ଆଇଗିଣିଆ ଆଳୁ ଗୋଦାମରେ ଚଢ଼ାଉ, କାଗଜପତ୍ର ଦେଖାଇ ନପାରିବାରୁ ହୋଲସେଲରଙ୍କୁ ନୋଟିସ

ଭୁବନେଶ୍ୱର : ଉତ୍ତର ପ୍ରଦେଶରୁ ଆସିଲା ଆଳୁ, ତଥାପି ଦରରେ ଲାଗୁନି ଲଗାମ୍ । ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଦର ରହିଛି । ଆଳୁ ଦର ବଢିଚାଲିଥିବାବେଳେ ଯୋଗାଣ ବିଭାଗ ପକ୍ଷରୁ ରେଡ୍ କରାଯାଇଛି । ଭୁବନେଶ୍ବର ଆଇଗିଣିଆ ଆଳୁ ଗୋଦାମରେ ଚଢାଉ କରାଯାଇଛି । ଆଳୁ ଗାଡ଼ି ଓ ଗୋଦାମ ଯାଞ୍ଚ କରିଛନ୍ତି ଅଧିକାରୀ । ଚଢ଼ାଉ କରି ୫ ହୋଲସେଲରଙ୍କୁ ନୋଟିସ୍ କରିଛି ଯୋଗାଣ ବିଭାଗ । ଆନୁସଙ୍ଗିକ କାଗଜପତ୍ର ଦେଖାଇ ପାରି ନଥିବାରୁ ନୋଟିସ କରିଛି ଯୋଗାଣ ବିଭାଗ । ବୁଲି ବୁଲି ସବୁ ବ୍ୟବସାୟୀଙ୍କ ଦୋକାନ ଚେକ୍ କରୁଛନ୍ତି ଯୋଗାଣ ବିଭାଗର ୭ ଜଣିଆ ଟିମ୍ । ରେଡ୍ ସମୟରେ ଅନେକ ଆଳୁ ଟ୍ରକ୍‌ର ଚାଲାଣ ନଥିବା ଦେଖିବାକୁ ମିଳିଛି। ଚିଫ୍ ସିଭିଲ ସପ୍ଲାଏ ଅଫିସରଙ୍କ ନେତୃତ୍ୱରେ ଚାଲିଛି ରେଡ୍ ।

ଆଜିଠୁ ପଶ୍ଚିମବଙ୍ଗରେ ଆଳୁ ଯୋଗାଣ ବନ୍ଦ । ମନ୍ତ୍ରୀଙ୍କ ସହ ଆଲୋଚନା ବିଫଳ ପରେ ପଶ୍ଚିମବଙ୍ଗ ପ୍ରଗତିଶୀଳ ଆଳୁ ଯୋଗାଣ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ପଡ଼ୋଶୀ ରାଜ୍ୟକୁ ଆଳୁ ଯୋଗାଣ ପ୍ରସଙ୍ଗରେ କୋଲକାତା ଖାଦ୍ୟ ଭବନରେ ପଶ୍ଚିମବଙ୍ଗ ପ୍ରଗତିଶୀଳ ଆଳୁ ଯୋଗାଣ ସଂଘ ଓ ବିଭାଗୀୟ ମନ୍ତ୍ରୀ ବେଚାରାମ ମାନ୍ନାଙ୍କ ସହ ବୈଠକ ବସିଥିଲା  । ତେବେ ବୈଠକରେ କୌଣସି ନିଷ୍କର୍ସ ବାହାରିପାରିନଥିଲା । ଫଳରେ ନିଜ ରାଜ୍ୟରେ ଆଳୁ ଯୋଗାଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ସଂଘ । ଦୀର୍ଘ ୫ ଦିନ ଧରି ପଶ୍ଚିମବଙ୍ଗ ସରକାର ପ୍ରଶାସନ ଜରିଆରେ ପଡୋଶୀ ରାଜ୍ୟ ସୀମାରେ ଚେକ ପୋଷ୍ଟ ଲଗାଇ ଆଳୁ ଗାଡିକୁ ରୋକ ଲଗାଉଛନ୍ତି । ଯାହା ଫଳରେ ବିଭିନ୍ନ କୋଲ୍ଡ ଷ୍ଟୋର ମାଲିକମାନେ ବିପୁଳ କ୍ଷତି ସହୁଛନ୍ତି । କେବଳ ଓଡିଶା ନୁହେଁ, ବିହାର ଝାଡ଼ଖଣ୍ଡ ରାଜ୍ୟ ଭଳି ଅନେକ ରାଜ୍ୟକୁ ପଶ୍ଚିମବଙ୍ଗର ଆଳୁ ଯାଇ ପାରୁନାହିଁ । ଫଳରେ ଷ୍ଟୋରରେ ଆଳୁ ପଚିବା ଆରମ୍ଭ ହୋଇଛି । ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ପଠାଇବା ଉପରେ କଟକଣା ଲଗାଇବା ପରେ ଓଡ଼ିଶାରେ ଆଳୁ କିଲୋ ୬୦ ଟଙ୍କା ଛୁଇଁଛି ।