୁ ପରେ ମଧ୍ୟ ଦୁଇଦିନ ହେବ ମୃତ ଯୁବକଙ୍କୁ ଝଡ଼ାଫୁଙ୍କା କରିଥିଲେ । ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ଆଦିବାସୀ ଅଧ୍ୟୁଷିତ ବହଳଦା ଥାନା ଶଶ ପଞ୍ଚାୟତ ବାରୁଡିହି ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଦୁଇ ଦିନ ପୂର୍ବେ ଗ୍ରାମର ଚୈତନ୍ୟ ଟୁଡ଼ୁଙ୍କ ପୁଅ କାନ୍ଦରା ଟୁଡୁ ବିଲକୁ ଗୋରୁ ଚରାଇବାକୁ ଯାଇଥିବାବେଳେ ଏକ ବିଷଧର ଗୋଖର ସାପ ତାଙ୍କୁ କାମୁଡ଼ି ଦେଇଥିଲା । କାମୁଡ଼ିବା ପରେ ବି କାନ୍ଦ୍ରା ସାପଟିକୁ ବାଡ଼ିରେ ପିଟି ପିଟି ମାରି ଦେଇଥିଲେ। ତେବେ ବିଷ ଜ୍ବାଳାରେ ଯନ୍ତ୍ରଣା ପାଉଥିଲେ ହେଁ ସେ ସାପଟିକୁ ଧରି ଘରେ ପହଞ୍ଚି ଘଟଣା ସଂପର୍କରେ କହିଥିଲେ । କିନ୍ତୁ ଧିରେ ଧିରେ କାନ୍ଦ୍ରା ଗୁରୁତର ହେବାକୁ ଲାଗିଲେ ଆଉ ହଠାତ ଅଚେତ ହୋଇ ପଡ଼ିଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ପରିବାରବର୍ଗ ଏବଂ ଗ୍ରାମବାସୀ କାନ୍ଦ୍ରାଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ ଗୁଣିଆର ଆଶ୍ରୟ ନେଇଥିଲେ । ଝଡ଼ାଫୁଙ୍କାରେ କାନ୍ଦ୍ରା ସୁସ୍ଥ ହୋଇଯିବ ବିଶ୍ୱାସ ରଖି ଗ୍ରାମବାସୀ ଗତକାଲି ସନ୍ଧ୍ୟା ପର୍ଯ୍ୟନ୍ତ ଝଡ଼ାଫୁଙ୍କାରେ ଲାଗି ରହିଥିଲେ ।
ତେବେ ଘଟଣା ସମ୍ପର୍କରେ ଜାଣିବାପରେ ଗ୍ରାମର କିଛି ସଚେତନ ନାଗରିକ କାନ୍ଦ୍ରାଙ୍କୁ ଡାକ୍ତରଖାନାକୁ ନେବାକୁ ପରାମର୍ଶ ଦେଇଥିଲେ। ହେଲେ ସେମାନେ ଏଥିପ୍ରତି ଗୁରୁତ୍ୱ ନଦେଇ ପ୍ରଥମେ ଝଡ଼ା ଫୁଙ୍କା ପରେ ମେଡିକାଲକୁ ନିଆଯିବ ବୋଲି କହିଥିଲେ। ତେବେ ଶେଷରେ ମୃତ୍ୟୁ ହୋଇଥିବା ଜାଣିବା ପରେ ଗ୍ରାମବାସୀଙ୍କ ଚାପରେ ଗତକାଲି ମୃତଦେହର ସତ୍କାର କରାଯାଇଛି ।