ପଞ୍ଚଭୂତରେ ଲୀନ ହେଲେ ସୂର୍ଯ୍ୟ ନାରାୟଣ ପାତ୍ର,ଜନ୍ମମାଟିରେ ଶେଷକୃତ୍ୟ ସମ୍ପନ୍ନ

ମୁଖାଗ୍ନି ଦେଲେ ପୁଅ ବିପ୍ଳବ। ଅଶ୍ରୂଳ ବିଦାୟ ଦେଲେ ଆତ୍ମୀୟସ୍ବଜନ ଓ ସାଧାରଣ ଲୋକ। ଭୁବନେଶ୍ବରରେ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ବହୁ ସାଂସଦ, ମନ୍ତ୍ରୀ ଓ ବିଧାୟକ। ସୂର୍ଯ୍ୟଙ୍କୁ ଝୁରୁଛି ଦିଗପହଣ୍ଡି

କେନ୍ୟୁଜ୍(ବ୍ୟୁରୋ):  ପଞ୍ଚଭୂତରେ ସୂର୍ଯ୍ୟ ଲୀନ । ଅନ୍ତିମ ବିଦାୟ ନେଲେ ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଜନ୍ମମାଟି ଓ କର୍ମଭୂମି ଦିଗପହଣ୍ଡିରେ ପାର୍ଥିବ ଶରୀର ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । କାଲିଠାରୁ ଅନାଇ ବସିଥିଲେ ସମ୍ପର୍କୀୟ ଓ ଆତ୍ମୀୟସ୍ବଜନ । ନିଜ ପ୍ରିୟ ନେତାଙ୍କୁ ଶେଷ ଥର ଆଖି ପୂରାଇ ଦେଖିବା ପାଇଁ ସମର୍ଥକ ଓ ଶୁଭେଚ୍ଛୁ ଅପେକ୍ଷା କରି ରହିଥିଲେ ।

ପାର୍ଥିବ ଶରୀରକୁ ଶୋଭାଯାତ୍ରାରେ ନେବା ବେଳେ ରାସ୍ତାର ଉଭୟ ପାର୍ଶ୍ବରେ ଶେଷ ଦର୍ଶନ କରିଥିଲେ ଶହ ଶହ ଲୋକ । ଭୁବନେଶ୍ବରରୁ ବ୍ରହ୍ମପୁର ବିଭିନ୍ନ ସ୍ଥାନରେ ସୂର୍ଯ୍ୟ ପାତ୍ରଙ୍କୁ ଅଲବିଦା ଜଣାଇଥିଲେ ସାଧାରଣ ଲୋକ । ଛକ ଛକରେ ଭିଡ଼ ଦେଖିବାକୁ ମିଳିଥିଲା । ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ବିଭିନ୍ନ ଦଳର ରାଜନେତା । ଦିଗପହଣ୍ଡିରେ ଥିବା ନିଜସ୍ବ ଜମିରେ ସୂର୍ଯ୍ୟ ପାତ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ସମେତ ସାରା ରାଜ୍ୟ ଝୁରୁଛି । ତାଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ବିଭିନ୍ନ ଦଳର ବହୁ ରାଜନେତା । ଆଜି ନୟାପଲ୍ଲୀ ସ୍ଥିତ ବାସଭବନରେ ସୂର୍ଯ୍ୟ ପାତ୍ରଙ୍କୁ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଥିଲେ । ସେହିପରି କନ୍ଧମାଳ ସାଂସଦ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ, ବହୁ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଅନ୍ୟ ଦଳର ନେତା ବି ଜଣାଇଥିଲେ ଅନ୍ତିମ ଶ୍ରଦ୍ଧାଞ୍ଜଳି । ଏହାପରେ ସୂର୍ଯ୍ୟ ପାତ୍ରଙ୍କ ପାର୍ଥିବ ଶରୀରକୁ ନିଆଯାଇଥିଲା ଶଙ୍ଖ ଭବନ । ସେଠାରେ ଦଳୀୟ ନେତା ଶେଷ ଦର୍ଶନ କରିଥିଲେ । ପାର୍ଟି ଅଫିସରୁ ନିଆଯାଇଥିଲା ବିଧାନସଭା । ସେଠାରେ ଦିଆଯାଇଥିଲା ଗାର୍ଡ ଅଫି ଅନର । ବିଧାନସଭାରୁ ଏକ ଶୋଭାଯାତ୍ରାରେ ମର ଶରୀରକୁ ଜନ୍ମମାଟି ଅଭିମୁଖେ ନିଆଯାଇଥିଲା ।

ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗରେ ଗଞ୍ଜାମ ରାଜନୀତିରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ମରି ବି ସେ ଅମର । ତାଙ୍କରି ଆଖିରେ ଦୁନିଆ ଦେଖିବେ ଆଉ ଦୁଇ ଜଣ । ଗତକାଲି ଆଖିକୁ ଦାନ କରାଯାଇଛି । ବଞ୍ଚିଥିବାବେଳେ ଚକ୍ଷୁଦାନ କରିବାକୁ କହିଥିଲେସୂର୍ଯ୍ୟ ପାତ୍ର । ୭ଥର ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିଭିନ୍ନ ବିଭାଗର ମନ୍ତ୍ରୀ ଓ ବାଚସ୍ପତି ବି ଥିଲେ ।