ରାସନ୍ କାର୍ଡକୁ ନେଇ ବଡ଼ ଖବର: କାହାର ବି କଟିବନି କାର୍ଡ ସୂଚନା ଦେଲେ ମନ୍ତ୍ରୀ

ଭୁବନେଶ୍ୱର : ଆପଣ ଯଦି, ରାସନ୍ କାର୍ଡରେ ଚାଉଳ ପାଉଛନ୍ତି । ଆଉ ରାସନ୍ କାର୍ଡ କଟିଯିବ ବୋଲି ଦ୍ୱନ୍ଦ୍ୱରେ ଅଛନ୍ତି । ତେବେ ଆପଣଙ୍କ ପାଇଁ ଆସିଛି ଖୁସି ଖବର । ରୋଜଗାର କମ ଥିବା ଲୋକଙ୍କ ରାଶନ କାର୍ଡ କଟିବନି, କେବଳ ବଡ଼ ଚାକିରି କରିଥିବା ଲୋକଙ୍କ କାର୍ଡ କଟିବ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି । ଗାଁ ମାନଙ୍କରେ ମାସକୁ ୧୦ ହଜାର ଆଉ ସହରରେ ମାସକୁ ୧୫ ହଜାର ଟଙ୍କା ଆୟ କରୁଥିଲେ ରାସନ୍ କାର୍ଡ କଟିଯିବ ବୋଲି ଯେଉଁ ଚର୍ଚ୍ଚା ହେଉଛି, ସେମିତି କିଛି ବି ହେବନି ବୋଲି କହିଛନ୍ତି ମନ୍ତ୍ରୀ ।
ସୂଚନା ଅନୁସାରେ ଗୁରୁବାର ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଖର୍ଚ୍ଚ ଦାବି ନେଇ ଆଲୋଚନା ହୋଇଥିଲା । ଏହି ସମୟରେ ବିଜେଡି ବିଧାୟକମାନେ କହିଥିଲେ, ରାଜ୍ୟରେ ଜଣେ ଶ୍ରମିକ ଦିନକୁ ୫୦୦ ଟଙ୍କାରୁ ଅଧିକ ରୋଜଗାର କରୁଛି । ଏମିତି ହେଲେ, ଜଣେ ଶ୍ରମିକର ମାସିକ ମଜୁରି ହିସାବ କଲେ, ସବୁ ରାସନ୍ କାର୍ଡ କଟିଯିବ । ଯାହାର ଉତ୍ତର ଦେଇଥିଲେ ମନ୍ତ୍ରୀ । ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ, ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି, ଆମେ କାହାର ରାସନ୍ କାର୍ଡ କାଟିବୁନି । ୧୦ ହଜାର ଓ ୧୫ ହଜାର ମାସିକ ଆୟ କଥା କେନ୍ଦ୍ର ଗାଇଡ୍ଲାଇନ୍ରେ ଅଛି । ହେଲେ କାହାର ବି ରାସନ୍ କାର୍ଡ କଟିବନି ବୋଲି ମନ୍ତ୍ରୀ କହିଥିଲେ ।
ଅନ୍ୟପଟେ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ୨୦ ମାର୍ଚ୍ଚ ସୁଦ୍ଧା ୩ କୋଟି ୧ ଲକ୍ଷ ୯୨ ହଜାର ୩୨୭ ଜଣ ସଫଳ ଭାବେ ଇ-କେୱାଇସି କରିଛନ୍ତି । ରାଜ୍ୟ ବାହାରେ କାମ କରୁଥିବା ୧ ଲକ୍ଷ ୩୯ ହଜାର ୪୯୩ ଜଣ ଇ-କେୱାଇସି କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୯୧ ପ୍ରତିଶତ ଲୋକଙ୍କ ଇ-କେୱାଇସି ଯାଞ୍ଚ ସରିଯାଇଛି । ୪ ଲକ୍ଷ ୩୧ ହଜାର ୮୪୬ ଜଣ ମୃତ ବା ଭୂତ ହିତାଧିକାରୀଙ୍କୁ କଟାଯାଇଛି ।
ସେହିପରି ରାଜ୍ୟ ସରକାର ରାଶନ ସାମଗ୍ରୀ ବଣ୍ଟନ ପାଇଁ ସମୟ ନିର୍ଘଣ୍ଟ ଜାରି କରିଛନ୍ତି । ଗ୍ରୀଷ୍ମପ୍ରବାହ ପାଇଁ ସକାଳ ୭ରୁ ୧୦, ସଂଧ୍ୟା ୫ରୁ ୮ଟା ଯାଏ ବଣ୍ଟନ ହେବ । ଏହାସହ ପାନୀୟ ଜଳ, ଓଆରଏସ ମହଜୁଦ ରଖିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦିଆଯାଇଛି ।
ଆହୁରି ପଢ଼ନ୍ତୁ : ଗ୍ରୀଷ୍ମପ୍ରବାହ, ସକାଳ ୭ ରୁ ୧୦ ଏବଂ ସନ୍ଧ୍ୟା ୫ ରୁ ୮ ମଧ୍ୟରେ ରାସନ ବଣ୍ଟନ କରିବାକୁ ପରାମର୍ଶ