ଜାଲ୍ ସାର୍ଟିଫିକେଟ୍ ଦେଖାଇ ଚାକିରି କଲେ, ଏବେ ଆସିଛି ସାଂଘାତିକ ଅଭିଯୋଗ

ଆନନ୍ଦପୁର: ସୂଚନା ଅଧିକାର ଆଇନରେ ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ । ମିଛ ସାର୍ଟିଫିକେଟ ସାହାଯ୍ୟରେ ଜଣେ ବ୍ୟକ୍ତି ହାତେଇଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ ପଦବୀ । ହଁ ଆଜ୍ଞା ଜଣେ ବ୍ୟକ୍ତି ଜାଲ ସାଟିର୍ଫିକେଟ ଦେଇ ଚାକିରି ହାତେଇଥିବା ଅଭିଯୋଗ ହୋଇଛି ।

ବେକାର ଥିବା ଯୁବପିଢ଼ି ଚାକିରି ପାଇଁ କେତେ ପରିଶ୍ରମ କରୁଛନ୍ତି । କିନ୍ତୁ କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ଟଙ୍କା ଦେଇ ନଚେତ ଜାଲ୍ ସାର୍ଟିଫିକେଟ୍ ଦେଇ ବିଭିନ୍ନ ଚାକିରି କରୁଛନ୍ତି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ପୁରା ସତ । ବର୍ଷ ବର୍ଷ ଧରି ଜାଲ ସାର୍ଟିଫିକେଟ୍ ସାହାଯ୍ୟରେ ଚାକିରି କରିଥିଲେ ବି କେହି ସେମାନଙ୍କ ଚାଲାକିକୁ ଧରି ପାରି ନଥିଲେ । କିନ୍ତୁ ଏବେ ସବୁ ସତ ପଦାକୁ ଆସିଛି ।

ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକରେ ଜଣେ କାର୍ଯ୍ୟରତ ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ବଳରେ ଚାକିରି କରୁଛନ୍ତି । ସୂଚନା ଅନୁଯାୟୀ ସୁରେଶ କୁମାର ସେଠୀ ନାମକ ଜଣେ କର୍ମଚାରୀ ଜାଲ୍ +୨ ସଂସ୍କୃତ (ଉପଶାସ୍ତ୍ରୀ) ସାର୍ଟିଫିକେଟ୍ ପ୍ରଦାନ କରି ୨୦୧୪ ମସିହାରେ ପ୍ରଥମେ ସାହାରପଡ଼ା ବ୍ଲକ ଓ ପରେ ହାଟଡିହି ବ୍ଲକର ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟ କରୁଛନ୍ତି ।

ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାଇସୁରେଶ ସେଠୀ ୨୦୦୬ ମସିହାରେ ହାଟଡିହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ୧୦ମ ଶ୍ରେଣୀ ପାସ୍ କରିଥିଲେ । ଏହା ପରେ ସେହି ବର୍ଷ କେନ୍ଦୁଝର ଧରଣୀଧର କନିଷ୍ଠ ମହାବିଦ୍ୟାଳୟରେ +୨ ବିଜ୍ଞାନରେ ନାମ ଲେଖାଇ ଥିଲେ । ପ୍ରଥମ ପ୍ରୟାସରେ ବିଫଳ ହେବା ପରେ ୨୦୦୯ ମସିହାରେ ମୋଟ୍ ୬୦୦ ମାର୍କରୁ ୨୭୮ ମାର୍କ (୪୬.୩୩ ପ୍ରତିଶତ) ରଖି ତୃତୀୟ ଶ୍ରେଣୀରେ ପାସ କରିଥିଲେ । ଏହାପରେ +୨ ଯୋଗ୍ୟତା ବଳରେ ୨୦୦୯ ମସିହାରୁ ୨୦୧୨ ମସିହା ପର୍ଯ୍ୟନ୍ତ ଆନନ୍ଦପୁର ମହାବିଦ୍ୟାଳରେ +୩ ବିଜ୍ଞାନରେ ମୋଟ୍ ୧୮୦୦ ମାର୍କରୁ ୮୨୧ ମାର୍କ ରଖିଥିଲେ । କିନ୍ତୁ ଚାକିରି ଚୟନ ପ୍ରକ୍ରିୟାରେ +୨ ବିଜ୍ଞାନରେ କମ୍ ନମ୍ବର ଥିବାରୁ ସୁରେଶ ସେଠୀ ଚଞ୍ଚକତା କରି ପୁରୀ ସ୍ଥିତ ପଞ୍ଚସଖା ସଂସ୍କୃତ ମହାବିଦ୍ୟାଳୟର +୨ ସାର୍ଟିଫିକେଟ୍ (ଉପଶାସ୍ତ୍ରୀ) ପ୍ରଦାନ କରିଥିଲେ । ସେହି ସଂସ୍କୃତ ମହାବିଦ୍ୟାଳୟରେ ସୁରେଶ ୨୦୦୮ରୁ ୨୦୧୦ ମସିହା ପର୍ଯ୍ୟନ୍ତ ପାଠ ପଢିଥିବା ଓ ମୋଟ୍ ୬୫୦ ମାର୍କ ରୁ ୪୭୧ ମାର୍କ ରଖିଥିବା ଦର୍ଶାଇଛନ୍ତି । ସମାନ ସମୟରେ ଧରଣୀଧର ମହାବିଦ୍ୟାଳୟରୁ +୨ ବିଜ୍ଞାନ, ଆନନ୍ଦପୁର ମହାବିଦ୍ୟାଳୟରୁ +୩ ବିଜ୍ଞାନ ସହ ପୁରୀରେ +୨ ସଂସ୍କୃତ (ଉପଶାସ୍ତ୍ରୀ)ରେ କିପରି ଅଧ୍ୟୟନ କଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

୨୦୧୩ରେ ଚାକିରି ପାଇଁ ଆବେଦନ ଓ ୨୦୧୪ ମସିହାରେ ଚୟନ ବେଳେ +୨ ବିଜ୍ଞାନ ବଦଳରେ ଉପଶାସ୍ତ୍ରୀ ଶିକ୍ଷାଗତ ପ୍ରମାଣପତ୍ର ପ୍ରଦାନ କରିଥିଲେ ସୁରେଶ । ଏହି ସମୟରେ ବିଭାଗୀୟ ଅଧିକାରୀମାନେ କିପରି ଏ କଥାକୁ ଲକ୍ଷ୍ୟ କଲେ ନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସୁରେଶ ସେଠୀ ବର୍ତ୍ତମାନ ହାଟଡିହି ବ୍ଲକର ଢେଙ୍କା, ଅଁରା ଭଳି ୨ଟି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି । ତେବେ ଏନେଇ ଥାନାରେ ଅଭିଯୋଗ ପରେ ଏଫଆଇଆର ମଧ୍ୟ ହୋଇଛି । ହେଲେ ସେମିତିକିଛି  କଡ଼ା କାର୍ଯ୍ୟାନୁଷ୍ଠାନ ହୋଇନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।

ତେବେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସୁରେଶ । ବିରୋଧୀମାନେ ଷଡ଼ଯନ୍ତ୍ର କରି ଏଭଳି ମିଥ୍ୟାରୋପ ଲଗାଇଛନ୍ତି ବୋଲି ସେ କହିଛନ୍ତି । ବ୍ୟକ୍ତିଗତ ରାଗ ସୁଝାଇବା ଆଳରେ ତାଙ୍କୁ ହଇରାଣ କରାଯାଉଛି ବୋଲି ସେ ପାଲଟା ଅଭିଯୋଗ କରିଛନ୍ତି । ତେବେ କିଏ ସତ କହୁଛି କିଏ ମିଛ, ତାହା ତ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । ତେଣୁ ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ କରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଜୋର ଧରିଛି ଦାବି ।