ବୟସ ମାତ୍ର ୮ ବର୍ଷ, ହେଲେ ପାଟିରୁ ବାହାରୁଛି ଧଡାଧଡ ସବୁ ପ୍ରଶ୍ନର ଉତ୍ତର

ଜୟପୁର(କେନ୍ଯୁଜ୍): ବୁଦ୍ଧି ଆଗରେ ବୟସ ଖୁବ୍ କମ୍ । ପାଟିରୁ ବାହାରୁଛି ଧଡାଧଡ ସବୁ ପ୍ରଶ୍ନର ଉତ୍ତର। ଆମେ କହୁଛୁ ବିସ୍ମୟ ବାଳକ ଶ୍ରୀୟଙ୍କଙ୍କ କଥା । କୋରାପୁଟ ଜିଲ୍ଲା ଜୟପୁରରେ ଶ୍ରୀୟଙ୍କ ପାଢୀଙ୍କ ଘର । ବୟସ ମାତ୍ର ୮ ବର୍ଷ । ଅନର୍ଗଳ ଉତ୍ତର ଦେଇ ସମସ୍ତଙ୍କୁ କରୁଛନ୍ତି ଆଶ୍ଚର୍ଯ୍ଯ ଚକିତ । ଜୟନଗର ଅଞ୍ଚଳର ଅକ୍ଷୟ ଓ ସ୍ୱପ୍ନାଙ୍କ ପୁଅ ଏହି କୁନି ପ୍ରତିଭା । ତେବେ ମାତ୍ର ୨ମିନିଟ୍‌ରେ ୧୫୭ଟି ଦେଶର ମୁଦ୍ରାର ନାମ ସହ ବହୁ ରାଜ୍ୟ ଓ ଦେଶର ଲୋକ ନୃତ୍ୟର ନାମ ର୍ନିଭୁଲ ଭାବେ କହିଯାଉଛନ୍ତି ଶ୍ରୀୟଙ୍କ ।

ଖାଲି ସେତିକି ନୁହେଁ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରଶ୍ନ ଓ ବିଷୟବସ୍ତୁର ଧଡାଧଡ ଉତ୍ତର ରଖୁଛନ୍ତି ସେ। କିଛି ସେକେଣ୍ଡରେ ସମସ୍ତ ପ୍ଲାନେଟର ନାମ ସହ ଗତିପଥର ଉତ୍ତର ରହିଛି ତାଙ୍କ ପାଟିରେ । ଷ୍ଟାଣ୍ଡାର୍ଡ ଟୁରେ ପଢୁଥିବା ଏହି ବିସ୍ମୟ ବାଳକ ଏସିଆ ବୁକ୍‌ ଅଫ ରେକର୍ଡରେ ସମ୍ମାନୀତ । ପୂର୍ବରୁ ମ୍ୟାଜିକ ବୁକ ଅଫ ରେକର୍ଡ, ଇଣ୍ଡିଆ ବୁକ ଅଫ ରେକର୍ଡରେ ସଫଳତା ପାଇଥିଲେ । ତାଙ୍କର ଏହି ସଫଳତା ପୁରା ଜିଲ୍ଲାକୁ ଆଣିଦେଇଛି ଗୌରବ।

ପିଲା ଦିନୁ ହିଁ ଶ୍ରୀୟଙ୍କ ଟିକିଏ ସ୍ୱତନ୍ତ୍ର ବୋଲି କହିଛନ୍ତି ତାଙ୍କ ଜେଜେବାପା । ମାଆ ଜଣେ ଶିକ୍ଷୟିତ୍ରୀ। ଲକଡାଉନରେ ପୁଅର ସାଧାରଣ ଜ୍ଞାନ ପ୍ରତି ଆଗ୍ରହ ଜାଣି ତାଙ୍କୁ ଅଧିକ ପ୍ରସ୍ତୁତ କରିଥିଲେ । ପାଠପଢା ସାଙ୍ଗକୁ ଖେଳକୁଦ ଓ କେସିଓ ବଜାଇବାରେ ମଧ୍ୟ ଶ୍ରୀୟଙ୍କ ମାହିର। ଆଗକୁ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡ ପାଇଁ ପ୍ରସ୍ତୁତ ହେଉଛନ୍ତି ଶ୍ରୀୟଙ୍କ । ବଡ ହେଲେ ଜଣେ ଡାକ୍ତର ହୋଇ ଲୋକଙ୍କ ସେବା କରିବାର ଲକ୍ଷ୍ୟ ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.